୨ ବାଇକ୍‌କୁ ପିଟିଲା ଟ୍ରକ୍‌: ଜଣେ ମୃତ, ୩ ଆହତ

ଖଣ୍ଡଗିରି : ସାଙ୍ଗର ଜେଜେ ମା’ଙ୍କ ଦଶାହ କାର୍ଡ ବାଣ୍ଟିବା ବାଟରେ ଦୁର୍ଘଟଣା ନେଇଗଲା ଯୁବକଙ୍କ ଜୀବନ। ଶନିବାର ଅପରାହ୍‌ଣ ପ୍ରାୟ ୧ଟାରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ବଜାରରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ତମାଣ୍ଡୋ ଥାନା ବାଲିଆପଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଦୀପକ(୨୧)। ଏହି ଦୁର୍ଘଟଣାରେ ଗୁରୁତର ଆହତମାନେ ହେଲେ ସେହି ଗାଁର ସୁକାନ୍ତ ସ୍ବାଇଁଙ୍କ ପୁଅ ବାଦଲ(୨୨), ସଂଗ୍ରାମ ପରିଡ଼ା(୨୬) ଓ ବାସୁଦେବ ବଡ଼ତିଆ(୭୦)। ସୂଚନାନୁସାରେ ଗତ ୫ ଦିନ ତଳେ ବାଦଲଙ୍କ ଜେଜେ ମା’ ମୃତ୍ୟୁବରଣ କରିଛନ୍ତି। ଦଶାହ କାର୍ଡ ବାଣ୍ଟିବା ପାଇଁ ସାଙ୍ଗ ଦୀପକକୁ ଧରି ବାଦଲ ବାଇକ୍‌(ଓଡି୩୩ଆର୍-୨୩୪୬) ଯୋଗେ ନୟାଗଡ଼ ଯାଇଥିଲେ। ଫେରିବା ବାଟରେ ଗଙ୍ଗପଡ଼ା ଛକରେ ଖୋର୍ଧାରୁ ପଲ୍‌ସର (ଓଡି୩୩ଭି-୩୮୬୦) ଯୋଗେ ଫେରୁଥିବା ସଂଗ୍ରାମ ଓ ବାସୁଦେବଙ୍କ ସହ ସେମାନଙ୍କ ଭେଟ ହୋଇଥିଲା। ଗୋଟିଏ ଗାଁର ହୋଇଥିବାରୁ ସେମାନେ ଆଗପଛ ହୋଇ ଫେରୁଥିଲେ। ସେମାନେ ଯାଁଳା ବଜାର ପାର୍ ହୋଇ ମା ଭବାନୀଶ୍ବରୀଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିଥିବ‌େଳେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌(ଓଡି୦୨ଏକେ-୧୬୦୯) ବାଇକ୍‌ ଦୁଇଟିକୁ ପିଟିଥିଲା। ଚାରି ଜଣଯାକ ରାସ୍ତାରେ ଛିଟିକି ପଡ଼ିଥିବାବେଳେ ଟ୍ରକ୍‌ଟି ଦୀପକ ଓ ବାସୁଦେବଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରୁ ଟ୍ରକ୍‌ ନେଇ ଚାଳକ ଫେରାର୍ ହୋଇ ଯାଇଥିଲା। ଖବର ପାଇ ତମାଣ୍ଡୋ ଥାନା ପୁଲିସ ପାତ୍ରପଡ଼ା ଛକରେ ଟ୍ରକ୍‌କୁ ଅଟକାଇବାବେଳେ ଯାଁଳା ଫାଣ୍ଡି ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଡାକ୍ତର ଦୀପକକୁ ମୃତ ଘୋଷଣା କରିଥିଲେ। ବାସୁଦେବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର