ରାଜଧାନୀକୁ ବାତ୍ୟା ଚିନ୍ତା

ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତ, ଅନୁପସ୍ଥିତ ରହିପାରିବେନି ଅଧିକାରୀ

ବିଭିନ୍ନ ବିଭାଗ ସହ ଆଲୋଚନା କଲେ କମିସନର

ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ବାତ୍ୟା ୟସ୍ ପ୍ରଭାବରେ ଭୁବନେଶ୍ବରରେ ବର୍ଷା ପବନ ହେବାର ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ବାତ୍ୟା ହେଲେ ଏହାର ଯେପରି ସଫଳ ମୁକାବିଲା କରିହେବ ଏବଂ ତୁରନ୍ତ ଜନଜୀବନ ସ୍ବାଭାବିକ ହୋଇପାରିବ ସେଥିପାଇଁ ବିଏମ୍‌ସିର ପ୍ରସ୍ତୁତି ଆରମ୍ଭ ହୋଇଛି। ବିଏମ୍‌ସି କମିସନର ସଂଜୟ ସିଂହ ଶନିବାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବାତ୍ୟା ପୂର୍ବରୁ କିଏ କ’ଣ କରିବେ, ବାତ୍ୟା ପରେ କିଏ କ’ଣ କରିବେ, କିପରି ବିଏମ୍‌ସି ଦ୍ବାରା ସବୁ କାର୍ଯ୍ୟ ପରିଚାଳିତ ହେବ, ଅଧିକ ଜନଜୀବନ କ୍ଷତି ହେବନି ସେନେଇ ଆଲୋଚନା କରିଛନ୍ତି।

ବିଏମ୍‌ସି କମିସନର ଶନିବାର ୱାଟ୍‌କୋ, ଅଗ୍ନିଶମ ବିଭାଗ, କମିସନ‌ରେଟ୍ ପୁଲିସ, ଟିପିସିଓଡିଏଲ୍‌ ଏବଂ ବିଏମ୍‌ସିର ଅଧିକାରୀମାନଙ୍କ ସହ ଅନଲାଇନ୍ ମୋଡରେ ଆଲୋଚନା କରିଛନ୍ତି। ଏହାସହ କୁହାଯାଇଛି ଯେ ବାତ୍ୟା ଭଳି ଜରୁରୀକାଳୀନ କାର୍ଯ୍ୟ ଯୋଗୁଁ ଯେଉଁ ବିଭାଗର ଅଧିକାରୀମାନେ କାର୍ଯ୍ୟରେ ରହିବେ ବୋଲି କୁହାଯାଇଛି, ସେମାନେ ୨୪ ଘଣ୍ଟା କାର୍ଯ୍ୟରେ ଉପସ୍ଥିତ ରହିବେ। ଯେଉଁମାନେ ଅବହେଳା କରିବେ ବା ଅନୁପସ୍ଥିତ ରହିବେ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଡ୍ରେନ୍ ସଫେଇ ଜୋରଦାର୍ କଲା ପୂର୍ତ୍ତ ବିଭାଗ
ଭୁବନେଶ୍ବର : ବାତ୍ୟା ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ହୋଇପାରେ। ଏହାକୁ ନଜରରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ୍ ସଫେଇ ଜୋରଦାର୍ କରାଯାଇଛି। ପୂର୍ତ୍ତ ବିଭାଗ ଅଧୀନରେ ରାଜଧାନୀରେ ପ୍ରାୟ ୫୦୦ କିମିର ଡ୍ରେନ୍ ଥିବା ବେଳେ ବିଭିନ୍ନ ଅଞ୍ଚଳରେ ସଫେଇ ଆରମ୍ଭ ହୋଇଛି। ଆଜି ରସୁଲଗଡ଼, କଟକ ରୋଡ୍‌, ଷ୍ଟେସନ୍‌ ଅଞ୍ଚଳ, ପଳାସୁଣି, ଲକ୍ଷ୍ମୀସାଗର, କଳ୍ପନା ଆଦି ସ୍ଥାନରେ ଡ୍ରେନ୍ ସଫା ହେଉଥିବା ଦେଖିବାକୁ ମିଳିଥିଲା।

ତୁରନ୍ତ ବିଦ୍ୟୁତ ସଂଯୋଗ ଦିଆଯିବ
ବାତ୍ୟା ଯୋଗୁଁ ବିଦ୍ୟୁତ ସେବା ପ୍ରଭାବିତ ହେବାର ଅଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିପାରେ ତେଣୁ ଏହାର ତୁରନ୍ତ ମରାମତି କରିବା ପାଇଁ ଟିପିସିଓଡିଏଲ୍‌ କର୍ତ୍ତପୃକ୍ଷଙ୍କୁ କୁହାଯାଇଛି। ୨୪ରୁ ୪୮ଘଣ୍ଟା ମାଧ୍ୟରେ ରାଜଧାନୀର ବିଦ୍ୟୁତ ସେବା ସ୍ବାଭାବିକ କରିବାକୁ ଟିପିସିଓଡିଏଲ୍‌କୁ କୁହାଯାଇଛି। ଯେପରି ସମସ୍ତ କୋଭିଡ ହସ୍ପିଟାଲ ଏବଂ ଜରୁରୀକାଳୀନ ସେବା କେନ୍ଦ୍ରରେ କମ୍‌ ସମୟ ମଧ୍ୟରେ ସେବା ସ୍ବାଭାବିକ ହେବ ସେନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି।

୨୭ଟି ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହେବ ପମ୍ପ
ରାଜଧାନୀରେ ପୂର୍ବରୁ ୫୨ଟି ସମ୍ବେଦନଶୀଳ ସ୍ଥାନ ଥିବାବେଳେ ବିଏମ୍‌ସି ପକ୍ଷରୁ କ‌େତେକ ସ୍ଥାନରେ ଡ୍ରେନ୍ ନିର୍ମାଣ କରାଯାଇଛି। ତେଣୁ ଏଠାରେ ବର୍ଷାଜଳ ନିଷ୍କାସନ ସମସ୍ୟା ନାହିଁ। କିଛି କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ଅଛି। ହେଲେ ବାତ୍ୟା ପ୍ରଭାବରେ ୨୪ତାରିଖରୁ ରାଜଧାନୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ୨୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି। ସେଠାରେ ବିଏମ୍‌ସି ପମ୍ପ, ଅଗ୍ନିଶମ ବିଭାଗ ପମ୍ପ ଓ ଭଡ଼ାରେ ଆସିବାକୁ ଥିବା ପମ୍ପ ମୁତୟନ ହେବ। ବିଏମ୍‌ସିର ସୂଚନା ଅନୁଯାୟୀ ରାଜଧାନୀର ୨୭ଟି ସମ୍ବେଦନଶୀଳ ସ୍ଥାନ ହେଉଛି- ଅହଲ୍ୟା ନଗର, ହରିଦାସପୁର ମୁସଲିମ୍‌ ସାହି, ହଂସପାଳ ଭୋଇସାହି, ନହରକଣ୍ଟା ଭୋଇସାହି, ନୂଆପାଟଣା, ମଙ୍ଗଳା ମନ୍ଦିର, ଗଜପତି ନଗର, ମେ’ଫେୟାର ଜ୍ୟୋତ୍ସା ଆପାର୍ଟମେଣ୍ଟ ଓ ଘନଶ୍ୟାମ ଆପାର୍ଟମେଣ୍ଟ, ପବିତ୍ର ଗେଷ୍ଟ ହାଉସ୍, ଶ୍ରୀରାମ ସିଟି, ଜିଜିପି କଲୋନି, ବାସୁଦେବ ନଗର, ରସୁଲଗଡ଼ ଶବର ସାହି, ବୈରାଗୀ ନଗର, ଗାୟତ୍ରୀ ନଗର, ଝାରପଡ଼ା ଶାନ୍ତିନଗର, ନୂଆପଲ୍ଲୀ ବେହେରା ସାହି, ତାରିଣୀ ମନ୍ଦିର, ଭୋଇ ସାହି, ଲକ୍ଷ୍ମୀସାଗରର ମଳିଅନ୍ତା ପୋଖରୀ ନିକଟ, ଚମ୍ପା ପୋଖରୀ, ପ‌ାଇକ ନଗର, ଗଧିଆଖାଲ, ଅଢେଇ ଖାଲ, ପାଣ୍ଡବ ନଗର, ସବ୍‌ ଇଣ୍ଡଷ୍ଟ୍ରି ପଛପାର୍ଶ୍ବ ଗଳି, ଗୌରୀ ନଗର, ଗୌରୀ ଗାର୍ଡେନ୍, ପଞ୍ଚସଖା ନଗର, ଜଗ‌‌ମୋହନ ନଗର, ଗ୍ରିନ୍ ପାର୍କ ଅଞ୍ଚଳ।

ସମ୍ବନ୍ଧିତ ଖବର