ନୂଆଦିଲ୍ଲୀ : ପ୍ରଥମେ ଚୀନ୍ର ଉହାନ୍ କରୋନା ଭାଇରସ୍ର କେନ୍ଦ୍ରସ୍ଥଳ ଥିଲା। କିନ୍ତୁ ଧୀରେଧରେ ଏହା ବିଶ୍ବବ୍ୟାପୀ ଅନ୍ୟ ରାଷ୍ଟ୍ର ଗୁଡ଼ିକୁ ବ୍ୟାପିଲା। ସାରା ବିଶ୍ବବ୍ୟାପୀ ୧୫୮ଟି ରାଷ୍ଟ୍ରରେ କରୋନା ଭାଇରସ୍ ବ୍ୟାପିଛି। କିନ୍ତୁ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଚୀନ୍ରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦,୮୬୦ ଥିବାବେଳେ ଚୀନ୍ ବାହାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୦୦୦ ଟପିଛି। କରୋନାର କେନ୍ଦ୍ରସ୍ଥଳ ଏବେ ଉହାନ୍ରୁ ୟୁରୋପ୍କୁ ସ୍ଥାନାନ୍ତର ହୋଇଛି। ଉହାନ୍ ପରେ ଏବେ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକ କରୋନା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗତ ସପ୍ତାହଠାରୁ ଚୀନ୍ରେ ନୂଆ କରୋନା ମାମଲା କମିଛି। ତେବେ ଚୀନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ୟୁରୋପୀୟ ରାଷ୍ଟ୍ର ତଥା ଇଟାଲୀ ଏବଂ ସ୍ପେନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ମୃତ୍ୟୁସଂଖ୍ୟା ବି ବଢ଼ିଛି। ଫେବ୍ରୁଆରି ଶେଷ ସୁଦ୍ଧା ଚୀନ୍ରେ ସ୍ଥିତି ଗମ୍ଭୀର ଥିଲା। କିନ୍ତୁ ମାର୍ଚ୍ଚ ଆରମ୍ଭରେ ଇଟାଲୀରେ ସ୍ଥିତି ଜଟିଳ ହୋଇଗଲା। ମାତ୍ର ୧୫ ଦିନରେ କରୋନାର ଉତ୍ପତ୍ତିସ୍ଥଳ ସମ୍ପୂର୍ଣ୍ଣ ବଦଳିଗଲା। ମାର୍ଚ୍ଚ ୧ ସୁଦ୍ଧା ବିଶ୍ବବ୍ୟାପୀ ସମୁଦାୟ କରୋନା ମାମଲା ଚୀନ୍ରେ ୯୦ ପ୍ରତିଶତ ଥିଲା। କିନ୍ତୁ ମାର୍ଚ୍ଚ ୧୫ ସୁଦ୍ଧା ବିଶ୍ବର ଅନ୍ୟ ଅଂଶ ଗୁଡ଼ିକରେ କରୋନା ମାମଲା ଚୀନ୍କୁ ଟପିଗଲା।