ପିଲାଙ୍କ ସହ ପତ୍ନୀଙ୍କୁ ଦୁବାଇରେ ରହିବାକୁ କହିଥିଲେ, ଏବେ ପିଲାଙ୍କ ଖର୍ଚ୍ଚ ବହନ କରୁନାହାନ୍ତି ନୱାଜୁଦ୍ଦିନ

ମୁମ୍ବାଇ: ବଲିଉଡ ଜଗତରେ ଦମଦାର ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକି ଏବେ ନିଜ ବୈବାହିକ ଜୀବନକୁ ନେଇ ବିବାଦରେ ଅଛନ୍ତି। ତାଙ୍କ ବିରୋଧରେ ପତ୍ନୀ ଆଲିଆ ଘରୋଇ ହିଂସାର ଅଭିଯୋଗ ଆଣିସାରିଥିବା ବେଳେ ଏବେ ନୱାଜୁଦ୍ଦିନ ନିଜ ପିଲାଙ୍କ ଖର୍ଚ୍ଚ ବହନ କରୁନଥିବା କହିଛନ୍ତି ଆଲିଆ। ଏ ବିଷୟରେ କଥା ହେବା ପାଇଁ ସେ ଦୁବାଇରୁ ମୁମ୍ବାଇ ଆସି ନୱାଜୁଦ୍ଦିନଙ୍କ ଘରେ ରହିଥିବା ବେଳେ ନୱାଜୁଦ୍ଦିନଙ୍କ ମା’ ବେଆଇନ ଅନୁପ୍ରବେଶ ନେଇ ଆରୋପ ଲଗାଇ ଏତଲା ରୁଜୁ କରିଥିଲେ ବୋଲି ଆଲିଆଙ୍କ ଓକିଲ କହିଛନ୍ତି।

ଆଲିଆଙ୍କ ଓକିଲ ରିଜୱାନ୍ ସିଦ୍ଦିକିଙ୍କ ଅନୁଯାୟୀ ଆଲିଆ ଜାନୁଆରି ୨୨ରେ ନୱାଜୁଦ୍ଦିନଙ୍କ ବର୍ସୋଭାସ୍ଥିତ ଘରେ ନୱାଜଙ୍କୁ ଭେଟିବାକୁ ଯାଇଥିଲେ। ତାଙ୍କୁ କିଛି ପାରିବାରିକ ସମସ୍ୟା ବିଷୟରେ ଆଲୋଚନା କରିବାର ଥିଲା। ନୱାଜ ଘରେ ନଥିବାରୁ ସେଠାରେ ନୱାଜଙ୍କ ଫେରିବା ପର୍ଯ୍ୟନ୍ତ ରହିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏହାକୁ ବିରୋଧ କରି ନୱ‌ାଜଙ୍କ ମା’ ବେଆଇନ ଅନୁପ୍ରବେଶ ନେଇ ଆରୋପ ଲଗାଇ ଏତଲା ରୁଜୁ କରିଥିଲେ। ଆଲିଆ ମୁମ୍ବାଇକୁ ନୱାଜଙ୍କ ସମ୍ପତ୍ତି ହଡପ କରିବାକୁ ଆସିଥିବା ଖବର ମିଛ। ସେ ନିଜ ପିଲାଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରି ନୱାଜଙ୍କ ସହ କଥା ହେବାକୁ ଆସିଛନ୍ତି।

ନୱାଜୁଦ୍ଦିନଙ୍କ ବିବାହ ୨୦୧୦ ମସିହାରେ ହୋଇଥିଲା। ନୱାଜୁଦ୍ଦିନଙ୍କ ଦୁଇଟି ସନ୍ତାନ ବି ରହିଛନ୍ତି। ନୱଜ ଚାହୁଁଥିବାରୁ ଆଲିଆ ଦୁବାଇରେ ଯାଇ ରହିଥିଲେ। ହେଲେ ଏବେ ସେ ପିଲାଙ୍କ ଖର୍ଚ୍ଚ ଉଠାଉନଥିବାରୁ ଆଲିଆ ମୁମ୍ବାଇ ଆସିଥିବା ତାଙ୍କ ଓକିଲ କହିଛନ୍ତି।

ସମ୍ବନ୍ଧିତ ଖବର