ଉତ୍ତରପ୍ରଦେଶରେ ସିଲିଣ୍ଡର ଫାଟି କୋଠା ଭୁଶୁଡ଼ିଲା, ୧୩ ମୃତ

ବାରଣାସୀ: ଉତ୍ତରପ୍ରଦେଶରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏକ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇ ୩ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ମଉ ଜିଲ୍ଲା ସ୍ଥିତ ଭାଲିଦ୍‌ପୁରରେ ଏହି ଅଘଟଣ ଘଟିଛି। ଛୋଟୁ ବଢ଼ାଇ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଘଟିଥିବା ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳ‌ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ପରିବାରର ଜଣେ ମହିଳା ଗ୍ୟାସ୍‌ ଚୁଲା ଲଗାଇବା ସମୟରେ ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର୍‌ରେ ନିଆଁ ଲାଗି ଯାଇଥିଲା। ନିଆଁ ବ୍ୟାପୁଥିବା ଦେଖି ପରିବାରର ସମସ୍ତ ଲୋକଙ୍କ ସହ ପାଖ ପଡ଼ୋଶୀମାନେ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଥିଲେ। କିନ୍ତୁ ହଠାତ୍‌ ସିଲିଣ୍ଡର୍‌ଟି ବିସ୍ଫୋରଣ ହେବା ଫଳରେ ୩ ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ନିଆଁ ଲିଭା କାର୍ଯ୍ୟରେ ସାମିଲ ଥିବା ସମସ୍ତ ଲୋକ ଭଗ୍ନ କୋଠା ତଳେ ଦବି ଯାଇଥିଲେ। ସ୍ଥାନୀୟ ଲୋକେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ପରେ ପୁଲିସ ଆସି ଘଟଣାସ୍ଥଳରେ ପହଂଚିବା ପରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା। ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସ୍ବା‌ସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର