ଜବରଦଖଲରୁ ଶିଶୁପାଳଗଡ଼କୁ ବଞ୍ଚାଯାଉ, ଏଏସ୍‌ଆଇ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ଭେଟିଲା ବିଜେପି ପ୍ରତିନିଧିଦଳ

ଭୁବନେଶ୍ୱର: ଐତିହାସିକ ଶିଶୁପାଳଗଡ଼ରେ ଅନେକ ପୁରାତନ ମଠ, ମନ୍ଦିର ଓ ଐତିହ୍ୟ ଭରି ରହିଛି। ଅନେକ ସ୍ଥାନରେ ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ ପକ୍ଷରୁ ଆବିଷ୍କାର ଓ ସଂରକ୍ଷଣ କାମ ଚାଲିଛି। ହେଲେ ରାଜ୍ୟ ସରକାର ସୌନ୍ଦର୍ଯ୍ୟୀକରଣ ନାମରେ ଜମି ଜବରଦଖଲ କରୁଛନ୍ତି। ଫଳରେ ବହୁ ପୁରାତନ ଐତିହାସିକ ଢାଞ୍ଚା ଓ କଳାକୃତି ନଷ୍ଟ ହେଉଛି। ତେଣୁ ଶିଶୁପାଳଗଡ଼କୁ ସଂରକ୍ଷଣ କରିବା ପାଇଁ ବିଜେପିର ଏକ ପ୍ରତିନିଧିଦଳ ଆଜି ଏଏସ୍‌ଆଇ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କ ନିକଟ‌ରେ ଦାବି କରିଛି।

ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଶିଶୁପାଳଗଡ଼ର ୨ହଜାରରୁ ଊର୍ଧ୍ବ ବର୍ଷର ପରମ୍ପରାକୁ ସଂରକ୍ଷଣ କରିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ହେଲେ ଅନିୟନ୍ତ୍ରିତ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକ୍ରମ ନାମରେ ରାଜ୍ୟ ସରକାର ସେଠାରେ ଜମି ଜବରଦଖଲ କରୁଛନ୍ତି। ଜମି ମାଫିଆଙ୍କ ମଧ୍ୟ ରାଜ ଚାଲିଛି। ଫଳରେ ବିଭିନ୍ନ ଐତିହାସିକ ମଠ, ମନ୍ଦିରଗୁଡ଼ିକ ଉପରେ ବିପଦ ଘନେଇଛି। ଏଣୁ ଏଏସ୍‌ଆଇ ରାଜ୍ୟ ସରକାରଙ୍କୁ ସେଠାରେ କୌଣସିପ୍ରକାର କାମ କରିବାକୁ ମନା କରୁ ବୋଲି ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି।
ଏହା ପରେ ବିଜେପିର ପ୍ରତିନିଧିଦଳ ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଶୁକଶାରି ମନ୍ଦିର ପରିସର ବୁଲି ସେଠାରେ ହେଉଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ରାଜ୍ୟ ସରକାରଙ୍କ ଏଭଳି ଅନିୟନ୍ତ୍ରିତ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକ୍ରମ ଯୋଗୁଁ ଏବେ ଶୁକଶାରି ମନ୍ଦିର ପାଖରେ ଥିବା ଶିବଲିଙ୍ଗ ଆଘାତପ୍ରାପ୍ତ ହୋଇଛି। ତେଣୁ ଏଏସ୍‌ଆଇ ଅଧୀନରେ ଥିବା ଶିଶୁପାଳଗଡ଼ ଏବଂ ଲିଙ୍ଗରାଜ ମନ୍ଦିର ପାଖ ଶୁକଶାରି ମନ୍ଦିର ଆଦି ସମ୍ବେଦନଶୀଳ ଐତିହାସିକସ୍ଥଳରେ ରାଜ୍ୟ ସରକାର ହସ୍ତକ୍ଷେପ ନ କରିବା ପାଇଁ ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି।

ଏହି ପ୍ରତିନିଧିଦଳରେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ରାଜ୍ୟ ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା, ଆଇନଜୀବୀ ବିଶ୍ୱରଂଜନ ପଟ୍ଟନାୟକ, ତପନ କୁମାର ନାୟକ, ବିପିନ ଭୂଷଣ ବଳିଆରସିଂହ, ସତ୍ୟବ୍ରତ ନାୟକ, ମୁରଲୀ ମନୋହର ପାତ୍ର, ମଦନମୋହନ ପ୍ରଧାନ ଓ ଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର