ଝାରପଡ଼ା ଜେଲରେ ମିଳିବ ଘଣା ସୋରିଷ ତେଲ: ପୂର୍ବରୁ ପ୍ରସ୍ତୁତ ହେଉଥିଲା ଅଟା, ବେସନ, ହଳଦୀ, ମାଣ୍ଡିଆ

୨୩ କଏଦୀ ଦେବେ ଇଗନୋ ପରୀକ୍ଷା

ଭୁବନେଶ୍ବର: ଏବେ ଝାରପଡ଼ା ଜେଲ୍‌ରେ କଏଦୀଙ୍କ ହାତତିଆରି ଘଣା ସୋରିଷ ତେଲ ମିଳିବ। ଏଥିପାଇଁ ଜେଲ ପରିସରରେ ସୋରିଷ ତେଲ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯାଇଛି। ଏହି କାମରେ ନିୟୋଜିତ ହେବାକୁ ଥିବା କଏଦୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ୧ ଲିଟର ବୋତଲରେ ତେଲ ପ୍ୟାକିଂ କରାଯାଇ ବିକ୍ରୟ କରାଯିବ। ଏହାର ଦାମ୍ ୨୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆସନ୍ତା ୧୦ତାରିଖରୁ ଏହି ୟୁନିଟ୍ କାର୍ଯ୍ୟକ୍ଷମ ହେବ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାଦ୍ବାରା ଲୋକ ବିଶୁଦ୍ଧ ସାମଗ୍ରୀ ପାଇବା ସହ ଏହାର ଲାଭାଂଶ କଏଦୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି ଜେଲ୍ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ହଳଦୀ, ବେସନ, ଅଟା, ମାଣ୍ଡିଆ ପ୍ରସ୍ତୁତ ୟୁନିଟ୍‌ କରାଯାଇ ପ୍ରାୟ ୧ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ବିକ୍ରି ହୋଇସାରିଲାଣି।

୨୩ କଏଦୀ ଦେବେ ଇଗନୋ ପରୀକ୍ଷା
ଭୁବନେଶ୍ବର: ଝାରପଡ଼ା ଜେଲର ୨୩ ବିଚାରାଧୀନ କଏଦୀ ଆସନ୍ତାକାଲି(ସୋମବାର) ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗନୋ) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ବିଷୟରେ ପରୀକ୍ଷା ଦେବେ। ଏ ସଂପର୍କରେ ଜେଲରେ ସ୍ବତନ୍ତ୍ର ପରୀକ୍ଷା କେନ୍ଦ୍ର କରାଯାଇଛି। ଡିପ୍ଲୋମା ଇନ୍ ଟୁରିଜିମ୍, ଡିପ୍ଲୋମା ଇନ୍ ଫୁଡ୍ ନ୍ୟୁଟ୍ରିସନ୍, ଡିପ୍ଲୋମା ଇନ୍ ହସ୍ପିଟାଲିଟି ମ୍ୟାନେଜମେଣ୍ଟ ଆଦି ପାଠ୍ୟକ୍ରମରେ କଏଦୀମାନେ ପରୀକ୍ଷା ଦେବେ ବୋଲି ଝାରପଡ଼ା ଜେଲ ଅଧୀକ୍ଷକ ଡି.ଏନ୍ ବାରିକ ସୂଚନା ଦେଇଛନ୍ତି। ଦୁଇଟି ସିଫ୍ଟ (ଦିନ ୧୦ଟାରୁ ୧ଟା ଏବଂ ୧ଟାରୁ ୪ଟା ପର୍ଯ୍ୟନ୍ତ)ରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର ଅଧଘଣ୍ଟା ପୂର୍ବରୁ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପ୍ରଶ୍ନପତ୍ର ପହଞ୍ଚିବ। ଜେଲ୍ ଅଧିକାରୀ ଇନଭିଜିଲେଟର୍‌ ରହିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର