ସୁପ୍ରିମକୋର୍ଟରେ କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ଆନ୍ଧ୍ର ନାଁରେ ଅଦାଲତ ଅବମାନନା ମାମଲା ରୁଜୁ: ଶୁଣାଣି ଆଜି

ଜୟପୁର: ୨୦୦୬ମସିହାରୁ ସୁପ୍ରିମକୋର୍ଟ ନିର୍ଦେଶରେ ସ୍ଥିତବସ୍ଥା ଲାଗିରହିଥିବା କୋଟିଆ ଗ୍ରାମପୁଂଜର ତିନୋଟି ଗାଁରେ ଆନ୍ଧ୍ରର ଅନୁପ୍ରବେଶ କରି କରୁଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ବିରୋଧ କରି ଓଡିଶା ସରକାର ଗତ କାଲି ମାନ୍ୟବର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ସୁପ୍ରିମ କୋର୍ଟର ମୁଖ୍ୟବିଚାରପତି ଶାରଦ ଅରବିନ୍ଦ ଭୋବଡ଼େ ଏହି ମାମଲାର ଆବେଦନପତ୍ରକୁ ଗ୍ରହଣ କରିଛନ୍ତି।

ଆସନ୍ତାକାଲି ଏହି ଅଦାଲତ ଅବମାନନା ମାମଲାର ଶେଷ ଶୁଣାଣି (ଫାଇନାଲ ହିଅରିଙ୍ଗ) ବୋଲି ସୂଚନା ଦେଇଛନ୍ତି ସରକାରଙ୍କ ଓକିଲ ଶିବରାମ ମିଶ୍ର ଓ ଜୟପୁର ଜିଲ୍ଲା ଦୌରାଜଜ୍ କୋର୍ଟର ସରକାରୀ ଓକିଲ ବିଷ୍ଣୁପ୍ରସାଦ ପାତ୍ର।

ମିଳିଥିବା ସୂଚନା ଅନୁଯାୟୀ, ୧୯୬୮ମସିହା ଡିସେମ୍ବର ୨ତାରିଖରେ କୋଟିଆ ଗ୍ରାମପୁଂଜର ୨୧ଟି ଗାଁର ବିବାଦକୁ ନେଇ ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ମାନ୍ୟବର ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି ମାନ୍ୟବର ସୁପ୍ରିମ କୋର୍ଟ ୩୦.୩. ୨୦୦୬ମସିହାରେ କରି ସ୍ଥିତବସ୍ଥା ବଜାୟ ରଖିବାକୁ ଓଡିଶା ଓ ଆନ୍ଧ୍ରକୁ ନିର୍ଦେଶ ଦେଇଥିଲେ।

ଗତ ୨୦୧୯ମସିହାରେ ହୋଇଥିବା ସାଧାରଣ ନିର୍ବାଚନ ବେଳେ କୋରାପୁଟର ତତ୍କାଳୀନ ଜିଲ୍ଲାପାଳ ଆନ୍ଧ୍ର ପ୍ରଦେଶ ବିଜୟନଗରମ ଜିଲ୍ଲାପାଳଙ୍କ ସହ ଏନେଇ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ବି ଆଲୋଚନା କରିଥିଲେ। ଉଭୟ ସୀମନ୍ତରେ ସହଯୋଗମୂଳକ ତଥା ସୌହାର୍ଦପୂର୍ଣ୍ଣ ବାତାବରଣରେ ନିର୍ବାଚନ କରିବାକୁ ନିଷ୍ପତି ହୋଇଥିଲା। ସେତେବେଳେ ୨୧କୋରାପୁଟ ସଂସଦୀୟ ଓ ୧୪୫ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ସହ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବି ଏଠାରେ ଶାନ୍ତି ଶୃଙ୍ଖଳାର ସହ ହୋଇଥିଲା।

ତେବେ ସଂପ୍ରତି ପୁଣି ତ୍ରିସ୍ତରୀୟ ନିର୍ବାଚନ ବେଳେ ଆନ୍ଧ୍ରର ଅନୁପ୍ରବେଶ କୋର୍ଟର ନିର୍ଦେଶନାମାର ବିରୋଧଚାରଣ। ଦେଶର ସର୍ବୋଚ୍ଚ ନ୍ୟାୟଳାୟ ଏଭଳି ନିର୍ଦେଶ ନାମା ଜାରି କରିବା ପରେ ଏଭଳି ଅବମାନନା କରିବା ଠିକ ନୁହେଁ ବୋଲି କହିଛନ୍ତି ଓଡିଶାର ଓକିଲ ଶ୍ରୀ ମିଶ୍ର।

ଆସନ୍ତାକାଲି ଅଦାଲତ ଅବମାନନା ମାମଲାର ଶେଷ ଶୁଣାଣି ରହିଥିବା କହିଛନ୍ତି ସରକାରୀ ଓକିଲ ଶ୍ରୀ ମିଶ୍ର ଓ ଶ୍ରୀ ପାତ୍ର। ୨୦୦୬ସ୍ଥିତବସ୍ଥା ଜାରି ହେବା ପରେ ଓଡିଶା କିମ୍ବା ଆନ୍ଧ୍ରପ୍ରଦେଶ ଏହି ପ୍ରସଙ୍ଗକୁ ନେଇ ସମ୍ବିଧାନରେ ବି କେବେ ଉଠାଇ ନାହାନ୍ତି। ଏହି ପ୍ରସଙ୍ଗ ଉଠାଇଥିଲେ ସମ୍ବିଧାନ ଏହି ସମସ୍ୟାର ସମାଧାନ କରି ପାରିଥାନ୍ତା ବୋଲି ଏମାନେ କହିଛନ୍ତି। ଆସନ୍ତାକାଲିକୁ ମାନ୍ୟବର ସୁପ୍ରିମକୋର୍ଟ କ’ଣ ନିର୍ଦେଶନାମା ଜାରି କରୁଛନ୍ତି ତାହାକୁ ନେଇ ଉତ୍କଣ୍ଠାର ସହ ଅଞ୍ଚଳବାସୀ ଅପେକ୍ଷାରେ ରହିଛନ୍ତି।

ସମ୍ବନ୍ଧିତ ଖବର