ଭୁବନେଶ୍ୱର : ମାଛମାନଙ୍କ ପାଇଁ ଟିକାର ବିକାଶ ପାଇଁ ଇଣ୍ଡିଆନ୍ ଇମୁ୍ୟନୋଲୋଜିକାଲ୍ସ ଲିମିଟେଡ (ଆଇଆଇଏଲ) ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ଏକ ପ୍ରତିଷ୍ଠାନ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟଚାଷ ପ୍ରତିଷ୍ଠାନ (ସିଆଇଏଫ୍ଏ) ସହିତ ସହବନ୍ଧନ କରିଛି । ମଧୁର ଜଳ ମାଛରେ ଦେଖାଯାଉଥିବା ହେମୋରହାଜିକ ସେପ୍ଟିସେମିଆ ବା ଏରୋମୋନାସ୍ ସେପ୍ଟିସେମିଆ, ଅଲ୍ସର ରୋଗ ଅଥବା ରେଡ-ସୋର୍ ରୋଗ ବିରୁଦ୍ଧରେ ଲଢେଇ କରିବା ନିମନ୍ତେ ଏହି ଟିକାର ବ୍ୟବସାୟିକ ଉଦେ୍ଦଶ୍ୟରେ ବିକାଶ କରାଯିବ ।
Sambad is now on WhatsApp
Join and get latest news updates delivered to you via WhatsApp
ମଧୁର ଜଳ ମତ୍ସ୍ୟଚାଷ ଭାରତୀୟ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ମତ୍ସ୍ୟ କ୍ଷେତ୍ର ଦେଶରେ ପ୍ରାୟ ୨୮ ନିୟୁତ ଲୋକଙ୍କ ପାଇଁ ଜୀବିକା ଉପାର୍ଜନର ସାଧନ ହୋଇଛି । ବିଶ୍ୱସ୍ତରରେ ଭାରତ ତୃତୀୟ ସର୍ବବୃହତ ମତ୍ସ୍ୟ ଉତ୍ପାଦନକାରୀ ଏବଂ ଭାରତର ୬୫%ରୁ ଅଧିକ ପରିମାଣର ମାଛ ଭୂଭାଗରେ ଥିବା ଜଳାଶୟ ଏବଂ ମଧୁର ଜଳ ମତ୍ସ୍ୟଚାଷ ଦ୍ୱାରା ଉତ୍ପାଦିତ ହେଉଛି । ବିଶ୍ୱସ୍ତରରେ ମଧୁରଜଳ ମତ୍ସ୍ୟଚାଷ ପ୍ରତି ଦେଖାଦେଉଥିବା ମୁଖ୍ୟ ସମସ୍ୟା ହେଉଛି ରୋଗ ଏବଂ ମଧୁର ଜଳରେ ଚାଷ କରାଯାଉଥିବା ସମସ୍ତ ମାଛ ମଧ୍ୟରୁ ୨୦% ସଂକ୍ରାମକ ରୋଗ କାରଣରୁ ମୃତୁ୍ୟଘଟୁଥିବା ଆକଳନ କରାଯାଇଛି, ଯାହାଦ୍ୱାରା ବିଶ୍ୱସ୍ତରରେ ବାର୍ଷିକ ପ୍ରାୟ ୧୦ ବିଲିଅନ ଡଲାର ମୂଲ୍ୟର କ୍ଷତି ବୋଲି ହିସାବ କରାଯାଇଛି ।
ଏହି ଅବସରରେ ପ୍ରକାଶ କରି ଆଇଆଇଏଲର ପରିଚାଳନା ନିର୍ଦ୍ଦେଶକ ଡ.କେ ଆନନ୍ଦ କୁମାର, ମ୍ୟାନେଜିଂ ଡାଇରେକ୍ଟର, ଇଣ୍ଡିଆନ ଇମୁ୍ୟନୋଲୋଜିକାଲ୍ସ ଲିମିଟେଡ କହିଛନ୍ତି, “ଆଇଆଇଏଲ୍ ଭାରତରେ ପ୍ରଥମ ଥର ପାଇଁ ମାଛ ଟିକା ଉତ୍ପାଦନ କରିବାକୁ ଯାଉଛି । ପ୍ରଥମ ଭାବରେ ଏହା କରିବା ନେଇ ସମ୍ପୃକ୍ତ ଆହ୍ୱାନଗୁଡିକ ପ୍ରତି ଆମେ ସଚେତନ ରହିଛୁ, ତାହାର କାରଣ ହେଉଛି ଅନ୍ୟ ଅନେକ ଗୋସମ୍ପଦ ଟିକା ପ୍ରସ୍ତୁତି କ୍ଷେତ୍ରରେ ଆମେ ନିୟୋଜିତ ରହିଛୁ । ଭାରତରେ ମତ୍ସ୍ୟ ଟିକାର ବ୍ୟବସାୟିକ ବିକାଶ ନିମନ୍ତେ ମାର୍ଗ ନିରୂପଣ କ୍ଷେତ୍ରରେ ଆମେ ବିଭିନ୍ନ ଦିଗରୁ କାର୍ଯ୍ୟ କରୁଛୁ ।”