ପୁଅଝିଅ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ମହିଳା

ତିହିଡ଼ି: ପାରିବାରିକ କଳହକୁ କେନ୍ଦ୍ର କରି ଭଦ୍ରକ ପୀରହାଟ ଥାନା ଖେଦରପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ତାଙ୍କର ତିନି ପୁଅ, ଝିଅ ଓ ପତ୍ନୀ ମିଶି ଜଣେ ବ୍ୟକ୍ତିଙ୍କୁ ଶାବଳରେ ପିଟି ପିଟି ହତ୍ୟା କରିଛନ୍ତି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟିକରିଛି। ମୃତ ବ୍ୟକ୍ତି ହେଲେ ବାବୁଆ ଦାସ (୫୦)। ବାବୁଆ ଓ ତାଙ୍କ ପରିବାର ମଧ୍ୟରେ ବହୁଦିନରୁ କଳହ ଲାଗି ରହିଥିବାବେଳେ ଗତକାଲି ରାତିରେ ଏହା ଉଗ୍ରରୂପ ନେଇଥିଲା। ବାବୁଆଙ୍କୁ ତାଙ୍କ ପତ୍ନୀ ବାସନ୍ତୀ, ତିନି ପୁଅ ମଣ୍ଟୁଆ, ମାନିଆ, ସନିଆ ଓ ଝିଅ ସୁନ୍ଦରୀ ମିଶି ଶାବଳରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ବାବୁଆଙ୍କୁ ତାଙ୍କ ମାଆ ପ୍ରଥମେ ତିହିଡ଼ି ଡାକ୍ତରଖାନା, ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ବାବୁଆଙ୍କର ମୃତ୍ୟୁ ହୋଇଯାଇଥିଲା। ପୀରହାଟ ଥାନା ଆଇଆଇସି ଗୟାଧର ବେହେରା ଡାକ୍ତରଖାନାରେ ପହ‌ଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବାବୁଆଙ୍କ ମାଆ ବେଙ୍ଗ ଦାସଙ୍କ ଅଭିଯୋଗ ଆଧାରରେ ପୀରହାଟ ପୁଲିସ କେସ୍ ନଂ ୧୯୬/୨୨, ଆଇପିସି ୩୦୨, ୩୦୭, ୩୨୩, ୩୨୪, ୩୨୫, ୩୨୬, ୩୪୨, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ କରିଛି। ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଧରପଗଡ଼ ଚଳାଇଛି।

ସମ୍ବନ୍ଧିତ ଖବର