ପେଟ୍ରୋଲ୍ ୭୩ ଟପିଲା, ଲିଟର ପିଛା ୩୯ ଟଙ୍କାର ଟିକସ

ଭୁବନେଶ୍ବର: ପେଟ୍ରୋଲ୍‌ ଦାମ୍‌ରେ ନିୟମିତ ଭାବେ ବୃଦ୍ଧି ପାଉଛି। ବିଗତ ଛଅ ଦିନ ଧରି ଏହାର ଦାମ୍ ବଢ଼ିଚାଲିଛି। ଭୁବନେଶ୍ବରରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୭୩ ଟଙ୍କାରୁ ଅଧିକ ହୋଇଯାଇଛି। ତେବେ ଡିଜେଲ ଦରରେ କୌଣସି ପ୍ରକାର ବୃଦ୍ଧି ହେଉନାହିଁ। ଏହାର ଦାମ୍ ଛଅ ଦିନ ହେଲାଣି ସ୍ଥିର ରହିଛି। ଅଶୋଧିତ ତେଲକୁ ବିଶୋଧନ କରି ସେଥିରୁ ପେଟ୍ରୋଲ୍‌ ଓ ଡିଜେଲ୍‌ ଉତ୍ପାଦନ କରାଯାଏ। ବିଦେଶରୁ ଆମଦାନି କରାଯାଉଥିବା ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ୍ ୬୩ ଡଲାରରୁ ଅଧିକ ହୋଇଯାଇଥିବାରୁ ସ୍ଥାନୀୟ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ପେଟ୍ରୋଲ୍‌ ମହଙ୍ଗା ହେଉଛି। ତେବେ ଡିଜେଲ୍ ଦରରେ କାହିଁକି ତାହାର ପ୍ରତିଫଳନ ଦେଖିବାକୁ ମିଳୁନି ତାହା ବୁଝାପଡ଼ୁନାହିଁ।

ଭୁବନେଶ୍ବରରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍ ଭିତରେ ବିଶେଷ ଫରକ ନାହିଁ। ଆଜି (ସୋମବାର) ପେଟ୍ରୋଲ୍‌ର ଲିଟର୍‌ ପ୍ରତି ଦର ୭୩ ଟଙ୍କା ୯ ପଇସା ରହିଥିବା ବେଳେ ଡିଜେଲ୍‌ ଦାମ୍ ୭୦ ଟଙ୍କା ୬୧ ପଇସା ରହିଛି। ଗତ ୧୨ ତାରିଖରେ ପେଟ୍ରୋଲ୍‌ ଦାମ୍ ୭୨ ଟଙ୍କା ୩୫ ପଇସା ଥିଲା ବେଳେ ଡିଜେଲ୍‌ ୭୦ ଟଙ୍କା ୬୧ ପଇସାରେ ବିକ୍ରି କରାଯାଉଥିଲା। ଗତ ୧୩ ତାରିଖ ପରଠାରୁ ପେଟ୍ରୋଲ୍ ଦାମ୍ ବଢ଼ିଚାଲିଛି। ପ୍ରତି ଦିନ ପେଟ୍ରୋଲ୍‌ ଦାମ୍‌ରେ ୧୨-୧୮ ପଇସା ଭଳି ବୃଦ୍ଧି‌ ହେଉଛି। ଗତ ମାସରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ହ୍ରାସ ଘଟିଥିଲା। ପେଟ୍ରୋଲ୍ ଦର ୭୦-୭୧ ଟଙ୍କା ଭଳି ସ୍ତରକୁ ଖସିଥିଲା। ମାତ୍ର ଚଳିତ ମାସ ୮ ତାରିଖରୁ ଏହି ଦୁଇ ପ୍ରକାର ଇନ୍ଧନ ଦାମ୍ ପୁଣି ଥରେ ବଢ଼ିବା ଆରମ୍ଭ ହୋଇଛି।

ଦେଶରେ ପ୍ରତିଦିନ ସକାଳ ୬ଟାରେ ତେଲ ଦର ବଦଳୁଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ଅନୁସାରେ ସ୍ଥାନୀୟ ବଜାରରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ହ୍ରାସ କିମ୍ବା ବୃଦ୍ଧି ଘଟୁଛି। ଦେଶର ତିନିଟି ତେଲ କଂପାନି ଇଣ୍ଡିଆନ୍ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପ୍ରତିଦିନ ନୂତନ ଦର ଜାରି କରୁଛନ୍ତି। ଯେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦରରେ ବୃଦ୍ଧି ଘଟେ ଭାରତରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍ ବଢ଼ିଥାଏ। ପେଟ୍ରୋଲ୍ ଦାମ୍‌ରେ ହେଉଥିବା ବୃଦ୍ଧି ସମ୍ପର୍କରେ ଓଡ଼ିଶା ପେଟ୍ରୋଲିୟମ୍ ଡିଲର୍‌ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି, ପନ୍ଦର ଦିନ ପୂର୍ବରୁ ଅଶୋଧିତ ତେଲ ଦର ଓ ଡଲାର ମୂଲ୍ୟରେ ଯେଉଁ ବୃଦ୍ଧି ଘଟିଥିଲା ତାହାର ପ୍ରଭାବରେ ପେଟ୍ରୋଲ୍ ଦାମ୍ ବଢ଼ୁଛି। ଆସନ୍ତା ୧୦-୧୨ ଦିନ ଭିତରେ ପୁଣି ଦର କମିବା ଆରମ୍ଭ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଭାରତରେ ବିକ୍ରି ହେଉଥିବା ତେଲ ଦାମ୍ ମୁଖ୍ୟତଃ ଦୁଇଟି କାରକ ଉପରେ ଅତ୍ୟଧିକ ନିର୍ଭରଶୀଳ। ପ୍ରଥମଟି କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍, ଯାହା ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ। ବର୍ତ୍ତମାନ ଅଶୋଧିତ ତେଲର ବ୍ୟାରେଲ୍‌ ପିଛା ଦର ୬୩ ଡଲାରରୁ ଅଧିକ ରହିଛି। ଏହି ତେଲକୁ କିଣିବା ଲାଗି ଡଲାର୍‌ରେ ପେମେଣ୍ଟ୍‌ କରାଯାଏ। ଏକ ଡଲାର ମୂଲ୍ୟ ଏବେ ୭୧ ଟଙ୍କାରୁ ଅଧିକ ରହିଛି। ଉଭୟ ତେଲ ଦାମ୍ ଏବଂ ଡଲାର ମୂଲ୍ୟରେ ସନ୍ତୁଳନ ରହିଲେ ତାହା ଭାରତ ଭଳି ଦେଶକୁ ସୁହାଇବ। ତେବେ, ସରକାରଙ୍କ ନିୟନ୍ତ୍ରଣରେ ଯାହା ଅଛି ତାହା ହେଉଛି ଟିକସ। ଟିକସ ନଥିଲେ ଏକ ଲିଟର ପେଟ୍ରୋଲ୍‌ ୩୪-୩୮ ଟଙ୍କା ଭିତରେ ବିକ୍ରି କରାଯାଆନ୍ତା। ବର୍ତ୍ତମାନ ପ୍ରାୟ ୭୩ ଟଙ୍କାରେ ବିକ୍ରି ହେଉଥିବା ଏକ ଲିଟର୍‌ ପେଟ୍ରୋଲ୍ ଉପରେ ୩୯ ଟଙ୍କାରୁ ଅଧିକ ମୂଲ୍ୟର ଟିକସ ଲଗାଯାଇଛି। ସେଥିରେ କେନ୍ଦ୍ର ସରକାର ୧୯ ଟଙ୍କା ୯୮ ପଇସାର ଟିକସ ଲଗାଇଥିବା ବେଳେ ରାଜ୍ୟ ସରକାର ୧୫ ଟଙ୍କା ୮୬ ପଇସାର ଭାଟ୍ ଲଗାଇଛନ୍ତି। ଯେହେତୁ ଏହି ଟିକସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ତେଣୁ କୌଣସି ପକ୍ଷ ଏହାକୁ କମ୍ କରିବା ଲାଗି ଆଗ୍ରହ ପ୍ରକାଶ କରନ୍ତି ନାହିଁ।

ସମ୍ବନ୍ଧିତ ଖବର