ଝାରପଡ଼ା‌ରେ ହେବ ଚିଲ୍‌ଡ୍ରେନ୍‌ ଟ୍ରାଫିକ୍‌ ଟ୍ରେନିଂ ପାର୍କ: ପିଲାଙ୍କୁ ଦିଆଯିବ ଟ୍ରାଫିକ୍‌ ଶିକ୍ଷା

ଅଡିଟୋରିୟମ୍‌ରେ ପ୍ରଦର୍ଶନ ହେବ ନିୟମାବଳୀ ଭିଡିଓ

ଭୁବନେଶ୍ବର: ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ଯେଭଳି ବଢ଼ିବାରେ ଲାଗିଛି, ତାହା ସାଧାରଣ ଲୋକଙ୍କ ସମେତ ପୁଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଯୋଗୁଁ ପ୍ରତିବର୍ଷ ଦୁର୍ଘଟଣାରେ ହଜାର ହଜାର ଜୀବନ ଅକାଳରେ ଚାଲି ଯାଉଛି, ଅନେକେ ବିକଳାଙ୍ଗ ହୋଇଯିବା ସହ ଧନସଂପତ୍ତି କ୍ଷୟ ହେଉଛି। ନିୟମ ଯେତେ କଡ଼ା କଲେ ବି ଅମାନିଆଙ୍କୁ ନିୟନ୍ତ୍ରଣ କରି ହେଉନି। ୨୦୨୦ ମସିହାରେ ଦେଢ଼ ଲକ୍ଷରୁ ଊର୍ଧ୍ବ ଓ ଚଳିତବର୍ଷ ଏକ ଲକ୍ଷରୁ ଊର୍ଧ୍ବ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଚାଲାଣ କଟାଯିବାରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି। ଦୁର୍ଘଟଣାକୁ ରୋକିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ଟ୍ରାଫିକ୍‌ ସଚେତନତା ଜାରି ରହିଥିବା ବେଳେ ଏବେ କମିସନରେଟ୍‌ ପୁଲିସ ଆଉ ଏକ ନିଆରା ପଦକ୍ଷେପ ନେଇଛି।

ଛାତ୍ରଛାତ୍ରୀମାନଙ୍କୁ ପିଲା ବେଳୁ ଟ୍ରାଫିକ୍‌ ନିୟମ ସଂପର୍କରେ ସଚେତନ କରିବାକୁ ପୁଲିସ ଅଣ୍ଟା ଭିଡ଼ିଛି। ଏଥିପାଇଁ ଝାରପଡ଼ାରେ ଥିବା ସହରାଞ୍ଚଳ ପୁଲିସ ଏବଂ ଯାତାୟାତ ପ୍ରଶିକ୍ଷଣ ଅନୁଷ୍ଠାନ ପରିସରରେ ଚିଲ୍‌ଡ୍ରେନ୍‌ ଟ୍ରାଫିକ୍‌ ଟ୍ରେନିଂ ପାର୍କ ନିର୍ମାଣ ହେବ। ଏଠାରେ ସହରର ଟ୍ରାଫିକ୍‌ ଢ଼ାଞ୍ଚାରେ ଏକ ମଡେଲ୍‌ ତିଆରି କରାଯିବ। ଯେଭଳି ରାସ୍ତାରେ ଟ୍ରାଫିକ୍‌ ସାଇନ୍‌ବୋର୍ଡ, ସିଗ୍‌ନାଲ୍‌ ଲାଇଟ୍‌, ଜେବ୍ରା କ୍ରସିଂ ରହେ, ଅବିକଳ ସେମିତି ପ୍ରସ୍ତୁତ କରାଯିବ। ସେଠାରେ ବ୍ୟାଟେରି ଚାଳିତ କାର୍‌ ଓ ବାଇକ୍‌ ମଧ୍ୟ ରଖାଯିବ। ପିଲାମାନେ ସେହି ଗାଡ଼ିଗୁଡ଼ିକୁ ଟ୍ରାଫିକ୍‌ ନିୟମ ମୁତାବକ ହେଲ୍‌ମେଟ୍‌ ଓ ସିଟ୍‌ବେଲ୍ଡ ପିନ୍ଧି ଗାଡ଼ି ଚଳାଇବେ। ଗାଡ଼ି ଚଳାଇବା ସମୟରେ କେଉଁ ଲାଇଟ୍‌ ଜଳିଲେ ଗାଡ଼ି ଚାଲିବ ଓ କେଉଁ ଲାଇଟ୍‌ରେ ଗାଡ଼ି ଜେବ୍ରା କ୍ରସିଂ ପୂର୍ବରୁ ରହିବ, ଟ୍ରାଫିକ୍‌ ଅଧିକାରୀମାନେ ସେଠାରେ ଉପସ୍ଥିତ ରହି ସେମାନଙ୍କୁ ଶିକ୍ଷା ଦେବେ।

ସେହିପରି ଏକ ଅଡିଟୋରିୟମ୍‌ ନିର୍ମାଣ ହେବ। ସେଠାରେ ଟ୍ରାଫିକ୍‌ ନିୟମକୁ ନେଇ ନିର୍ମିତ ବିଭିନ୍ନ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ସେଠାରେ ମଧ୍ୟ ସହରର ଏକ ଅବିକଳ ଟ୍ରାଫିକ୍‌ ମଡେଲ୍‌ ରଖାଯାଇ ପିଲାଙ୍କୁ ସମସ୍ତ ନିୟମ ଉପରେ ଶିକ୍ଷା ଦିଆଯିବ। ଟ୍ରାଫି୍‌କ ନିୟମ ସମ୍ବଳିତ କେତେକ ଖେଳର ମଧ୍ୟ ବ୍ୟବସ୍ଥା କରାଯିବ। ପ୍ରତି ସ୍କୁଲ ପିଲାଙ୍କୁ ପାଳି କରି ତାଲିମ୍‌ ଦିଆଯିବ। ଏହି ପ୍ରକଳ୍ପ ପାଇଁ କୋଟିଏରୁ ଊର୍ଧ୍ବ ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସହରାଞ୍ଚଳ ପୁଲିସ ଏବଂ ଯାତାୟାତ ପ୍ରଶିକ୍ଷଣ ଅନୁଷ୍ଠାନ ଅଧ୍ୟକ୍ଷ ଆଇପିଏସ୍‌ ସତୀଶ ଗଜ୍‌ଭିୟେ କହିଛନ୍ତି।

ସମ୍ବନ୍ଧିତ ଖବର