ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଛୁଟି ମନା

ଭୁବନେଶ୍ୱର : ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ କରୋନା ପାଇଁ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସିବେନି କି ପାଠପଢ଼ା ହେବନି। ପରବର୍ତୀ ସମୟରେ ବିଜ୍ଞପ୍ତି ଜାରି କରି କେହି ବି ଶିକ୍ଷାନୁଷ୍ଠାନକୁ ନ ଆସିବାକୁ ନିର୍ଦ୍ଦେଶ ଦେଲେ। ତେବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଅଜବ ନୀତି ଏବେ ପଦାକୁ ଆସିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି ଯେ ରେଗୁଲାର କର୍ମଚାରୀ ବିଶ୍ବବିଦ୍ୟାଳୟ ନ ଆସିବାକୁ କୁହାଯାଇଛି। ତେବେ ଜରୁରୀକାଳୀନ କର୍ମଚାରୀ ଓ ଚୁକ୍ତିଭିତ୍ତିକ ବା ଠିକା କର୍ମଚାରୀ ପ୍ରତିଦିନ ବିଶ୍ବବିଦ୍ୟାଳୟ ଆସିବାକୁ କୁହାଯାଇଛି। ଏନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜ‌ା ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ କୁଳସଚିବ ଗତ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପରୀକ୍ଷା/ମୂଲ୍ୟାୟନ ଆଦି କାର୍ଯ୍ୟ ନ ଥିଲେ ଶିକ୍ଷକ ଓ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଆସିବା ଦରକାର ନାହିଁ। ଜରୁରୀ କାର୍ଯ୍ୟ ପାଇଁ ସେମାନେ ମୁଖ୍ୟାଳୟରେ ରହିବେ। ମୋବାଇଲ୍‌ ସୁଇଚ୍‌-ଅଫ୍‌ କରିବେ ନାହିଁ। ଯେତେବେଳେ ଆବଶ୍ୟକ ପଡ଼ିବ, ସେମାନେ ବିଶ୍ବବିଦ୍ୟାଳୟରେ ଉ‌ପଲବ୍ଧ ହେବେ। ଜରୁରୀକାଳୀନ କର୍ମଚାରୀ(ପିଏଚ୍‌ଡି/ଇଲେକ୍ଟ୍ରିକାଲ ଆଣ୍ଡ ସିଭିଲ୍‌), ସୁରକ୍ଷାକର୍ମୀ, ସଫେଇ କର୍ମଚାରୀ ପ୍ରତିଦିନ କାର୍ଯ୍ୟରେ ଯୋଗଦେବେ। ବାହାରୁ ଆସୁଥିବା ଠିକା କର୍ମଚାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ସେମାନଙ୍କ କାର୍ଯ୍ୟ ଜାରି ରଖିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏଭଳି ବିଜ୍ଞପ୍ତି‌କୁ ନେଇ କିଛି କର୍ମଚାରୀ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ କ’ଣ କରୋନା ହେବନି? ରାଜ୍ୟ ସରକାର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଲାଗି ଗୋଟିଏ ନିୟମ କରିଥିବା ବେଳେ ଏଠାରେ ଭିନ୍ନତା କାହିଁକି?

ସମ୍ବନ୍ଧିତ ଖବର