ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିବା ଅଭିଯୁକ୍ତ ଗିରଫ, ଘରୁ ୪ ଫୁଟ୍‌ ଲମ୍ବର ଦୁଇଟି ଖଣ୍ଡା ଜବତ

ନୂଆଦିଲ୍ଲୀ: ଗତ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଆନ୍ଦୋଳନରତ ଚାଷୀମାନଙ୍କ ଦ୍ବାରା ଆୟୋଜିତ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ଦେଖାଦେଇଥିବା ହିଂସାକାଣ୍ଡ ପରିପ୍ରେକ୍ଷୀରେ ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିବା ଅଭିଯୁକ୍ତ ମନିନ୍ଦର ସିଂହକୁ ଦିଲ୍ଲୀର ପିତମ୍‌ପୁରା ଇଲାକାରୁ ପୁଲିସର ଏକ ସ୍ବତନ୍ତ୍ର ଦଳ ଗିରଫ କରିଛି। ଏଥି ସହିତ ସ୍ବରୂପ ନଗର ସ୍ଥିତ ତା’ ଘରୁ ଦୁଇଟି ୪ ଫୁଟ୍‌ ଲମ୍ବର ଖଣ୍ଡା ମଧ୍ୟ ଜବତ ହୋଇଛି। ପୁଲିସ ସୂଚନାନୁସାରେ, ଗିରଫ ୩୦ ବର୍ଷୀୟ ମନିନ୍ଦର ଘଟଣା ଦିନ ଲାଲକିଲ୍ଲାରେ କର୍ତ୍ତବ୍ୟରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କୁ ଅତି ନୃଶଂସ ଭାବେ ଆକ୍ରମଣ କରିବା ଲାଗି ଖଣ୍ଡା ବୁଲାଇ ଅସାମାଜିକ ତତ୍ତ୍ବମାନଙ୍କୁ ଉସୁକାଇଥିଲା।

ତା’ର ଏହି ଖଣ୍ଡାବୁଲା ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସେ ହିଁ ପୁଲିସ ନଜରରେ ଜଣେ ଦୁର୍ଦ୍ଦାନ୍ତ ବା ‘ମୋଷ୍ଟ ଵାଣ୍ଟେଡ୍‌’ ଅପରାଧୀ ହୋଇ ରହିଥିଲା। ଜଣେ ଏସି ମେକାନିକ୍‌ ଭାବେ ଜୀବିକା ନିର୍ବାହ କରୁଥିବା ମନିନ୍ଦର ନିଜ ଘର ପାଖରେ ମଧ୍ୟ ଏକ ଖଣ୍ଡା ପ୍ରଶିକ୍ଷଣ ସ୍କୁଲ ଖୋଲିଥିବା ଜଣାଯାଇଛି। ବିଭିନ୍ନ ଫେସବୁକ୍‌ ପୋଷ୍ଟ୍‌ରୁ ବିଭିନ୍ନ ଗୋଷ୍ଠୀ ସମ୍ପର୍କରେ ଜାଣିବାକୁ ପାଇ ସେ ଏପରି କଠୋରପନ୍ଥୀ ହୋଇଯାଇଛି ବୋଲି ପୁଲିସକୁ କହିଛି।

ସମ୍ବନ୍ଧିତ ଖବର