ଶ୍ରୀଲିଙ୍ଗରାଜଙ୍କ ଜମି ବିବାଦକୁ ନେଇ ରାଜନୀତି, ଘଟଣାସ୍ଥଳରେ ଜିଲ୍ଲା ବିଜେପିର ବିକ୍ଷୋଭ

ବିଧାୟକ ପାଣ୍ଠିରୁ ରାସ୍ତା ନିର୍ମାଣ ଅଭିଯୋଗ ଆଣିଲା ବିଜେପି
ବିରୋଧୀ ତଥ୍ୟଭିତ୍ତିକ ପ୍ରମାଣ ଦିଅନ୍ତୁ: ମନ୍ତ୍ରୀ

ଭୁବନେଶ୍ବର : ଶ୍ରୀ ଲିଙ୍ଗରାଜଙ୍କ ଜମି ହଡ଼ପ ପ୍ରତିବାଦରେ ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସମ୍ପୃକ୍ତ ଜମି ଉପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୧ ଏକର ୧୧୫ ଡିସିମିଲ ଜମିକୁ ବେଆଇନ ଭାବେ ଜବରଦଖଲ କରାଯାଇଛି। ଜମି ମାଲିକ ବୋଲି ଦାବି କରୁଥିବା କିରୁଥିକା ପ୍ରଭାକରନ କୋର୍ଟଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରି ନିର୍ମାଣ କାମ ଜାରି ରଖିଥିଲେ ବୋଲି ବିଜେପି ଅଭିଯୋଗ କରିଛି।

ସେଠାରେ ୧୪୪ଧାରା ଜାରି କରା ଯାଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ପାଇଁ ଆସିଥିବା କଣ୍ଟେନର ସେଠାରେ ପଡ଼ି ରହିଛି। ତୁରନ୍ତ ଏହାକୁ ହଟାଇବାକୁ ସେମାନେ ଦାବି କରିଛନ୍ତି। ଏହାର ପ୍ରତିବାଦରେ ନିର୍ମାଣ ପାଇଁ ଖୋଳା ଯାଇଥିବା ଗାତକୁ ସେମାନେ ପୋତି ଦେଇଛନ୍ତି। ସେଠାରେ ଶ୍ରୀଲିଙ୍ଗରାଜଙ୍କ ଜମି ବୋଲି ହୋର୍ଡିଂ ମାରିଛନ୍ତି। କଣ୍ଟେନରରେ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ବୋଲି ଲେଖିଛନ୍ତି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମିର ସୁରକ୍ଷା ପାଇଁ ବିଜେପି ଲଢେଇ ଜାରି ରଖିବ। ଆଗକୁ ଏହି ଆନ୍ଦୋଳନ ବ୍ୟାପକ ହେବ ବୋଲି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଳା ବିଜେପି ସଭାପତି ବାବୁ ସିଂହ କହିଛନ୍ତି।
ଅନ୍ୟପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ବିଜେଡି ସରକାରକୁ ଦାୟୀ କରିଛନ୍ତି। ସରକାର ମହାପ୍ରଭୁଙ୍କ ଜମିକୁ ସୁରକ୍ଷା ଦେବା କଥା। ହେଲେ ଏଠାରେ ବାଡ଼ କ୍ଷେତ ଖାଉଛି ବୋଲି ସେ କହିଛନ୍ତି। ସରକାରଙ୍କୁ ହାତ କରି ମାଫିଆମାନେ ଜମି ହଡ଼ପ କରୁଥିବା ସେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିଜସ୍ୱ ବିଧାୟକ ପାଣ୍ଠିରୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ବିବାଦୀୟ ସ୍ଥାନକୁ ରାସ୍ତା ତିଆରି କରିଛନ୍ତି। ରାଜ୍ୟ ସରକାର ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ଉଚିତ ବୋଲି ସେ ଦାବି କରିଛନ୍ତି। ରାଜ୍ୟ ସରକାର ହୀନ ଚକ୍ରାନ୍ତରୁ ଓହରିଯାଇ ତୁରନ୍ତ ଏହି ଜମିକୁ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନାମରେ ନାମିତ କରନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପଟେ ମନ୍ତ୍ରୀ ଶ୍ରୀ ପଣ୍ଡା ମଧ୍ୟ ଏହାର କଡ଼ା ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଏଠାରେ ଖର୍ଚ୍ଚ ହୋଇନାହିଁ। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ତଥ୍ୟଗତ ପ୍ରମାଣ ସହ ଆସନ୍ତୁ। ଏଭଳି ଅଭିଯୋଗ କରି ନିଜର ସମ୍ମାନ ହରାନ୍ତୁ ନାହିଁ। ମହାପ୍ରଭୁଙ୍କୁ ନେଇ ରାଜ୍ୟ ସରକାର କେତେ ସଚେତନ ତାହା କହିବା ଆବଶ୍ୟକ ନାହିଁ। ଏକାମ୍ର କ୍ଷେତ୍ରରେ ହେଉଥିବା ଉନ୍ନତୀକରଣ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କର ମାନସ ସନ୍ତାନ। ମହାପ୍ରଭୁ କିମ୍ବା ତାଙ୍କ ସମ୍ପତ୍ତିକୁ ନେଇ ବିଜେଡି ସରକାରରେ କୌଣସି ପ୍ରକାରର ବୁଝାମଣା ଅସମ୍ଭବ। ଆଇନ ତା’ ବାଟରେ ଯିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ: କଂଗ୍ରେସ
ଭୁବନେଶ୍ବର : ଶ୍ରୀଲିଙ୍ଗରାଜଙ୍କ ଜମିକୁ ଜଣେ ବ୍ୟକ୍ତିଙ୍କ ନାଁରେ ବେଆଇନ ଭାବେ ରେକର୍ଡଭୁକ୍ତ ହେବା ଓ ରେକର୍ଡର ସଂଶୋଧନ ସହ କ୍ରାଇମବ୍ରାଞ୍ଚ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ୨୦୨୦ ମସିହାରେ ରାଜସ୍ବ ବିଭାଗର ପ୍ରମୁଖ ସଚିବ ‌ଖୋର୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ହେଲେ ଖୋର୍ଧା ଜିଲ୍ଲାପାଳ କ୍ରାଇମବ୍ରାଞ୍ଚ ନିକଟରେ କାହିଁକି ଅଭିଯୋଗ କଲେ ନାହିଁ। କାହାର ସୁରକ୍ଷା ଓ ନିର୍ଦ୍ଦେଶରେ ଏପରି କରାଗଲା ନାହିଁ। ଜଣେ ପ୍ରଭାବଶାଳୀ ଖଣି ମାଫିଆଙ୍କ ଦ୍ବାରା ଲିଙ୍ଗରାଜଙ୍କ ଜମି ହଡ଼ପ ଉଦ୍ୟମ ଯୋଗୁଁ ସେହି ବ୍ୟକ୍ତିଙ୍କୁ ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ ଗିରଫ କରିବା ଲାଗି ସାହସ କରିପାରିନାହିଁ। ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର ଏପରି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର