ରାଜ୍ୟର ୧୦% କରୋନା ରୋଗୀ ରାଜଧାନୀରୁ

୨୫୩ ପଜିଟିଭ୍, ୨୯୯ ସୁସ୍ଥ, କରୋନା ମୃତ୍ୟୁ ବଢ଼ୁଛି, ଦିନକରେ ୪ ମୃତ

ଭୁବନେଶ୍ୱର : ରାଜଧାନୀରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଆଜି ଦିନକରେ ୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା ହୋଇଛି। ଫଳରେ ଭୁବନେଶ୍ବରରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି। ଗତ ୧୫ ଦିନରେ ରାଜଧାନୀରେ ୩୧ଜଣ ସରକାରୀ ଭାବେ ପ୍ରାଣ ହରାଇ ସାରିଲେଣି। ଯେହେତୁ କରୋନାରେ ପ୍ର‌ାଣ ହରାଉଥିବା ରୋଗୀଙ୍କ ସରକାରଙ୍କ ପକ୍ଷରୁ ଡେଥ୍ ଅଡିଟ୍ କରାଯାଉଛି, ତେଣୁ ଏସବୁ ମୃତ୍ୟୁ କିଛିଦିନ ତଳର ବୋଲି ଆଶଙ୍କା କରାଯାଉଛି।

ରାଜଧାନୀରେ ଏବେ ନିୟମିତ ଭାବେ ସଂକ୍ରମଣ ୩ଶହ ତଳକୁ ରହୁଛି। ଗତ ୨୪ଘଣ୍ଟାରେ ୨୫୩ ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ରୋଗୀଙ୍କ ସଂଖ୍ୟା ରାଜଧାନୀରେ ୨୬,୫୩୬କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାର ୬୨ ପ୍ରତିଶତ ରୋଗୀ ଓ ରାଜ୍ୟର ସମୁଦାୟ ସଂକ୍ରମଣ ୧୦ ପ୍ରତିଶତ ରୋଗୀ କେବଳ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଛନ୍ତି। ୨୫୩ ଆକ୍ରାନ୍ତଙ୍କ ମଧ୍ୟରୁ ୭୩ଜଣ ସଙ୍ଗରୋଧରୁ ଓ ୧୮୦ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ଥାନୀୟ ସଂକ୍ରମିତରେ ଲକ୍ଷ୍ମୀସାଗରରେ ସର୍ବାଧିକ ୧୩ଜଣ ଚିହ୍ନଟ ହୋଇଛନ୍ତି।, ପଟିଆ, ସହିଦ ନଗର, ନୀଳାଦ୍ରିବିହାର, ପଳାଶୁଣୀ, ପୋଖରୀପୁଟ, ପାତ୍ରପଡ଼ା, ଆଇଆରସି ଭିଲେଜ, ଜଗମୋହନ ନଗର, ଖଣ୍ଡଗିରି, ରଘୁନାଥପୁର, ରଙ୍ଗମାଟିଆ ଓ ଅନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ବାହାରିଛନ୍ତି। ସଙ୍ଗରୋଧରୁ ୟୁନିଟ୍‌-୯, କଳିଙ୍ଗ ନଗର, ଜାଗମରା, ଗୌତମ ନଗର, ଗଜପତି ନଗର, ଗାଡ଼କଣ ଓ ଅନ୍ୟ ଅଞ୍ଚଳରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଗତ ୨୪ ଘଣ୍ଟାରେ ୨୯୯ଜଣ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୩,୧୬୬କୁ ବୃଦ୍ଧି ପାଇଛି। ରାଜଧାନୀରେ ସୁସ୍ଥ ହାର ୮୭ ପ୍ରତିଶତ ରହିଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୨୨୨କୁ ଖସି ଆସିଛି।

ବାଲିଅନ୍ତାରେ ପୁଣି ୪ ପଜିଟିଭ୍‌
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ ଆଜି ପୁଣି ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ସୁପରଭାଇଜର କରୋନା ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ୩ ଜଣ ସାତକାଣିଆ ଓ ଅଟଳା ଭ୍ରାମ୍ୟମାଣ ପରୀକ୍ଷା କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ନିୟମିତ ବ୍ୟବଧାନରେ ଯାଞ୍ଚ କରିବାକୁ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର