କାମ ସରିଗଲେ ସଭିଏଁ ଅଲୋଡ଼ା: ଦୟା ନଦୀର ଅସ୍ଥାୟୀ ବିସର୍ଜନ ପୋଖରୀରେ ମୃଣ୍ମୟୀ ଦେବୀଙ୍କ କୁଢ଼କୁଢ଼ ଦେହାବଶେଷ

ଭୁବନେଶ୍ବର: କାଲି ଯିଏ ଆରାଧ୍ୟ ଥିଲା, ଆଜି ସେ ବର୍ଜ୍ୟ ପାଲଟିଯାଇଥିଲା। ଯାହା ସାମ୍ନାରେ ଛିଡ଼ା ହେବା ମାତ୍ରେ କାଲି ଯାଏ ମୁଣ୍ଡ ନଇଁ ଯାଉଥିଲା, ଆଜି ସେ ଗୋରୁଙ୍କ ଆହାରରେ ପରିଣତ ହୋଇଥିଲା। ନଈ ପଠାରେ ଅସ୍ଥାୟୀ ବିସର୍ଜନ ପୋଖରୀ କଡ଼ରେ କଡ଼ ଲେଉଟାଇ ପଡ଼ିଥିବା ଗଣେଶଙ୍କ ଅଧା ଲିଭା ଚେହେରା ହେଉ, ଅବା ଅଧା ଭଙ୍ଗା ରାକ୍ଷସର ବିକଳ ଚିତ୍ର। ସବୁର ‌ଯେ ଅନ୍ତ ଥାଏ, ତାହା ନିରବରେ ବ୍ୟକ୍ତ କରୁଥିଲା ଗଦା ହୋଇଥିବା ମୃଣ୍ମୟୀ ଦେବୀଙ୍କ କୁଢ଼କୁଢ଼ ଦେହାବଶେଷ। ପରିବେଶ ମନସ୍କ ବ୍ୟକ୍ତିବିଶେଷ ନଈ ପଠାରେ ଏଭଳି ଦୃଶ୍ୟ ଦେଖି ଅସ୍ବସ୍ତିକର ଅନୁଭବ କରୁଥିଲେ। ମାତ୍ର ନକହି ବି ଏହି ଦୃଶ୍ୟ ବାର୍ତା ଦେଉଥିଲା ଯେ, ସଂସାରର ନିୟମରେ ସଭିଏଁ ବନ୍ଧା।

ଦୟା ନଦୀ କୂଳରେ ପହଞ୍ଚିବା ପରେ ଆଖିରେ ପଡ଼ିଲା, କୁନିକୁନି ପିଲାମାନେ ଦେବୀଙ୍କ ଦେହାବଶେଷର ଗଦା ଉପରେ ଚଢ଼ି କ’ଣ ଏଣୁତେଣୁ ଖୋଜିବାରେ ମଜ୍ଜିଯାଇଛନ୍ତି। ତାଙ୍କ ସାମ୍ନାକୁ ଯାଇ ପଚାରିଲୁ, କ’ଣ ଖୋଜୁଛ। କୋମଳମତି ସୂର୍ଯ୍ୟ ଚପଳତାର ସହ ଉତ୍ତର ଦେଇଥିଲେ ମା’ଙ୍କ ଗହଣା ଖୋଜୁଛି। ନାକଗୁଣା, ସିନ୍ଥି, କାନଫୁଲ ନେଇ ଘରକୁ ଯିବି। ମାଟିରେ ମୂର୍ତି ଗଢ଼ି ସେଇ ଅଳଙ୍କାରରେ ସଜେଇ ପୂଜା କରିବି। ମା’ଙ୍କ ଭସାଣି ଯାତ୍ରାକୁ ଯେମିତି ବର୍ଷେ ହେଲା ଚାହିଁ ରହିଥିଲେ ସୂର୍ଯ୍ୟ, ରାଜା ଓ ତା’ ଭଳି କୁନିକୁନି ପିଲାମାନେ। ନୂଆଗାଁ ଓ ପାଖ ଗାଁ’ରୁ କିଛି ପିଲା ଆସି ବିସର୍ଜନ ପୋଖରୀ ଚତୁଃପାର୍ଶ୍ବ ଏଣୁତେଣୁ ଅଣ୍ଡାଳିବାରେ ମାତି ଯାଇଥିଲେ। କିଏ ମୃଣ୍ମୟୀ ଦେବୀଙ୍କ ନକଲି ଚୁଟିକୁ ଟାଣି ପକେଟ୍‌ରେ ଭର୍ତି କରୁଥିଲା ତ ଆଉ କିଏ ଅତି ସନ୍ତର୍ପଣରେ ଇମିଟେସନ୍‌ ଗହଣା ଖୋଲି ସାର୍ଟ ପକେଟ୍‌ରେ ସାଇତି ରଖୁଥିଲା। ଦେହାବଶେଷରୁ ନଡ଼ା ଝୁଣି ଖାଇବାକୁ ଗାଈମାନେ ପ୍ରତିଯୋଗିତା ଚଳାଇଥିବା ବେଳେ ନଡ଼ା ସହ ରସାୟନିକ ରଙ୍ଗ ବି ଉଦରସ୍ଥ କରି ନେଉଥିଲେ। ଅନ୍ୟ ଏକ ପାର୍ଶ୍ବରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଲକ୍ଷ୍ମୀ, ସରସ୍ବତୀ, ଗଣେଶଙ୍କ କାଚ ବନ୍ଧେଇ ଫଟୋ ବିଛେଇ ହୋଇ ପଡ଼ିଥିଲା। ମାତ୍ର ଏମାନେ ଯେମିତି ଆଉ ଦିଅଁ ନଥିଲେ। ଯଦିଓ ଦେବୀଙ୍କୁ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା, କିନ୍ତୁ ପୂଜା ସାମଗ୍ରୀ ପଲିଥିନ୍ ସହ ନଦୀ ଗର୍ଭକୁ ନିକ୍ଷେପ କରାଯାଇଥିଲା।

ଏତେ ସବୁ କଥା ଅବତାରଣା କରିବାର ଉଦ୍ଦେଶ୍ୟ କେବଳ ଏତିକି ଯେ, ଦେବୀଙ୍କୁ ଦର୍ଶନ ପାଇଁ ଲାଇନ୍‌ରେ ଗୋଡ଼ ଭାଙ୍ଗି ଛିଡ଼ା ହେଉଥିବା ଲୋକେ ବି ଏ ଦୃଶ୍ୟକୁ ଅନ୍ତତଃ ଥରେ ଆଖି ପୂରେଇ ଦେଖିନେବା ଉଚିତ୍‌। ଅଦରକାରୀ ହୋଇଗଲା ପରେ ସବୁ କେମିତି ଅଲୋଡ଼ା ପାଲଟିଯାଏ ତାହା ଏଠି କ୍ଷଣେ ଛିଡ଼ା ହେବା ମାତ୍ରେ ହିଁ ଉପଲବ୍ଧି କରିହେଉଥିଲା। ମଶାଣିରେ ମର ଶରୀରକୁ ଅଗ୍ନିରେ ପୋଡ଼ି ପାଉଁଶ ହେଉଥିବା ଦେଖିବା ପରେ ଲୋକଟିଏ ଯେମିତି ନିଜ ଭିତରର ଅହଙ୍କାରକୁ ଅନ୍ତତଃ କିଛି ସମୟ ମାରିଦିଏ, ବିସର୍ଜନ ପରେ ଗଦା ହୋଇଥିବା ମୃଣ୍ମୟୀ ଦେବୀଙ୍କ କୁଢ଼କୁଢ଼ ଦେହାବଶେଷ ଦେଖି ଠିକ୍‌ ସେମିତି କିଛି ଅନୁଭବ କରିହେଉଥିଲା।

ସମ୍ବନ୍ଧିତ ଖବର