କୋଭିଡ୍-ଭ୍ୟାକ୍‌ସିନ : ପ୍ରତିଷେଧକ ଲାଗି ବଳିଦାନ

ବସନ୍ତରାଜ

ବର୍ତ୍ତମାନ ପୃଥିବୀ ନିହାତି ଭାବେ ଏକ କରୋନା ପ୍ରତିଷେଧକ ଚାହେଁ। କିନ୍ତୁ ‘ହ୍ୟୁମାନ ଚ୍ୟାଲେଞ୍ଜ ପ୍ରୋଜେକ୍ଟ’ ଦ୍ବାରା ଅନେକଙ୍କ ଜୀବନ ବିପଦାପନ୍ନ ହୋଇପାରେ; ଅନେକ ମୃତ୍ୟୁ ମୁଖରେ ମଧ୍ୟ ପଡ଼ି ପାରନ୍ତି। କିନ୍ତୁ ଯଥାଶୀଘ୍ର ଏକ ପ୍ରତିଷେଧକ ଲାଭ କରିବା ସକାଶେ ଏହା ଏକ ଅତ୍ୟନ୍ତ ଅପ୍ରୀତିକର ଅଥଚ ଆବଶ୍ୟକ ପନ୍ଥା ଭଳି ମନେହୁଏ। ଯଦି ନିକଟରେ କରୋନା ପ୍ରତିଷେଧକ ଆବିଷ୍କୃତ ହୁଏ, ତେବେ ଏଭଳି ସ୍ବେଚ୍ଛାସେବୀମାନଙ୍କ ତ୍ୟାଗକୁ ବିଶ୍ବ ଜନସମାଜ କୃତଜ୍ଞତାର ସହିତ ସ୍ମରଣ କରିବା ଆବଶ୍ୟକ।

୧୯୫୩ ମସିହାରେ ଜୋନାସ ସଲ୍‌କ ପ୍ରଥମେ ତାଙ୍କ ଶରୀରରେ ଏବଂ ତାଙ୍କ ପତ୍ନୀ ଓ ପିଲାମାନଙ୍କ ଠାରେ ‘ପୋଲିଓ’ ରୋଗର ଭୂତାଣୁକୁ ପ୍ରବେଶ କରାଇ ତା ପରେ ତାଙ୍କ ଦ୍ବାରା ଆବିଷ୍କୃତ ପୋଲିଓ ପ୍ରତିଷେଧକର ପରୀକ୍ଷା କରିଥିଲେ। ପରେ ଅନେକ ଲୋକଙ୍କ ଉପରେ ଏହାର ସଫଳ ପରୀକ୍ଷା କରାଯିବା ପରେ ପ୍ରତିଷେଧକଟି ଯେ କାମ କରୁଛି ତାହା ସାବ୍ୟସ୍ତ ହୋଇଥିଲା। ଏହି କଥାଟିରେ ଡାକ୍ତର ସଲ୍‌କଙ୍କ ପରିବାରର ବଳିଦାନ ବିଷୟ ସର୍ବାଧିକ ହୃଦୟଗ୍ରାହୀ।

ନିକଟରେ ଏକ ଆଲୋଚନା ବେଳେ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ର ମୁଖ୍ୟ ଗବେଷକ ଭାବେ ଅବସ୍ଥାପିତ ସୌମ୍ୟା ସ୍ବାମୀନାଥନ କହିଥିଲେ ଯେ ସାଧାରଣ ଅବସ୍ଥାରେ କୌଣସି ଏକ ପ୍ରତିଷେଧକର ଫର୍ମୁଲା ତିଆରି କରିବା ପର ଠାରୁ ବିଭିନ୍ନ ପର୍ଯ୍ୟାୟରେ ତାର ସକାରାତ୍ମକ ଫଳ ଓ ନକରାତ୍ମକ ପ୍ରତିକ୍ରିୟାକୁ ଏକ ବିଶାଳ ଜନସଂଖ୍ୟା ଉପରେ ପରୀକ୍ଷାନିରୀକ୍ଷା କରି ପରିଶେଷରେ ‘ଏଫ୍.ଡି.ଏ.’ ଦ୍ବାରା ସ୍ବୀକୃତି ଲାଭ କରି ଜନସାଧାରଣଙ୍କ ଲାଗି ଉପଲବ୍‌ଧ ହେଲା ବେଳକୁ ହୁଏତ ଆଠରୁ ଦଶ ବର୍ଷ ସମୟ ଲାଗି ଯାଇପାରେ। କିନ୍ତୁ ଏବର କରୋନା ‘ପାନ୍‌ଡେମିକ୍’ ସମୟରେ ଏତିକି ସମୟ ଦେବାକୁ କୌଣସି ଗବେଷଣା ସଂସ୍ଥା ବା ବୈଜ୍ଞାନିକ ପ୍ରସ୍ତୁତ ନୁହନ୍ତି। ସଂପ୍ରତି ଶୀଘ୍ରାତିଶୀଘ୍ର ଏକ ପ୍ରତିଷେଧକର ଆବିଷ୍କାର ଲାଗି ଅନ୍ତତଃ ପକ୍ଷେ ୮୦ରୁ ଅଧିକ ଗବେଷଣା ସଂସ୍ଥା ଦିନରାତି ଅକ୍ଳାନ୍ତ ଉଦ୍ୟମ ଜାରି ରଖିଥିବା ବେଳେ ଅନେକ ସଂସ୍ଥା ପ୍ରତିଷେଧକ ତିଆରିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଜନ ସମାଜ ଉପରେ ତ୍ରିସ୍ତରୀୟ ପରୀକ୍ଷଣ ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି। ସାଧାରଣ ଭାବେ ଏଭଳି ସ୍ଥଳେ ପରୀକ୍ଷଣ ନିମନ୍ତେ ଯେମିତି ସମୟ ଲୋଡ଼ା ଯାଇଥାଏ, ତାହା ହାତରେ ନାହିଁ। ତେଣୁ ଅନେକ ରାଷ୍ଟ୍ରରେ ‘ହ୍ୟୁମାନ ଚ୍ୟାଲେଞ୍ଜ ପ୍ରୋଜେକ୍ଟ’ର ସୂତ୍ରପାତ ହୋଇଛି ଯହିଁରେ ଅନେକ ‌ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ନିଜକୁ କୋଭିଡ୍-୧୯ ଭୂତାଣୁ ଦ୍ବାରା ସଂକ୍ରମିତ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି, ଯାହା ଫଳରେ ସେମାନଙ୍କ ଉପରେ ପ୍ରତିଷେଧକର ପରୀକ୍ଷଣ କରାଯାଇପାରିବ।

