ପାଇକନଗରରେ ସରକାରୀ ଜମି ଜବରଦଖଲ : ମାତିଛନ୍ତି ପ୍ରଭାବଶାଳୀ ବିଲଡର୍‌

ରାଜପଥ ଅବରୋଧ ପରେ ପ୍ରଶାସନର ନିଦ ଭାଙ୍ଗିଲା

ବିଏମ୍‌ସି, ବିଡିଏକୁ ଚିଠି ଲେଖାଯିବ
୩ଦିନ ଭିତରେ ହେବ ବିବାଦୀୟ ଜମିର ମାପଚୁପ

ଭୁବନେଶ୍ବର : ପାଇକନଗର ଅଞ୍ଚଳରେ ମାତିଛନ୍ତି ଜମି ମାଫିଆ। ସରକାରୀ ଜାଗାକୁ ନିଜ ଅକ୍ତିଆରରେ ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏଥିରେ ଜଣେ ପ୍ରଭାବଶାଳୀ ବିଲ୍‌ଡର୍‌ ସଂପୃକ୍ତ ଅଛନ୍ତି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରାଶାସନିକସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ। ଏହାର ପ୍ରତିବାଦରେ ସ୍ଥାନୀୟ ବାସିନ୍ଦାମାନେ ଗତକାଲି ଜାତୀୟ ରାଜପଥ ଅବରୋଧ କରିବା ପରେ ଏହି ଘଟଣାରେ ପୁଲିସ୍‌ ହସ୍ତକ୍ଷେପ କରିଛି। ବିବାଦୀୟ ଜାଗା‌ରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଇବା ସହ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବିବାଦୀୟ ଜମିର ପୁନର୍ବାର ମାପଚୁପ ହେବ ବୋଲି ଜଣାଯାଇଛି। ସେହ‌ିପରି ପୁଲିସ ପକ୍ଷରୁ ବିଡିଏ, ବିଏମ୍‌ସି ଓ ସାଧାରଣ ପ୍ରଶାସନ ବିଭାଗକୁ ଏ ସଂକ୍ରାନ୍ତରେ ଚିଠି ଲେଖାଯିବ ବୋଲି କୁହାଯାଇଛି। ସ୍ଥାନୀୟ ବାସିନ୍ଦା ସ୍ନେହାଂଶୁ ବେଦମତା ଓ ପାଇକନଗର ୱେଲଫେୟାର୍ ଆସୋସିଏସନ୍‌ର ସଂପାଦକ ସମୀର ନାୟକ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ପାଇକନଗର ଅଞ୍ଚଳରେ ଥିବା ପ୍ଲଟ୍‌ ନଂ ୨୨୬, ୨୨୭, ୨୨୮, ୨୨୯, ୨୩୦, ୨୩୨ ଓ ୨୩୩ ସରକାରୀ ଜାଗା। ତହିଁରୁ ୨୩୩ ଜଳାଶୟ ହୋଇଥିବା ବେଳେ ୨୨୮ ପୋଖରୀ ବନ୍ଧ। ତେବେ ଏହାକୁ ଜମି ମାଫିଆ ପୋତି ଏଥିରେ ନିର୍ମାଣ କାର୍ଯ୍ୟ କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ଏହି ଜାଗା ବେଆଇନ ଭାବେ ଜବରଦଖଲରେ ରହିଥିବା ୨୦୦୬ ମସିହାରେ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ବିଧାସଭାରେ କହିଥିଲେ। ଏହାର ପରବର୍ତୀ ବର୍ଷଗୁଡ଼ିକରେ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀ ପାଇକନଗର ମୌଜାର ଏହି ପ୍ଲଟ୍‌ ଜବରଦଖଲରେ ରହିଥିବା ଉତ୍ତର ରଖିଛନ୍ତି। ୨୦୦୯ ମସିହାରେ ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ପାଇକନଗରରେ ଥିବା ଜବରଦଖଲକୁ ହଟାଇବା ଲାଗି ବିଡିଏ ଓ ବିଏମ୍‌ସି କର୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ବିଧାନସଭାରେ କହିଥିଲେ। ପରବର୍ତୀ ସମୟରେ ପାଇକନଗର ମୌଜାରେ ଯେଉଁ ପ୍ଲଟ୍‌ଗୁଡ଼ିକରେ ଜବରଦଖଲ ରହିଥିଲା, ତାହାକୁ ଉଚ୍ଛେଦ କରାଯାଇଥିଲା। ତେବେ କିଛି ବର୍ଷ ଚୁପ୍ ରହିବା ପରେ ପୁଣିଥରେ ଏହାକୁ ଜବରଦଖଲ କରିବା ଲାଗି ମାଫିଆ ଉଦ୍ୟମ ଚଳାଇଛନ୍ତି। ଏପରିକି ସରକାରୀ ପୋଖରୀକୁ ସ୍ଥିତିବାନ ପ୍ଲଟ୍‌ରେ ପରିଣତ କରି ଦେଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ନିକଟରେ ସେହି ଜମି ଉପରେ ପୁଣିଥରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତ ୧୭ ତାରିଖ ଦିନ ସେଠାରେ କିଛି ଅସାମାଜିକ ଯୁବକ ପହଞ୍ଚି ବିରୋଧ କରୁଥିବା ସ୍ଥାନୀୟ ଲୋକଙ୍କୁ ଧମକଚମକ ମଧ୍ୟ ଦେଇଥିଲେ।

‌‌ତେବେ ଜମି ଜବରଦଖଲ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସ୍ଥାନୀୟ ବାସିନ୍ଦାମାନେ ଗତକାଲି ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରାୟ ଅଧଘଣ୍ଟା ଜାତୀୟ ରାଜପଥ ଅବରୋଧ ରହିବା ପରେ ଘଟଣାସ୍ଥଳରେ ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲା। ସ୍ଥାନୀୟ ବାସିନ୍ଦା ଶ୍ରୀ ବେଦମତାଙ୍କ କହିବାନୁଯାୟୀ, ପାଇକନଗରରେ ପୋତି ଦେଇଥିବା ଜଳାଶୟର ପୁନରୁଦ୍ଧାର କରାଯାଉ। ପୂର୍ବରୁ ଏହି ପାଇକନଗର ଦେଇ ସରକାରୀ ଡ୍ରେନ୍‌ ଯିବାର ଯୋଜନା ରହିଥିଲା। ମାତ୍ର ସଂପୃକ୍ତ ବିଲଡର୍‌ ସେହି ବିବାଦୀୟ ଜାଗାକୁ ପୋତି ଦେବା ଫଳରେ ଏବେ ସେଠାରେ ଡ୍ରେନ୍‌ ନିର୍ମାଣ ନେଇ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ମାପଚୁପ ପରେ ବିବାଦୀୟ ଜମି ସଂପର୍କିତ ସମସ୍ତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଶ୍ରୀ ବେଦମତା କହିଛନ୍ତି।

ସମ୍ବନ୍ଧିତ ଖବର