ବାଂଶପାଳରେ ଆଇଟିଆଇ ସ୍ଥାପନ ପାଇଁ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌-ରାଜ୍ୟ ସରକାର ଏମ୍‌ଓୟୁ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ବାଂଶପାଳଠାରେ ଏକ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ସ୍ଥାପନ ହେବ। ଏହାକୁ ମିଳିତଭାବେ ସ୍ଥାପନ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି। ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍ ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ ଏବଂ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ, କଟକ, ଓଡ଼ିଶାର ନିର୍ଦ୍ଦେଶକ ରେଘୁ ଜି.ଏମ୍‌ଓୟୁରେ ସ୍ୱାକ୍ଷର କରିଛନ୍ତି।

ଯୁବପିଢ଼ିଙ୍କ ବୈଷୟିକ ଜ୍ଞାନ ଓ କୌଶଳରେ ଉନ୍ନତି ଆଣିବାରେ ଏହା ସହାୟକ ହେବ। ପାଞ୍ଚବର୍ଷୀୟ ବୁଝାମଣାର ଅଂଶସ୍ୱରୂପ, ପ୍ରତିଷ୍ଠାନର କାର୍ଯ୍ୟକାରିତା, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ବୈଷୟିକ ଶିକ୍ଷା ଓ ତାଲିମ ମହାନିର୍ଦ୍ଦେଶାଳୟ ସହ ସହଯୋଗିତା ସ୍ଥାପନ କରିବ ଟାଟା ଷ୍ଟିଲ‌୍ ଫାଉଣ୍ଡେସନ୍‌। ଏହି ଅବସରରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ କହିଛନ୍ତି, ଶିକ୍ଷା ଓ ନିଯୁକ୍ତି ମଧ୍ୟରେ ରହିଥିବା ଅନ୍ତର ଦୂର ଲାଗି ଆମ ଦେଶରେ ଦକ୍ଷତା ବିକାଶ କ୍ଷମତାର ବ୍ୟାପକ ସମ୍ପ୍ରସାରଣର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର