ମୁଣ୍ଡଳୀ ବ୍ରିଜ୍‌ରେ ସ୍କୁଟି ଛାଡ଼ି ଭୁବନେଶ୍ବରରେ ଯୁବକ

ରାତିସାରା ନଦୀରେ ଖୋଜିଲା ପୁଲିସ

ତ୍ରିଶୁଳିଆ: ଗତକାଲି ରାତିରେ ମୁଣ୍ତଳୀ ବ୍ରିଜ୍‌ରେ ଥୁଆ ହୋଇଥିବା ଏକ ସ୍କୁଟିକୁ ଦେଖିବା ପରେ କେହି ନଦୀକୁ ଡେଇଁ ଆତ୍ମହତ୍ୟା କରିଛି ବୋଲି ପ୍ରଚାର ହୋଇଯାଇଥିଲା। ରାତି ହେଲେ ବି ପୁଲିସ ଓ ଅଗ୍ନିଶମ ବାହିନୀ ନଦୀର କିଛି ସମ୍ଭାବ୍ୟ ସ୍ଥାନରେ ବହୁ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। ବଞ୍ଚିଥିବା‌ ଅବସ୍ଥାରେ ମିଳିଯିବା ଆଶାରେ ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜିଚାଲିଥିଲେ। ମାତ୍ର ସକାଳେ ଜଣାପଡ଼ିଲା ଭିନ୍ନ କଥା। ହଠାତ୍ ଖରାପ ହୋଇଯାଇଥିବା ସ୍କୁଟିକୁ ଛାଡ଼ି ଯୁବକଜଣକ ଭୁବନେଶ୍ବର ପଳାଇଥିଲେ ଓ ସକାଳୁ ଆସି ଗୋଡ଼ିସାହି ଫାଣ୍ଡିରେ ପହଞ୍ଚିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରୋଚକ ଚର୍ଚ୍ଚା ଚାଲିଛି।

ଘଟଣାଟି ଥିଲା ଏମିତି। ଅନୁଗୁଳ ଥାନା ସିମିଳିପଦାର ରଘୁରଞ୍ଜନ ମହାକୁଡ଼(୩୨) କୌଣସି କାମରେ ଭୁବନେଶ୍ବର ଯାଉଥିଲେ। ହଠାତ୍‌ ତାଙ୍କ ସ୍କୁଟିଟି ମୁଣ୍ତଳୀ ବ୍ରିଜ୍‌ର ଆଠଗଡ଼ ପଟ ଟୋଲ୍‌ଗେଟ ପାଖରେ ଖରାପ ହୋଇଯାଇଥିଲା। ରାତି ହୋଇଯାଇଥିବାରୁ ସେ ଭୟଭୀତ ହୋଇ ମହାନଦୀ ବ୍ରିଜ୍‌ ମୁଣ୍ତରେ ଗାଡ଼ିକୁ ରଖି ଦେଇ ଗ୍ୟାରେଜ୍‌ ଅନୁସନ୍ଧାନରେ କାହ‌ାରି ସହଯୋଗ ନେବାକୁ ଅପେକ୍ଷା କରିଥିଲେ। ରଘୁରଞ୍ଜନଙ୍କ କହିବା ଅନୁଯାୟୀ ସେ ଏକ ଟ୍ରକ୍‌କୁ ହାତ ଦେଖାଇ ଅଟକାଇଥିଲେ ଓ ଗ୍ୟାରେଜ୍‌ କଥା ପଚାରିଥିଲେ। ବ୍ରିଜ୍‌ ଆରପଟେ ଗ୍ୟାରେଜ୍‌ ଥିବା କହି ଟ୍ରକ୍‌ ଡ୍ରାଇଭର ତାଙ୍କୁ ସାଙ୍ଗରେ ନେଇଥିଲା। ତେବେ ତାଙ୍କୁ ଟ୍ରକ୍‌ ଭିତରେ ନିଦ ଲାଗିଯାଇଥିଲା ଓ ବରମୁଣ୍ତାରେ ନିଦ ଭାଙ୍ଗିଥିଲା। ସେଠାରୁ ସେ ଟ୍ରକ୍‌ରୁ ଓହ୍ଲାଇ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ସକାଳେ ସେ ମୁଣ୍ଡଳୀ ବ୍ରିଜ୍‌ରେ ପହଞ୍ଚି ସ୍କୁଟି ଖୋଜିବା ବେଳେ ପୁଲିସ ଗାଡ଼ି ଜବତ କରିଥିବା ଜାଣିବାକୁ ପାଇଥିଲେ। ପୁଲିସ ସୂଚନାନୁସାରେ ରଘୁରଞ୍ଜନର ଘରୁ ରାଗିକି ଚାଲିଆସିଥିବା ଜଣାପଡ଼ିଛି। ତେବେ ପରିବାର ଲୋକେ ଆସି ତାଙ୍କୁ ଫେରାଇ ନେଇଛନ୍ତି।

ସମ୍ବନ୍ଧିତ ଖବର