କୁଶଭଦ୍ରା ଓ ଭାର୍ଗବୀରେ ଜଳସ୍ତର ବୃଦ୍ଧି

ବାଲିଅନ୍ତା/ବାଲିପାଟଣା : କୁଶଭଦ୍ରା, ଭାର୍ଗବୀ ଓ ଦୟା ନଦୀ‌ରେ ଅପରାହ୍‌ଣରୁ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଞ୍ଚଳବାସୀ ଏବେ ଆତଙ୍କିତ ଅବସ୍ଥା‌ରେ ଅଛନ୍ତି। ନଦୀ ଫୁଲୁଥିବାରୁ ଏକ ବଡ଼ ବନ୍ୟା ଆଶଙ୍କାରେ ଲୋକମାନଙ୍କ ମଧ୍ୟରେ ଏବେ ଛନକା ପଶିଛି।

ଆଜି କିଛି ସ୍ଥାନରେ ନଦୀ ତଳିଆ ଅଞ୍ଚଳରେ ଗଢ଼ି ଉଠିଥିବା ବଜାର, ବସ୍ତି, ସାହି ଓ ଗାଁ ଭିତରେ ବନ୍ୟାପାଣି ପଶି ଯାଇଥିବା ଖବର ମିଳିଛି। କୁଶଭଦ୍ରା ଓ କୁଆଖାଇ ନଦୀରେ ବନ୍ୟାପାଣି ବୃଦ୍ଧି ଯୋଗୁଁ ବାଲିଅନ୍ତା ବଜାର, ବେହେରା ସାହି ଓ ବସ୍ତି ଜଳାର୍ଣ୍ଣବ ହୋଇଛି। ବାଲିଅନ୍ତା ପଞ୍ଚାୟତ ଅଣ୍ଡିଲୋ ଗ୍ରାମର ଅନୀଲ ଦଳାଇ ନାମକ ଜଣେ ସ୍ବେଚ୍ଛାସେବୀଙ୍କ ସୂଚନାନୁଯାୟୀ, ଗ୍ରାମର ନରେନ୍ଦ୍ର ବେହେରାଙ୍କ ୪ ବଖରା ଘର, ମଧୁସୂଦନ ଦଳାଇଙ୍କ ଓଲ୍ଡିଂ ଓ ଗ୍ୟାରେଜ୍‌ ଘର ବୁଡ଼ି ଯାଇଥିବା ବେଳେ ସୁକାନ୍ତ ସାହୁଙ୍କ କାଠଗୋଲା ଭାସି ଯାଇଛି। କୁଶଭଦ୍ରା ବ୍ରିଜ୍‌ ତଳେ ପାର୍କିଂ ହୋଇଥିବା ୪ଟି ଟାଟା ଏସ୍‌ ଓ ଗୋଟିଏ ହାଇୱା ମଧ୍ୟ ବୁଡ଼ି ଯାଇଛି। ବାଲିଅନ୍ତା କେନାଲ ସବ ଡିଭିଜନର ବନ୍ୟାପାଣି ତଦାରଖ ଦାୟିତ୍ବରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ସାହୁ, ସହକାରୀ ଯନ୍ତ୍ରୀ ଭୀମସେନ୍‌ ବେହେରା ଓ କିଶୋର ଚନ୍ଦ୍ର ବେହେରାଙ୍କ ସୂଚନା ଅନୁଯାୟୀ, ମୁଣ୍ଡଳୀରେ ରାତି ୯ଟା ସୁଦ୍ଧା ୮ ଲକ୍ଷ ୨୦ ହଜାର କ୍ୟୁସେକ୍‌ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ କୁଶଭଦ୍ରା ଓ କୁଆଖାଇ ନଦୀରେ ୮ ଫୁଟ ପାଣି ପ୍ରବାହିତ ହେଉଛି। ତେବେ ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ଘଳିଆ ପଡ଼ିବାର ସମ୍ଭାବନା ଥିବାରୁ ସେ ସବୁ ସ୍ଥାନକୁ ଚିହ୍ନଟ କରାଯାଇ ବାଲିବସ୍ତା ପକାଇବା ଲାଗି ଯୋଜନା କରାଯାଇଛି।

ସେହିପରି ଭାର୍ଗବୀ ନଦୀର ବନ୍ୟାଜଳ ବାଲିପାଟଣା ବ୍ଲକ ଅଧୀନ ଅଚ୍ୟୁତପୁର କାଜରେ ସଂଧ୍ୟା ୭ଟାରୁ ଗଡ଼ିବା ଆରମ୍ଭ କରିଥିଲା। ରାତି ୯ଟା ସୁଦ୍ଧା କାଜରେ ୪ ଫୁଟ୍‌ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଛି। ଫଳରେ ରାଜସ, କୃଷ୍ଣପୁର, ଟିଙ୍କିପଡ଼ା, ଗରିଆ, କୁରୁଞ୍ଜିପୁର କଷୋଟି, ସାନ ମାଛପୁର, ବଡ଼ ମାଛପୁର, ପମ୍ପାଲୋ ଓ ଦରଡ଼ା ଆଦି ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି କୁଶଭଦ୍ରା ନଦୀ ଅବବାହିକାରେ ଥିବା ଭାପୁର ଓ ଭାକରସାହି ପଞ୍ଚାୟତର ଅନେକ ଗ୍ରାମ ଜଳାର୍ଣ୍ଣବ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ତେବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗର ଭୁବନେଶ୍ବର କେନ୍ଦ୍ରୀୟ ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ଚିନ୍ମୟ ରଂଜନ ରାଉତ, ଭୁବନେଶ୍ବର ପ୍ରାଚୀ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ବିଘ୍ନରାଜ ପୁରୋହିତ ପ୍ରମୁଖ ବିଭିନ୍ନ ନଦୀବନ୍ଧ ପରିଦର୍ଶନ କରିଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର