କରୋନା ଆତଙ୍କ : ଆର୍‌ଟିଓ କାର୍ଯ୍ୟାଳୟରେ ଲମ୍ବା ଲାଇନ୍‌କୁ ନଜର ନାହିଁ, କମ୍ପ୍ୟୁଟର କି’ ବୋର୍ଡରେ ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷା ଦେଉଛନ୍ତି ଶତାଧିକ ଆବେଦନକାରୀ

ଏଟିଏମ୍ କାଉଣ୍ଟର୍‌ରେ ବି ନାହିଁ ପ୍ରତିଷେଧମୂଳକ ବ୍ୟବସ୍ଥା

ଭୁବନେଶ୍ବର : କରୋନା ମୁକାବିଲା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ପରିବହନ କାର୍ଯ୍ୟାଳୟରେ ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ନୂଆ ମୋଟରଯାନ ଆଇନ ସଂଶୋଧନ ପରେ ଏବେ ରାଜ୍ୟର ବିଭିନ୍ନ ଆର୍‌ଟିଓରେ ଭିଡ଼ ଲାଗି ରହୁଛି। ଲମ୍ବା ଲାଇନ୍‌ରେ ଛିଡ଼ା ହେଉଛନ୍ତି ଆବେଦନକାରୀ। ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ଲାଗି ଭୁବନେଶ୍ବର ଆର୍‌ଟିଓ ଅଫିସରେ ବି ଲାଗୁଛି ଲମ୍ବା ଲାଇନ। ଆବେଦନକାରୀମାନେ ଖୁନ୍ଦି ଖୁନ୍ଦି ହୋଇ ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି।

ଖାଲି ସେତିକି ନୁହେଁ ଗୋଟିଏ କମ୍ପ୍ୟୁଟରରେ ଶତାଧିକ ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀ ପରୀକ୍ଷା ଦେଉଛନ୍ତି। ଧାଡ଼ିରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଛି। ଖାଲି ସେତିକି ନୁହେଁ କମ୍ପ୍ୟୁଟର କି’ ବୋର୍ଡ ମାଧ୍ୟମରେ ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଥିଲାଗି ରାଜ୍ୟ ସରକାର କୌଣସି ବିକଳ୍ପ ବ୍ୟବସ୍ଥା କରି ନାହାନ୍ତି କିମ୍ବା ଆର୍‌ଟିଓ କାର୍ଯ୍ୟାଳୟରେ କୌଣସି ସଚେତନତା ମଧ୍ୟ କରାଯାଉ ନାହିଁ। ଜଣେ ଆବେଦନକାରୀ କହିଛନ୍ତି, ମୋଟରଯାନ ଆଇନରେ ମୋଟା ଅଙ୍କର ଜରିମାନା ଆଦାୟ ହେଉ ଥିବାରୁ ଲାଇସେନ୍ସ ବାଧ୍ୟତାମୂଳକ ହୋଇ ପଡ଼ିଛି। ଜରିମାନା ଭୟରେ ଲୋକମାନେ ବାଧ୍ୟ ହୋଇ ଲମ୍ବା ଧାଡ଼ିରେ ଖୁନ୍ଦି ଖୁନ୍ଦି ହୋଇ ଛିଡ଼ା ‌ହେଉଛନ୍ତି। ଜନଗହଳିପୂର୍ଣ୍ଣ ଅଞ୍ଚଳ ପାଇଁ ସରକାରୀ କଟକଣା ଲାଗୁ ହେଉଥି‌ଲା ବେଳେ ଏଠାରେ କାହିଁକି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।

ଧାଡ଼ି କଥା ଛଡ଼ା, କମ୍ପ୍ୟୁଟର କି’ ବୋର୍ଡ ଆଉ ଏକ ଅଡ଼ୁଆ। ଗୋଟିଏ କମ୍ପ୍ୟୁଟର କି’ ବୋର୍ଡରେ ଶତାଧିକ ଆବେଦନକାରୀ ଲର୍ଣ୍ଣିଂ ଲାଇସେନ୍ସ ଲାଗି ପରୀକ୍ଷା ଦେଉଛନ୍ତି। କିନ୍ତୁ ସ୍ବଚ୍ଛତାକୁ ଅଣଦେଖା କରାଯାଉଛି। କି’ ବୋର୍ଡକୁ ସେଭଳି ସଫା କରାଯାଉ ନାହିଁ। ଜଣେ ଆବେଦନକାରୀ ପରୀକ୍ଷା ଦେଇ ସାରିଲା ପରେ କି’ ବୋର୍ଡକୁ ସଫା କରିବାର ଆବଶ୍ୟକତା ରହିଛି।

ଆର୍‌ଟିଓ ଅଫିସ ଏବେ ଜନଗହଳିପୂର୍ଣ୍ଣ ଅଞ୍ଚଳ ପାଲଟି ଥିବା ବେଳେ କାହିଁକି ଏଠାରେ କୌଣସି ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇ ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଆର୍‌ଟିଓର ଜଣେ ଅଧିକାରୀ କହିଛନ୍ତି ଏବେ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ବିକଳ୍ପ ବ୍ୟବସ୍ଥା କରିବା ପାଇଁ କମିସନରଙ୍କୁ ଅନୁରୋଧ କରାଯାଇଛି।

ଏଟିଏମ୍ କାଉଣ୍ଟର୍‌ରେ ବି ନାହିଁ ପ୍ରତିଷେଧମୂଳକ ବ୍ୟବସ୍ଥା
ଏଟିଏମ୍ କାଉଣ୍ଟରରେ ଗ୍ରାହକଙ୍କ ଭିଡ଼ ଜମୁଛି। କମ୍ପ୍ୟୁଟର କି’ ପ୍ୟାଡକୁ ଏକାଧିକ ବ୍ୟକ୍ତି ବ୍ୟବହାର କରୁଛନ୍ତି। କିନ୍ତୁ କାଉଣ୍ଟରରେ ସେଭଳି କିଛି ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ଗୋଟିଏ ଗୋଟିଏ କାଉଣ୍ଟର୍‌ରେ ଏଟିଏମ୍‌ କି’ ବୋର୍ଡକୁ ଶତାଧିକ ଗ୍ରାହକ ବ୍ୟବହାର କରୁଥିବାରୁ ସଂକ୍ରମଣ ହେବାର ଆଶଙ୍କା ରହିଛି। କିନ୍ତୁ ବ୍ୟାଙ୍କ ପକ୍ଷରୁ ଏ ନେଇ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସ୍ବଚ୍ଛତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇ ନାହିଁ। ଯାହାକୁ ନେଇ ଏଟିଏମ୍ ବ୍ୟବହାରକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଟିଏମ୍ କାଉଣ୍ଟରରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବ୍ୟବହାରକାରୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର