ଭାରତୀୟ ଚିକିତ୍ସା ଇତିହାସର ଏକ ବିରଳ ମୁହୂର୍ତ୍ତ, ଜନ୍ମନେଲେ ୪ଟି ଲକ୍ଷ୍ମୀ ଆଉ ମୁଁ ହେଲି ମାମୁ : ସବ୍ୟସାଚୀ ମିଶ୍ର

କଟକ : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଶନିବାର ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପ୍ରସୂତିଙ୍କର ବନ୍ଧ୍ୟା ଦୋଷ ସହ ଥାଲାସେମିଆ, କ୍ରେକ, ରକ୍ତହୀନତା, ଜଣ୍ତିସ ଆଦି ଅନେକ ରୋଗ ରହିଥିଲା। ଏହାସତ୍ତ୍ବେ ତାଙ୍କର ସାଧାରଣ ପ୍ରସବ କରାଯାଇଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର କର ସୂଚନା ଦେଇଛନ୍ତି। ଏହା ଏସସିବିରେ ଏକ ବିରଳ ଘଟଣା ବୋଲି ଚର୍ଚ୍ଚା ହେଉଛି।

ଏହି ଘଟଣାକୁ ନେଇ ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି, କିଛି ଦିନ ପୂର୍ବରୁ ମୋ ପାଖକୁ ଭଞ୍ଜନଗର ଶରଣକୁଳରୁ ଏକ  ଖବର ସାମ୍ନାକୁ ଆସିଥିଲା। ଅତ୍ୟଧିକ ଦାରିଦ୍ର୍ୟ ମଧ୍ୟରେ ଜଣେ  ଗର୍ଭବତୀ ମହିଳା ସଂଘର୍ଷ କରୁଥିଲେ। ତାଙ୍କ ଗର୍ଭରେ ୪ ଟି ଭ୍ରୁଣ (ଶିଶୁ) ବଢ଼ୁଥିଲେ। ପରିସ୍ଥିତିକୁ ଅନୁଭବ କରି ସେମାନଙ୍କର ଆର୍ଥିକ ଅବସ୍ଥାକୁ ଦେଖି ମୁଁ ଏକ ମେଡିକାଲ ଟିମ୍ ସହିତ ଏକ ଘରୋଇ ଆମ୍ବୁଲାନ୍ସର ବ୍ୟବସ୍ଥା କରି ତାଙ୍କୁ  କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲି। ଏସସିବିରେ ହୋଇଥିବା ପରୀକ୍ଷଣରୁ ଜଣାପଡ଼ିଥିଲା କି ମହିଳା ଜଣକଙ୍କ ବନ୍ଧ୍ୟା ଦୋଷ ସହ ଚିକଲ ସେଲିଡିଡ, ଥାଲାସେମିଆ, କ୍ରେକ, ରକ୍ତହୀନତା, ଜଣ୍ତିସ ଆଦି ଅନେକ ରୋଗରେ ପୀଡ଼ିତ।

ଏସସିବି ମେଡିକାଲ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଥିଲା। ସ୍ତ୍ରୀ ରୋଗ ଓ ପ୍ରସୂତି, ରକ୍ତ ବିଭାଗ, ଯକୃତ ବିଭାଗ ମିଳିତ ଭାବେ ଏକ ବହୁମୁଖୀ ଉପାୟ ଅବଲମ୍ବନ କରି ୪ଶିଶୁଙ୍କ ସମେତ ମା’ର ଜୀବନ ବଞ୍ଚାଇ ଦେଇଛନ୍ତି। ଡାକ୍ତର ତୁଷାର କର (ଏଚଓଡି, ସ୍ତ୍ରୀ ରୋଗ ବିଭାଗ, ଏସସିବି)ଙ୍କ ନେତୃତ୍ୱରେ ଡାକ୍ତରଙ୍କ ଦଳ ଏହି ଚମତ୍କାରକୁ ସମ୍ଭବ କରିପାରିଛନ୍ତି। ଇଶ୍ବରଙ୍କ କୃପାରୁ ୪ଜଣ ଶିଶୁ କନ୍ୟା ଓ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି |

ଏହା ସମ୍ଭବ କରିପାରିଥିବା ଡାକ୍ତର ତୁଷାର କର, ଡାକ୍ତର କୀର୍ତ୍ତୀରେଖା ମହାପାତ୍ର, ଡାକ୍ତର ରଞ୍ଜିତା ଘଡେଇ, ଡାକ୍ତର ସତ୍ୟବାନ ଜେନା ଏବଂ ଅନ୍ୟାନ୍ୟ ଡାକ୍ତରୀ କର୍ମଚାରୀଙ୍କୁ ଅଶେଷ ଧନ୍ୟବାଦ। ସମସ୍ତ ମାର୍ଗଦର୍ଶନ ପାଇଁ ଡାକ୍ତର ଦେବାଶିଷ ରାୟଙ୍କୁ ମଧ୍ୟ ସବ୍ୟସାଚୀ ଧନ୍ୟବାଦ ଜଣାଇଛନ୍ତି ।

ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାଶ, ଡାକ୍ତର ଅଜୟ କୁମାର ତ୍ରିପାଠୀ, ରେଡ କ୍ରସ୍ ବ୍ଲଡ ବ୍ୟାଙ୍କ କଟକ, ଏସସିବି ବ୍ଲଡ ବ୍ୟାଙ୍କ, ସ୍ମାଇଲ ପ୍ଲିଜ ସ୍ୱେଚ୍ଛାସେବୀ ବିଭୂତି କୁମାର ରାୟ ଏସବୁ ପ୍ରକ୍ରିୟାକୁ ସହଜ କରିଥିବାରୁ ଋଣୀ ବୋଲି ସବ୍ୟସାଚୀ କହିଛନ୍ତି। ମା ଏବଂ ଶିଶୁ କନ୍ୟାମାନଙ୍କୁ ଆଶୀର୍ବାଦ କରିବାକୁ ସବ୍ୟସାଚୀ ଅନୁରୋଧ କରିଛନ୍ତି। ଏଥିସହ ସେ କହିଛନ୍ତି ଏହି ୪ ଝିଅ ହେଲେ ଲକ୍ଷ୍ମୀ ଏବଂ ସେ ହେଲେ ସେମାନଙ୍କ ମାମୁ।

ସୂଚନାଯୋଗ୍ୟ ଯେ, ବୀରେନ୍ଦ୍ର ନାୟକ ଓ ପତ୍ନୀ ଛବିତାଙ୍କ ଘର ଭଞ୍ଜନଗର ଡିହପଡା ଅଞ୍ଚଳରେ। ଛବିତା ଗର୍ଭବତୀ ଥିବାରୁ ପ୍ରସବ ନିମନ୍ତେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପ୍ରଥମେ ନିଆଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଭିନେତା ସବ୍ୟସାଚୀଙ୍କ ସହାୟତାରେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ସେ ଗତ ବୁଧବାର ଏସସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ।

ଶନିବାର ଅପରାହ୍ନରେ ଛବିତାଙ୍କ ଅସହ୍ୟ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଲେବର ରୁମକୁ ନିଆଯାଇଥିଲା। ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର କରଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ତାଙ୍କର ପ୍ରସବ କରାଇଥିଲେ। ମହିଳା ଜଣକ ୪ଟି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ ସେମାନଙ୍କ ଓଜନ ଭିନ୍ନ ଭିନ୍ନ ରହିଛି।

ପ୍ରଥମ ଶିଶୁର ଓଜନ ୧ କିଲୋ ହୋଇଥିବା ବେଳେ ଦ୍ବିତୀୟ ଶିଶୁର ୮୦୦ ଗ୍ରାମ, ତୃତୀୟ ଶିଶୁ ୬୫୦ ଗ୍ରାମ ଓ ଚତୁର୍ଥ ଶିଶୁର ଓଜନ ୪୦୦ ଗ୍ରାମ ରହିଛି। ଛବିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ନବଜାତକ ଶିଶୁ ପରିପକ୍ବ ନଥିବାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି। ନବଜାତକଙ୍କୁ ପ୍ରସୂତି ବିଭାଗର ଆଇସିୟୁରେ ଚିକିତ୍ସା କରାଯାଉଛି। ଆବଶ୍ୟକ ପଡିଲେ ଶିଶୁ ମାନଙ୍କର ଅଧିକ ଚିକିତ୍ସା ଲାଗି ଶିଶୁଭବନକୁ ପଠାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର