ଶ୍ରୀକ୍ଷେତ୍ରକୁ ଭିକାରିମୁକ୍ତ ଅଭିଯାନ ଆରମ୍ଭ, ଉଦ୍ଧାର କାର୍ଯ୍ୟ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବ

ପୁରୀ: ଜଗନ୍ନାଥଧାମ ପୁରୀ ଓ ଆଖପାଖ ଅଞ୍ଚଳକୁ ଭିକାରିମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଆଜିଠାରୁ ଭିକାରି ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଶ୍ରୀମନ୍ଦିରଠାରୁ ଆରମ୍ଭ କରାଯାଇଛି। ପ୍ରଥମ ଦିନରେ ଚାରି ଦଳରେ ୪୦ ଜଣ ସ୍ବେଚ୍ଛାସେବୀ ସିଂହଦ୍ବାର ସମ୍ମୁଖ ବଡ଼ଦାଣ୍ଡରେ ବସି ଭିକ୍ଷାବୃତ୍ତି କରୁଥିବା ୩୧ଜଣ ଭିକାରିଙ୍କୁ ଉଦ୍ଧାର କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଉଦ୍ଧାର ହୋଇଥିବା ଭିକାରିମାନଙ୍କୁ ଡେଲାଙ୍ଗସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆଭା’ ଓ ନିମାପଡ଼ାସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପିଙ୍ଗଳାକ୍ଷୀ ୱେଲ୍‌ଫେୟାର ଅର୍ଗାନାଇଜେସନ୍‌’ରେ ରଖାଯାଇଛି। କିଛି ମହିଳା ଭିକାରିମାନଙ୍କୁ ସର୍ବୋଦୟନଗରସ୍ଥିତ ସେଲ୍‌‌ଟର୍‌ ହୋମ୍‌ରେ ରଖାଯାଇଛି। ପରେ ଏହି ଅନୁଷ୍ଠାନକୁ ମହିଳା ଭିକାରିମାନଙ୍କୁ ପଠାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର