ମୋଦୀ ସରକାର-୨ ଶପଥ ଗ୍ରହଣ ଉତ୍ସବ, ନୂଆ ଭୂମିକାରେ ଶାହ

ଗୁଜରାଟରୁ ଦିଲ୍ଲୀ

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ମୋଦୀଙ୍କ ଅତି ଘନିଷ୍ଠ ଅମିତ ଶାହ ଛାତ୍ର ଜୀବନରୁ ହିଁ ରାଜନୀତିରେ ଯୋଗ ଦେଇଥିଲେ। ୧୯୮୬ରେ ବିଜେପିରେ ଯୋଗ ଦେଇଥିବା ଶାହଙ୍କୁ ୨୦୧୪ରେ ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କର ସଫଳ ରଣନୀତି ଯୋଗୁଁ ଦଳ ଐତିହାସିକ ବିଜୟ ହାସଲ କରିଥିଲା ଏବଂ ମୋଦୀ ୨.୦ରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଅମିତ ଶାହଙ୍କ ପୂରାନାମ ହେଉଛି ଅମିତ ଅନିଲଚନ୍ଦ୍ର ଶାହ। ୨୨ ଅକ୍ଟୋବର ୧୯୬୪ରେ ମୁମ୍ବାଇରେ ଜନ୍ମିତ ଶାହ ଗୁଜରାଟର ମେହସାଣାରେ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ। ସେ ଅହମଦାବାଦରେ ବାୟୋକେମିଷ୍ଟ୍ରି ଅଧ୍ୟୟନ କରିବା ପରେ ଗୁଜରାଟରେ ଚାଲିଥିବା ପିତାଙ୍କ ବ୍ୟବସାୟରେ ସାମିଲ ହୋଇଥିଲେ। ଛାତ୍ର ଜୀବନରୁ ହିଁ ଶାହ ଆର୍‌ଏସ୍‌ଏସ୍‌ରେ ଯୋଗ ଦେଇଥିଲେ। ୧୯୮୨ରେ ମୋଦୀଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା ଏବଂ ଏହା ବନ୍ଧୁତାରେ ବଦଳି ଯାଇଥିଲା। ୧୯୮୩ରେ ଶାହ ଏବିଭିପିରେ ସାମିଲ ହୋଇଥିଲେ ଏବଂ ଏଥିରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୯୭ରୁ ୨୦୧୨ ପର୍ଯ୍ୟନ୍ତ ସେ ସର୍‌ଖେଜ ଆସନରୁ ବିଧାୟକ ରହିଥିଲେ। ୨୦୧୩ରେ ଅମିତ ଶାହ ନରନ୍‌ପୁରା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ସେ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ଗୁଜରାଟ ସରକାରରେ ଗୃହ ମନ୍ତ୍ରୀ ରହିଥିଲେ। ଆଜି ପର୍ଯ୍ୟନ୍ତ ଅମିତ ଶାହ ୪୨ଟି ଛୋଟ ବଡ଼ ନିର୍ବାଚନ ଲଢ଼ିଛନ୍ତି ଏବଂ କୌଣସିରେ ବି ପରାଜିତ ହୋଇନାହାନ୍ତି।
ସୋହରାବୁଦ୍ଦିନ ଶେଖ୍‌ ଏନ୍‌କାଉଣ୍ଟର ମାମଲାରେ ଅମିତ ଶାହଙ୍କୁ ୨୦୧୦ରେ ଗିରଫଦାରିକୁ ସାମ୍ନା କରିବାକୁ ପଡ଼ିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ସେ ଉତ୍ତର ପ୍ରଦେଶର ପ୍ରଭାରୀ ରହିଥିଲେ ଏବଂ ଦଳକୁ ଐତିହାସିକ ସଫଳତା ମିଳିଥିଲା। ୯ ଜୁଲାଇ ୨୦୧୪ରେ ସେ ବିଜେପି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲା।

ସମ୍ବନ୍ଧିତ ଖବର