କିନ୍ତୁ ସ୍ବାଭାବିକ ଭାବେ ଏହା ଏକ ବିବାଦକୁ ସୃଷ୍ଟି କରିଛି। କାରଣ ଏହା ଦ୍ବାରା ଜଣେ ସୁସ୍ଥ ମଣିଷକୁ ବିପଦ ମଧ୍ୟକୁ ଠେଲି ଦିଆଯାଉଛି ବୋଲି ଅଭିଯୋଗ ହେଉଛି। ତଥାପି ଗବେଷକମାନେ କହନ୍ତି ଯେ ପ୍ରାକୃତିକ ଭାବେ ସଂକ୍ରମିତ ହେଉଥିବା ବ୍ୟକ୍ତିମାନଙ୍କ ଉପରେ ପରୀକ୍ଷା କରାଯିବା ବେଳେ ଯାହା ଦେଖିବାକୁ ମିଳୁଛି ତାହା ହେଲା, ଏହି ସଂକ୍ରମଣର ପ୍ରାବଲ୍ୟରେ ଅନେକ ସମୟରେ ସଂକ୍ରମିତଙ୍କ ଉପରେ ଦୃଷ୍ଟି ରଖି ଉପସଂହାରରେ ପହଞ୍ଚିବା ସମ୍ଭବପର ହେଉନାହିଁ। ପୁଣି ଯଦି କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ପୂର୍ବରୁ ଠିକ କରି ସେମାନଙ୍କ ଉପରେ ପରୀକ୍ଷଣ କରାଯିବାର ଉଦ୍ୟମ ହେବ, ତେବେ ସମସ୍ୟା ଏୟା ହେବ ଯେ ସେମାନେ ସମସ୍ତେ ପ୍ରାକୃତିକ ଭାବେ ସଂକ୍ରମିତ ହେବାକୁ ଅନେକ କାଳ ଅପେକ୍ଷା କରିବାକୁ ପଡ଼ିବ। ଅନେକ ସମୟ ଅପଚୟ ହେବ। ସୁତରାଂ, ବିଶ୍ବ କଲ୍ୟାଣ ଲାଗି ଏଭଳି ସ୍ବେଚ୍ଛାସେବୀଙ୍କ ଶରୀରରେ ଭୂତାଣୁ ପ୍ରବେଶ କରାଇ ପ୍ରତିଷେଧକ ପରୀକ୍ଷା କରାଯିବାର ଉଦ୍ୟମ ଆରମ୍ଭ ହେବା ଆବଶ୍ୟକ।

ବର୍ତ୍ତମାନ ପୃଥିବୀ ନିହାତି ଭାବେ ଏକ କରୋନା ପ୍ରତିଷେଧକ ଚାହେଁ। କିନ୍ତୁ ‘ହ୍ୟୁମାନ ଚ୍ୟାଲେଞ୍ଜ ପ୍ରୋଜେକ୍ଟ’ ଦ୍ବାରା ଅନେକଙ୍କ ଜୀବନ ବିପଦାପନ୍ନ ହୋଇପାରେ; ଅନେକ ମୃତ୍ୟୁ ମୁଖରେ ମଧ୍ୟ ପଡ଼ି ପାରନ୍ତି। କିନ୍ତୁ ଯଥାଶୀଘ୍ର ଏକ ପ୍ରତିଷେଧକ ଲାଭ କରିବା ସକାଶେ ଏହା ଏକ ଅତ୍ୟନ୍ତ ଅପ୍ରୀତିକର ଅଥଚ ଆବଶ୍ୟକ ପନ୍ଥା ଭଳି ମନେହୁଏ। ଯଦି ନିକଟରେ କରୋନା ପ୍ରତିଷେଧକ ଆବିଷ୍କୃତ ହୁଏ, ତେବେ ଏଭଳି ସ୍ବେଚ୍ଛାସେବୀମାନଙ୍କ ତ୍ୟାଗକୁ ବିଶ୍ବ ଜନସମାଜ କୃତଜ୍ଞତାର ସହିତ ସ୍ମରଣ କରିବା ଆବଶ୍ୟକ।

ମୋ: ୮୩୩୮୯୪୯୪୪୧

ସମ୍ବନ୍ଧିତ ଖବର