ଉଦ୍‌ଯାପିତ ହେଲା ‘ଗୁରୁ ପଙ୍କଜ ଉତ୍ସବ’ : ରମା ବୈଦ୍ୟନାଥନ୍‌ଙ୍କୁ ‘ମାହାରୀ ସମ୍ମାନ’

ଭୁବନେଶ୍ବର : ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ‘ଗୁରୁ ପଙ୍କଜ ଉତ୍ସବ’ ଓ ମାହାରୀ ସମ୍ମାନ ସମାରୋହ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଭାରତନାଟ୍ୟମ୍‌ ନୃତ୍ୟବିଦୁଷୀ ରମା ବୈଦ୍ୟନାଥନ୍‌ଙ୍କୁ ସମ୍ମାନଜନକ ‘ମାହାରୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦଙ୍କୁ ତାଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ସ୍ମୃତିଫଳକ ପ୍ରଦାନ କରାଯାଇଛି। ଏହି ଅବସରରେ ବିଦୁଷୀ ବୈଦ୍ୟନାଥନ୍‌ଙ୍କ ଭାରତନାଟ୍ୟମ୍‌ ନୃତ୍ୟ ଦର୍ଶକଙ୍କୁ ଆମୋଦିତ କରିଥିଲା। ପରେ ନୃତ୍ୟଶିଳ୍ପୀ ଶ୍ରୀଦତ୍ତା ଭୋଳ ଶ୍ରୀଗୀତଗୋବିନ୍ଦ ଆଧାରିତ ଅଷ୍ଟପଦୀ ‘ପଶ୍ୟତି ଦିଶିଦିଶି’ରେ ନୃତ୍ୟାଭିନୟ କରିଥିଲେ। ନୃତ୍ୟଶିଳ୍ପୀ ଅନୀ‌‌ଷା ସିହ୍ନା ବସନ୍ତ ପଲ୍ଲବୀ ସହ ଅଷ୍ଟପଦୀ ‘ଲଳିତ ଲବଙ୍ଗ ଲତା ପରିଶୀଳନ’ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ଶେଷରେ ତେଜସ୍ବିନୀ ପଲାଇଙ୍କର ‘ନାଚନ୍ତି ରଙ୍ଗେ ଶ୍ରୀହରି’ ପ୍ରେକ୍ଷାଳୟ‌ରେ ଭକ୍ତିରସ ଭରି ଦେଇଥିଲା।

ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ଗୁରୁ ଶରତ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରତିଷ୍ଠାନର ଅଧ୍ୟକ୍ଷ ବଟ୍ଟକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୁରୁ ସୁହାଗ ନଳିନୀ ଦାସ, ସିଦ୍ଧାନ୍ତ ଶିଳାଦିତ୍ୟ ଦାସ, ନୃତ୍ୟଶିଳ୍ପୀ କଲ୍ୟାଣୀ ସାହୁ ଓ ସୁରେଶ ଘଡ଼େଇ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର