ଟ୍ରମାକେୟାର ସେଣ୍ଟର୍‌ କଥା ଭୁଲିଗଲେ, କ୍ୟାପିଟାଲ ହସ୍ପିଟାଲ ପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି: ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ରାଜଧାନୀରେ ଓ ଏହାର ଆଖପାଖରେ ହେଉଥିବା ଦୁର୍ଘଟଣାକୁ ନଜରରେ ରଖି କ୍ୟାପିଟାଲ ହସ୍ପିଟାଲରେ ଏକ ଟ୍ରମାକେୟାର ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା ସ୍ବାସ୍ଥ୍ୟ ବିଭାଗ। ଏହା ଭିତରେ ପ୍ରାୟ ୨ବର୍ଷ ବିତିବାକୁ ବସିଲାଣି। ହସ୍ପିଟାଲରେ ଏ ପର୍ଯ୍ୟନ୍ତ ଟ୍ରମାକେୟାର ସେଣ୍ଟର କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଫଳରେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଟ୍ରମାର ସୁବିଧା ମିଳିପାରୁ ନାହିଁ। ଅପରପକ୍ଷରେ ହସ୍ପିଟାଲରେ ନିର୍ମାଣ ହେବାକୁ ଥିବା ‌ଟ୍ରମାକେୟାର ସେଣ୍ଟରର ଡିଜାଇନ୍‌ ପ୍ରସ୍ତୁତ ହୋଇସାରିଛି। ତେବେ ଏହି କେନ୍ଦ୍ର ନିର୍ମାଣ କାମ ଆରମ୍ଭ ହେବା ସହିତ କାର୍ଯ୍ୟକ୍ଷମ ହେବା ପାଇଁ ୨ବର୍ଷରୁ ଅଧିକ ସମୟ ଲାଗି ବୋଲି କୁହାଯାଉଛି।

ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବା ଓ ଲୋକ ପ୍ରାଣ ହରାଇବା ଘଟଣାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରମାନଙ୍କୁ ଟ୍ରମାକେୟାର ସେଣ୍ଟର ଖୋଲିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ଆଧାରରେ ରାଜ୍ୟ ସରକାର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଲେଖାଏଁ ଟ୍ରମାକେୟାର ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏଭଳି ଏକ କେନ୍ଦ୍ର ଖୋଲିବା ପାଇଁ ଘୋଷଣା ହୋଇଥିଲା। ହସ୍ପିଟାଲରେ ଏକ ଲେଭଲ-୩ର ଟ୍ରମାକେୟାର ସେଣ୍ଟର ଖୋଲାଯିବ। ମାତ୍ର ଲେଭଲ-୨ର ଟ୍ରମାକେୟାରରେ ଯେଉଁସବୁ ସୁବିଧା ରହିଛି ତାହା କ୍ୟାପିଟାଲ ହସ୍ପିଟାଲରେ ଉପଲବ୍ଧ ହେବ। ଏଭଳି ଆଶା ଦେଖାଇଥିଲେ ସରକାର। ରାଜଧାନୀରେ ବେପରୁଆ ଓ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ଅନେକ ଦୁର୍ଘଟଣାରେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଉଛି। ମାତ୍ର ଟ୍ରମାର ସୁବିଧା ନ ଥିବାରୁ ଆଜି ବି ଦୁର୍ଘଟଣାର ଶିକାର ହୋଇ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଅନ୍ୟ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଥିପାଇଁ ୨୦୧୬/୧୭ରେ କ୍ୟାପିଟାଲ ହସ୍ପିଟାଲରେ ଏଥିପାଇଁ ଜାଗା ଚିହ୍ନଟ ହୋଇଥିଲା। ଏମ୍‌ସିଏଚ୍‌ ବିଲ୍ଡିଂକୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ସଂପୂର୍ଣ୍ଣଭାବେ ଉଠିଯିବା ପରେ ପୁରୁଣା ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ଏହାର ପାଖରେ ଥିବା ଜାଗାରେ ଟ୍ରମାକେୟାର ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହା ଭିତରେ ମାସ ପରେ ମାସ ବିତି ଯାଇଥିଲେ ହେଁ, ଟ୍ରମାକେୟାର ସେଣ୍ଟରର ନାଁ ଗନ୍ଧ ନାହିଁ। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲରେ ୬ ମହଲା ବିଶିଷ୍ଟ ଟ୍ରମାକେୟାର ସେଣ୍ଟର ପାଇଁ ଡିଜାଇନ୍ ଓ ପ୍ରଶାସନିକ ଅନୁମତି ମିଳିସାରିଛି। ସେହିପରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲେଭଲ-୩ ଟ୍ରମା ସେଣ୍ଟରର ମଧ୍ୟ ଡିଜାଇନ୍ ଶେଷ ହୋଇଛି। କ୍ୟାପିଟାଲ ହସ୍ପିଟାଲ ଏକ ଲେଭଲ-୩ର ଟ୍ରମାକେୟାର ସେଣ୍ଟର ହୋଇଥିଲେ ହେଁ, ଏଠାରେ କିନ୍ତୁ ଲେଭଲ-୨ର ସୁବିଧା ଦେବାକୁ ନିଷ୍ପତ୍ତି ନିଆଯାଇଛି। ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଇଞ୍ଜିନିୟରିଂ ବିଭାଗ ଆରମ୍ଭ କରିବ। ସବୁକିଛି ସମୟ ଅନୁସାରେ ହେଲେ ଆସନ୍ତା ୨ବର୍ଷ ଭିତରେ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିବ।

ରାଜ୍ୟରେ ଟ୍ରମାକେୟା‌ର ସେଣ୍ଟରଗୁଡ଼ିକ କିଭଳି ଠିକଣା ଢଙ୍ଗରେ ପରିଚାଳିତ ହେବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଥିଲା। ଜିଲ୍ଲାସ୍ତରରେ ଟ୍ରମାକେୟାର ସେଣ୍ଟର ଖୋଲିବା ସହିତ ସେଠାରେ ଏକ ଜରୁରିକାଳୀନ ସେବା କାର୍ଯ୍ୟକ୍ଷମ ପାଇଁ ନିର୍ଦେଶ ଦିଆଯାଇଥିଲା। ଜାତୀୟ ରାଜପଥରେ ଅଧିକ ସଂଖ୍ୟାରେ ଦୁର୍ଘଟଣା ହେଉଥିବାରୁ ଏହାକୁ ନଜରରେ ରଖି ପ୍ରତି ୫୦-୧୦୦ କି.ମି ବ୍ୟବଧାନରେ ଏକ ଏଏଲଏସ୍ ଆମ୍ବୁଲାନ୍‌ସ ଉପଲବ୍ଧ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ହେଲେ ବର୍ତମାନର ସ୍ଥିତି ସଂପୂର୍ଣ୍ଣ ଓଲଟା। ‌ରାଜ୍ୟରେ ଯେଉଁଠି ବି ଟ୍ରମାକେୟାର ସେଣ୍ଟର ରହିଛି ତାହା ମଧ୍ୟ ଠିକଣା ଢଙ୍ଗରେ ପରିଚାଳିତ ହେଉନାହିଁ। ରାଜ୍ୟରେ ଏବେ ୮ଟି ଟ୍ରମାକେୟାର ସେଣ୍ଟର କାର୍ଯ୍ୟ କରୁଛି। ଏସ୍‌ସିବି ମେଡିକାଲ, ଏମ୍‌କେସିଜି ଓ ବୁର୍ଲା ମେଡିକାଲ କଲେଜରେ ଲେଭଲ-୧ର ଟ୍ରମାକେୟାର ସେଣ୍ଟର ରହିଛି। ଅନ୍ୟସ୍ଥାନରେ ୨ ଓ ୩‌ ଲେଭଲର ସୁବିଧା ଦିଆଯାଉଛି। ଏପରିକି ଏହି ୩ଟି ଲେଭଲ ବାଦ୍ ଲେଭଲ-୪ ଟ୍ରମାକେୟାର ସେଣ୍ଟର ପାଇଁ ମଧ୍ୟ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗରେ ପ୍ରସ୍ତାବ ରହିଥିଲା। ଲେଭଲ ୧-୩ ପର୍ଯ୍ୟନ୍ତ ଥିବା ଟ୍ରମାକେୟାର ଗୁଡ଼ିକରେ ଯେତିକି ସଂଖ୍ୟକ ଡାକ୍ତର, ନର୍ସିଂ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ରହିବା କଥା ତାହା ଉପଲବ୍ଧ ହେଉନାହିଁ। ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା କଥା, କିଛି ଟ୍ରମା ସେଣ୍ଟରରେ କର୍ମଚାରୀ ପଦବି ଖାଲି ପଡ଼ିଛି। ଟ୍ରମାକେୟାରଗୁଡ଼ିକୁ ଠିକ୍‌ରେ ପରିଚାଳିତ କରିବା ପାଇଁ ମାନବ ସମ୍ବଳ ପଦବି ସୃଷ୍ଟି କରାଯାଇଛି। କେବଳ ୧୧ଶହ ନର୍ସିଂ ପଦବି ସୃଷ୍ଟି କରାଯାଇଛି। ଏହାସହ ମେଡିକାଲ କଲେଜରେ ଥିବା ସିନିଅର ରେସିଡେଣ୍ଟମାନେ ଏହି ଟ୍ରମାକେୟାର ସେଣ୍ଟରରେ କାର୍ଯ୍ୟ କରିବେ। ଆସନ୍ତା ୨/୩ବର୍ଷ ଭିତରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଟ୍ରମା ସେଣ୍ଟର କାର୍ଯ୍ୟ କରିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର