ଭୁବନେଶ୍ୱରର ଯୁକ୍ତ୨ କଲେଜର କଟ୍‌ ଅଫ୍‌ ମାର୍କ : ମୁହଁ ମୋଡ଼ିଲେ ମେଧାବୀ

ବିଜେବି କଲେଜ ପ୍ରତି ଆଗ୍ରହ କମୁଛି, ସେଲ୍ଫ ଫାଇନାନ୍ସିଂ କଲେଜର ଆଶାନୁରୂପ ନୁହେଁ

ଭୁବନେଶ୍ୱର : ମାଟ୍ରିକ୍‌ ପରେ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ଥାଏ ଭୁବନେଶ୍ବରରେ ରହି ପଢ଼ିବେ। ବିଜେବି ଜୁନିଅର କଲେଜ ହେଉ, ନ ହେଲେ ରମାଦେବୀ, ରାଜଧାନୀ, ବେସିକ୍‌ ସାଇନ୍ସ, ମହର୍ଷି କଲେଜ। ଏହାମଧ୍ୟରୁ ଯେକୌଣସି ଗୋଟିଏ କଲେଜରେ ସିଟ୍‌ ମିଳିଗଲେ ଭାଗ୍ୟ ବଦଳିଯିବ। କମ୍‌ ଖର୍ଚ୍ଚରେ ପଢ଼ିପାରିବେ। ଭଲ ରେଜଲ୍ଟ କରିବେ। ଭୁବନେଶ୍ବରରେ ରହି କୋଚିଂ ବି ନେଇପାରିବେ। ସବୁ ଅଭିଭାବକଙ୍କର ଏଭଳି ଧାରଣା ଥାଏ। ତେବେ ବିଗତ କିଛି ବର୍ଷ ହେଲା ସହରର ନାମକରା କଲେଜର ପାସ୍‌ହାର ଉତ୍ସାହଜନକ ହେଉ ନାହିଁ। ମେଧାବୀ ଛାତ୍ରଛାତ୍ରୀ ବି ବାହାରି ପାରୁନାହାନ୍ତି। ଯାହାର ସିଧାସଳଖ ପ୍ରଭାବ ଏ‌ଥର ନାମଲେଖା ଉପରେ ପଡ଼ିଛି। ବିଜ୍ଞାନ ଓ ବାଣିଜ୍ୟ ବିଭାଗ କଟ୍‌ ଅଫ୍‌ ମାର୍କରେ ସବୁବେଳେ ଆଗରେ ରହୁଥିବା ବିଜେବି ଜୁନିଅର କଲେଜର କଟ୍‌ ଅଫ୍‌ ମାର୍କ ଏଥର ହ୍ରାସ ପାଇଛି।

ରେଭେନ୍ସା କଲେଜ ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଥିବା ବେଳେ ବିଜେବି ପଛରେ ରହିଛି। ବିଜେବି ଜୁନିଅର କଲେଜର କଟ୍‌ ଅଫ୍‌ ମ‌ାର୍କ କଳା, ବିଜ୍ଞାନ ବିଭାଗରେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ବାଣିଜ୍ୟରେ ତୃତୀୟ ସ୍ଥାନରେ ରହିଛି। ବିଜ୍ଞାନ ବିଭାଗର ଶ୍ରେଷ୍ଠ ୧୦ କଟ୍‌ ଅଫ୍‌ ମାର୍କ ତାଲିକାରେ ବିଜେବି ବ୍ୟତୀତ ବେସିକ୍‌ ସାଇନ୍ସ କଲେଜ ରହିଥିବା ବେଳେ କଳାରେ ରମାଦେବୀ ମହିଳା ଜୁନିଅର କଲେଜ ଓ ବାଣିଜ୍ୟ ବିଭାଗରେ ରାଜଧାନୀ କଲେଜ ରହିଛି। ଆଉ କୌଣସି ବି କଲେଜ ଶ୍ରେଷ୍ଠ ୧୦ କଟ୍‌ ଅଫ୍‌ ମାର୍କ ତାଲିକାରେ ସ୍ଥାନ ପାଇପାରି ନାହାନ୍ତି।

ଆଶ୍ଚର୍ଯ୍ୟର ବିଷୟ, ବିଜ୍ଞାନରେ ଭଲ ରେଜଲ୍ଟ କରୁଥିବା ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକର କଟ୍‌ ଅଫ୍‌ ମାର୍କ ଆଶାନୁରୂପ ନୁହେଁ। ବିଜ୍ଞାନ ବିଭାଗର ଶ୍ରେଷ୍ଠ ୧୦ କଟ୍‌ ଅଫ୍‌ ମାର୍କ ତାଲିକାରେ ରାଜ୍ୟର ଅନ୍ୟାନ୍ୟ ସହରର ସେଲ୍ଫ ଫାଇନାନ୍ସିଂ କଲେଜ ରହିଥିଲେ ମଧ୍ୟ ଭୁବନେଶ୍ବର କଲେଜ ନାଁ ନାହିଁ। ଏମିତିକି ଚଳିତବର୍ଷ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳରେ ସର୍ବାଧିକ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଥିବ‌ା କଲେଜର କଟ୍‌ ଅଫ୍‌ ମାର୍କ ୬୦%ରୁ କମ୍‌ ରହିଛି। କେତେକ ନାମକରା ସେଲ୍ଫ ଫାଇନାନ୍ସିଂ କଲେଜର କଟ୍‌ ଅଫ୍‌ ମାର୍କ ୫୦ ପ୍ରତିଶତରୁ ଆହୁରି କମ୍‌ ରହିଥିବା ଦେଖିବାକୁ ମିଳିଛି। ତେବେ ସବୁ କଲେଜର ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ୨୦୧୯ ତୁଳନାରେ ୨ରୁ ୬% ପର୍ଯ୍ୟନ୍ତ କମ୍‌ ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର