ଜାତିଭିତ୍ତିକ ଅପମାନସୂଚକ ଶବ୍ଦ ମହଙ୍ଗା ପଡ଼ିଲା; ଶିଳ୍ପା ଓ ସଲମାନଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ୍‌ ଓ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ବିବାଦ ପିଛା ଛାଡୁ ନାହିଁ। ଦିନକୁ ଦିନ ଶିଳ୍ପା ଓ ସଲମାନ ନୂଆ ନୂଆ ବିବାଦରେ ଛନ୍ଦି ହୋଇଯାଉଥିବାର ଖବର ପ୍ରକାଶ ପାଇଛି। ନିକଟରେ ମୁମ୍ବାଇରେ ଦୁହିଁଙ୍କ ବିରୋଧରେ ଜାତିଭିତ୍ତିକ ଅପମାନସୂଚକ ଶବ୍ଦ ‘ଭଙ୍ଗି’ ବ୍ୟବହାର ନେଇ ମାମଲା ରୁଜୁ ହୋଇଛି।

ବଲିଉଡର ‘ଦବଙ୍ଗ ଖାନ୍‌’ କୁହାଯାଉଥିବା ସଲମାନଙ୍କ ବିରୋଧରେ ଦିଲ୍ଲୀର ଗାନ୍ଧି ନଗର ଥାନାରେ ମାମଲା ରୁଜୁ କରାଯାଇଛି। ଏଥିସହ ଟିଭି ସୋ’ରେ ଆପତ୍ତିଜନକ ଭାଷାର ବ୍ୟବହାର କରିବା ନେଇ ସଲମାନ ଖାନ୍‌ ଓ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ରାଷ୍ଟ୍ରୀୟ ଅନୁସୁଚିତ ଜାତି ଆୟୋଗ ୭ଦିନ ଭିତରେ ଦିଲ୍ଲୀ ଓ ମୁମ୍ବାଇ ପୁଲିସ କମିସନର୍‌ଙ୍କୁ ଏହି ମାମଲାର ଜବାବ ମାଗିଛି।

ସଲମାନ ଓ ଶିଳ୍ପା ସେଟ୍ଟୀଙ୍କ ବିେରୋଧରେ ଅଭିଯୋଗ ଆସିଛି କି ଦୁହେଁ ଏକ ଟିଭି ସୋ’ରେ ଏକ ଜାତିଭିତ୍ତିକ ଅପମାନସୂଚକ ଶବ୍ଦ ବ୍ୟବହାର କରି ବାଲ୍ମୀକି ସମୁଦାୟର ଭାବନାକୁ ଆଘାତ ପହଞ୍ଚାଇଛନ୍ତି। ଗତକାଲି ସଲମାନ ଖାନ୍‌ଙ୍କ ସିନେମା ‘ଟାଇଗର ଜିନ୍ଦା ହୈ’ ରିଲିଜ ହୋଇଛି। ଏହି ସିନେମାର ପ୍ରମୋସନ୍‌ ସମୟରେ ସଲମାନ ବାଲ୍ମିକୀ ସମୁଦାୟକୁ ଇଙ୍ଗିତ କରି ‘ଭଙ୍ଗି’ ଶବ୍ଦର ବ୍ୟବହାର କରିଥିଲେ, ଯାହାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଛି। ଏହି ସିନେମା ରିଲଜ୍‌ ହେବା ପରେ ପରେ ବିରୋଧ ଆରମ୍ଭ ହୋଇଯାଇଛି। ଉତ୍ତ୍ୟକ୍ତ ଲୋକେ ‘ଟାଇଗର ଜିନ୍ଦା ହୈ’ ପ୍ରଦର୍ଶିତ କରୁଥିବା ସିନେମା ହଲ୍‌ରେ ଭଙ୍ଗାରୁଜା କରିବା ସହିତ ସିନେମାର ପୋଷ୍ଟର ଜାଳିବା ସଙ୍ଗେ ସଲମାନଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରିଥିଲେ।

ଏକ ଘରୋଇ ଚାନେଲରେ ସଲମାନ ଦେଇଥିବା ସାକ୍ଷାତକାରରେ ଜାତିଭିତ୍ତିକ ଅପମାନସୂଚକ ଶବ୍ଦ ବ୍ୟବହାର କରି ଏକ ବିଶେଷ ସମୁଦାୟର ସମ୍ମାନକୁ ଆଞ୍ଚ ପହଞ୍ଚାଇଛନ୍ତି। ସଲମାନ ଦେଶର ଜଣେ ନାମୀଦାମୀ ସେଲିବ୍ରିଟି। ଲୋକମାନେ ତାଙ୍କୁ ଅନୁସରଣ କରନ୍ତି। ତେବେ ଏଭଳି ବୟାନ ଉପରେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି।

ସେହିପରି ଆଗ୍ରାରେ ବି ଅଭିନେତ୍ରୀ ସଲମାନ ଖାନ୍‌ ଓ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ବାଲ୍ମିକୀ ସମାଜ ଅସନ୍ତୋଷ ପ୍ରଦର୍ଶନ କରିଛି।

ସମ୍ବନ୍ଧିତ ଖବର