ଓଡ଼ିଶାର ସନ୍ଥସାଧକ ପରମ୍ପରାରେ ସ୍ୱତନ୍ତ୍ର ଆସନର ଅଧିକାରୀ ହେଉଛନ୍ତି ଅଭିରାମ ପରମହଂସ ଦେବ। ସେ ପ୍ରେମ ଓ ଭକ୍ତି, ଜ୍ଞାନ ଓ ଯୋଗ, ନାମ ଓ ବ୍ରହ୍ମକୁ ଆଧାର କରି ରାଶି ରାଶି ଭକ୍ତିଗୀତି ରଚନା କରିଛନ୍ତି। ୧୯୦୪ ମସିହା ଜାନୁଆରୀ ୧୮ତାରିଖ, ତ୍ରିବେଣୀ ଅମାବାସ୍ୟା ତିଥିରେ ତାଙ୍କର ଆବିର୍ଭାବ। ପୁରୀ ଜିଲ୍ଲାର ବ୍ରହ୍ମଗିରି ଥାନା ଅନ୍ତର୍ଗତ କରମଳା ନିକଟ ଭୋଇପଡ଼ା ତାଙ୍କର ଜନ୍ମପୀଠ। ସେ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିରାମ ପରମହଂସଙ୍କ ରଚିତ ‘ଗଜେନ୍ଦ୍ର ସ୍ତୁତି’ରେ ଭାଗବତର ଗଜଉଦ୍ଧାରଣ ପ୍ରସଙ୍ଗ ବର୍ଣ୍ଣିତ। ପାଣ୍ଡ୍ୟ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ଅଗସ୍ତି ମୁନିଙ୍କ ଅଭିଶାପରେ ହୋଇଛନ୍ତି ଗଜ ଏବଂ ଦେବଳ ମୁନିଙ୍କ ଅଭିଶାପରେ ହୁହୁ ଗନ୍ଧର୍ବ ହୋଇଛନ୍ତି କୁମ୍ଭୀର। ସରୋବରରେ ଜଳପାନ କରୁଥିବା ବେଳେ ଗଜକୁ କୁମ୍ଭୀର ଧରିଛି। ଗଜର ସ୍ତୁତିରେ ନାରାୟଣ ଆବିର୍ଭାବ ହୋଇ କୁମ୍ଭୀରକୁ ମାରି ତା’କୁ ଉଦ୍ଧାର କରିଛନ୍ତି ଏବଂ ଉଭୟଙ୍କୁ ଶାପରୁ ମୁକ୍ତ କରିଛନ୍ତି। ‘ଗଜେନ୍ଦ୍ର ସ୍ତୁତି’ରେ ମାନବ ଶରୀରକୁ ଅରଣ୍ୟ, ଉଦରକୁ ସରୋବର, ଜୀବକୁ ଗଜ ଓ ବିଭିନ୍ନ ରୋଗକୁ କୁମ୍ଭୀର ରୂପେ ଅଭିରାମ ଚିତ୍ରଣ କରିଛନ୍ତି। ଗଜ ଅର୍ଥାତ୍ ଜୀବ ମାୟାରେ ଆଚ୍ଛନ୍ନ ହୋଇ ମୂର୍ଖବୁଦ୍ଧି ଧରିଲେ ରୋଗରୂପୀ କୁମ୍ଭୀର କବଳରେ ପଡ଼େ। ଜୀବରୂପୀ ଗଜର ଚୈତନ୍ୟ ଉଦୟ ହେଲେ ସେ ଐଶୀଶକ୍ତିର ଶରଣାପନ୍ନ ହୁଏ। ତା’ର କାତର ପ୍ରାର୍ଥନାରେ ଚେତନା ରୂପୀ ସୁଦର୍ଶନ ଚକ୍ରଦ୍ୱାରା ଭଗବାନ ରୋଗ ରୂପୀ କୁମ୍ଭୀରକୁ ବିନାଶ କରିଥାନ୍ତି। ଜୀବନର ଅଭୀଷ୍ଟ ପୂରଣ ଯୋଗୁଁ ଜୀବ ଲାଭ କରେ ପରମ ଆନନ୍ଦ। ଅଭିରାମ ଲେଖିଛନ୍ତି-
“ଦେଖିଲା ନିର୍ମଳ ଶରୀର ନିରୋଗ ହୋଇଅଛି।
ସର୍ବେନ୍ଦ୍ରିୟମାନେ ଆନନ୍ଦ ସୀମା ନାହିଁ ତା କିଛି।।
ନୟନ ଯୁଗଳୁ ଆନନ୍ଦ ଅଶ୍ରୁ ଯାଉଛି ବହି।
ନିର୍ଝର କନ୍ଦରୁ ବହିଣ ଆସୁଅଛି କି ନଈ।।
ଗଜଉଦ୍ଧାରଣ ମୂରତି ନେତ୍ରେ ରହିଛି ଲାଖି।
ଅନ୍ତର ବାହ୍ୟରେ ଦିଶନ୍ତି ପଦ୍ମପଳାଶ ଆଖି।।”
ଅଭିରାମଙ୍କ ବିଚାରରେ ନିର୍ମଳ ଓ ନିରୋଗ ଶରୀର ହିଁ ଦିବ୍ୟଦୃଷ୍ଟି ଓ ପରମ ଆନନ୍ଦର ଅଧିକାରୀ ହୋଇଥାଏ।