ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ପୁଞ୍ଜିଲାଲ ବିରୋଧରେ କ’ଣ ରହିଛି ପ୍ରମାଣ?

ଏହି ଲୋମଟାଙ୍କୁରା ଘଟଣାରେ ଯଥା ସମ୍ଭବ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଚାହିଁଥିଲା ପୁଞ୍ଜିଲାଲ। ହାଇପ୍ରୋଫାଇଲ ମାମଲାରେ ମାସେରୁ ଅଧିକ ସମୟ ଧରି ବଲାଙ୍ଗିର ପୁଲିସ କୌଣସି ସୁରାକ୍ ନ ପାଇବାରୁ ୨୦୧୮ ମାର୍ଚ୍ଚ ୨୫ ତାରିଖରେ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତକୁ ଆସିଥିଲା। ପୂରା ଅନ୍ଧାରରେ ଥିବା ଏହି ମାମଲା କେଉଁଠୁ ତଦନ୍ତ ଆରମ୍ଭ ହେବ ସେ ନେଇ ବ୍ଲୁ ପ୍ରିଣ୍ଟ ତିଆରି କରୁଥିବା ବେଳେ ଗୋଟିଏ ଚିଠି ହିଁ ମାମଲା ଉପରୁ ରହସ୍ୟ ଉଠାଇବା ପାଇଁ ଯଥେଷ୍ଟ ହୋଇଥିଲା।

ଏପ୍ରିଲ ୪ ତାରିଖରେ ବଲାଙ୍ଗିରର ତତ୍କାଳୀନ ଏସପି କେ. ଶିବା ସୁବ୍ରମଣିଙ୍କ ପାଖକୁ ଏକ ବେନାମୀ ଚିଠି ଆସିଥିଲା। ଯେଉଁଥିରେ ଉଲ୍ଲେଖ ଥିଲା ‘ଅଯଥା ସାଧାରଣ ଲୋକଙ୍କୁ ହଇରାଣ କରାଯାଉଛି, ପୁଲିସ ପ୍ରେମ ସମ୍ପର୍କ ଦିଗକୁ ଯାଇ ତଦନ୍ତ କରୁ’। ଏହି ବେନାମୀ ଚିଠି କ୍ରାଇମବ୍ରାଞ୍ଚର ସନ୍ଦେହ ପରିସରକୁ ଆସିଥିଲା। ଯେହେତୁ ପୁଞ୍ଜିଲାଲକୁ ହଟାଯିବା ପରେ ସୌମ୍ୟଶେଖରଙ୍କ ମା’ ସଞ୍ଜୁକ୍ତା ସାହୁ ପାଟଣାଗଡ଼ର ଜ୍ୟୋତି ବିକାଶ କଲେଜ ଅଧ୍ୟକ୍ଷା ହୋଇଥିଲେ। ତା’ ପରଠାରୁ ପୁଞ୍ଜିଲାଲ ସହ ବିବାଦ ଦେଖା ଦେଇଥିବା ଘଟଣା ତଦନ୍ତ ପରିସରକୁ ଆସି ସାରିଥିଲା, ପୁଞ୍ଜିଲାଲଙ୍କୁ ମଧ୍ୟ ପଚରାଉଚରା କରା ଯାଇଥିଲା। ଏହା ପରେ କ୍ରାଇମବ୍ରାଞ୍ଚ ଟିମ୍ ଉକ୍ତ ଚିଠିକୁ ଧରି ସମ୍ପୃକ୍ତ କଲେଜରେ ପହଞ୍ଚିଥିଲା। କିଛି କର୍ମଚାରୀଙ୍କୁ ଦେଖାଇବା ପରେ ଏହି ଲେଖା ଷ୍ଟାଇଲ ପୁଞ୍ଜିଲାଲର ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା। ପୁଞ୍ଜିଲାଲକୁ କ୍ରାଇମବ୍ରାଞ୍ଚ ଅଟକ ରଖି ମାରାଥନ୍ ପଚରାଉଚରା ପରେ ସବୁ ସ୍ବୀକାର କରିଥିଲା। ତା’ ଘରୁ ଜବତ ଲାପଟପ୍, ପ୍ରିଣ୍ଟର ଓ ପେନ୍‌ଡ୍ରାଇଭ ଏବଂ ଏସ୍‌ପିଙ୍କ ପାଖକୁ ଲେଖା ଯାଇଥିବା ଚିଠିକୁ ଗୁଜରାଟ ଗାନ୍ଧୀନଗରସ୍ଥିତ ଫରେନସିକ୍ ଲାବରେଟୋରିକୁ ପଠା ଯାଇଥିଲା। ପ୍ରିଣ୍ଟରରୁ ସେହି ଚିଠି ପ୍ରିଣ୍ଟ କରା ଯାଇଥିବା ଫୋରେନସିକ୍ ଲାବରେଟୋରି ପରୀକ୍ଷାରୁ ସ୍ପଷ୍ଟ ହୋଇଥିଲା।

ଚିଠି ପଠା ଯାଇଥିବା ଲଫାପା ସହ ଘରୁ ମିଳିଥିବା ଲଫାଫା ଏବଂ ଏସ୍‌ପିଙ୍କ ପାଖକୁ ଯାଇଥିବା ଚିଠି ଲଫାପାରେ ଲାଗିଥିବା ଅଠା ଓ ପୁଞ୍ଜିଲାଲ ଘରୁ ଜବତ ଅଠାର ମଧ୍ୟ ଫରେନସିକ୍ ଲାବରେଟୋରିରେ ମେଳ ଖାଇଥିଲା। ପାର୍ସଲ ବୋମା ତିଆରି କରିବା କୌଶ​ଳ ନିଜ ଲାପଟପ୍ ୟୁଟ୍ୟୁବରୁ ଶିଖିଥିଲା। ୟୁଟ୍ୟୁବ୍ ସର୍ଚ୍ଚ ହିଷ୍ଟ୍ରିରୁ ମଧ୍ୟ ପାର୍ସଲ ବୋମା ତିଆରି ଭିଡିଓ ମିଳିଥିଲା। କଲେଜରୁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଯାଇ ସେଠାରେ ବାଇକ୍ ରଖିବାର ରସିଦ୍ ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିଥିଲା। ରାୟପୁରକୁ ଯାଇ ପ୍ରଥମେ ଯେଉଁ କୋରିଅର ସଂସ୍ଥାରୁ ପାର୍ସଲ ବୋମ ପଠାଇବାକୁ ଚେଷ୍ଟା କରିଥିଲା ତାହାର କର୍ମଚାରୀ ଟିଆଇ(ଚିହ୍ନଟ) ପରେଡରେ ପୁଞ୍ଜିଲାଲକୁ ଚିହ୍ନଟ କରିଥିଲେ। ଦ୍ବିତୀୟରେ ଏକ ଅଟୋରେ ଅନ୍ୟ ଏକ କୋରିଅର ସଂସ୍ଥାକୁ ଯାଇଥିଲେ। ବାହାରେ ଛିଡ଼ା ହୋଇ ଅଟୋଚାଳକକୁ ପାର୍ସଲ କୋରିଅର ପାଇଁ ପଠାଇଥିଲେ। ଅଟୋରେ ବସିଥିବା ବେଳେ ସେହି କୋରିଅର ସଂସ୍ଥାର ମାଲିକ ପୁଞ୍ଜିଲାଲକୁ ଦେଖିଥିବା ଟିଆଇ ପରେଡରେ କହିଥିଲେ। ବୋମା ତିଆରି କରିବା ସମୟରେ ବ୍ୟବହୃତ ବାଣର କାଗଜ ଓ ଅନ୍ୟ ଅଂଶକୁ ତାଙ୍କ ଘର ବାହାରେ ଥିବା ଡଷ୍ଟବିନରେ ପୋଡ଼ି ଦେଇଥିଲେ ପୁଞ୍ଜିଲାଲ୍। ଘଟଣାସ୍ଥଳରେ ବିସ୍ଫୋରଣ ପରେ ମିଳିଥିବା ବାରୁଦ, ପାଉଁଶକୁ ସଂଗ୍ରହ କରାଯିବା ସହ ଡଷ୍ଟବିନରେ ଲାଗିଥିବା ପାଉଁଶକୁ ରାଜ୍ୟ ଫରେନସିକ୍ ଲାବରେଟୋରିରେ ପରୀକ୍ଷା କରା ଯାଇଥିଲା। ସେଠାରେ ମଧ୍ୟ ସେଗୁଡ଼ିକ ମେଳ ହୋଇଥିବା ରିପୋର୍ଟ ରହିଛି। ଖାଲି ସେତିକି ନୁହେଁ ଏକ ଡେମୋ ଭିଡିଓ ମଧ୍ୟ ରହିଛି। ପୁଞ୍ଜିଲାଲ ବିରୋଧରେ ଏତେ ସବୁ ପ୍ରମାଣ ଏକାଠି କରିଛି କ୍ରାଇମବ୍ରାଞ୍ଚ। ଯାହା ଜଣଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ ଯଥେଷ୍ଟ ହେବ।

ସମ୍ବନ୍ଧିତ ଖବର