ବିବାହର ୮ ବର୍ଷ ପରେ ପତ୍ନୀ ଜାଣିଲେ ଆଗରୁ ସ୍ବାମୀ ଥିଲେ ଜଣେ ମହିଳା

ଅହମଦାବାଦ୍‌: ବାହାଘରର ୮ ବର୍ଷ ପରେ ଗୁଜରାଟ ଅନ୍ତର୍ଗତ ବଡ଼ୋଦରାର ଜଣେ ମହିଳା ପ୍ରକୃତ କଥା ଜାଣିବା ପରେ ସ୍ବାମୀଙ୍କ ନାମରେ ଅଭିଯୋଗ ଦାଏର କରିଛନ୍ତି।

ମହିଳାଜଣକ ଜାଣିପାରିଛନ୍ତି ଯେ, ୨୦୧୪ରେ ଯାହାଙ୍କୁ ସେ ବିବାହ କ‌ରିଛନ୍ତି, ସେ ଲୋକଟି ପୁରୁଷ ହେବା ପାଇଁ ଲିଙ୍ଗ ପରିବର୍ତ୍ତନକାରୀ ଅସ୍ତ୍ରୋପଚାର କରାଇଥିଲେ। ଏ କଥା ସେ ଏତେ ଦିନ ଧରି ପତ୍ନୀଙ୍କୁ କହି ନ ଥିଲେ।

ବୁଧବାର ଦିନ ଗୋତ୍ରି ଥାନାରେ ଦାଏର କରିଥିବା ‘ଏଫ୍‌ଆଇଆର୍‌’ରେ ମହିଳାଜଣକ ସ୍ବାମୀ ବିରାଜ ବର୍ଦ୍ଧନଙ୍କ ନାମରେ ଠକେଇ ଓ ଅପ୍ରାକୃତିକ ଯୌନାଚାର ଅଭିଯୋଗ କରିଛନ୍ତି। ‘ଏଫ୍‌ଆଇଆର୍‌’ରେ ସେ ନିଜ ପରିବାର ସଦସ୍ୟମାନଙ୍କ ନାମ ବି ଉଲ୍ଲେଖ କରିଛନ୍ତି।

ପୁଲିସକୁ ସେ କହିଛନ୍ତି, ୯ ବର୍ଷ ପୂର୍ବେ ‘ମେଟ୍ରିମୋନିଆଲ୍‌ ସାଇଟ୍‌’ ଜରିଆରେ ସେ ଭେଟିଥିବା ବିରାଜ ବର୍ଦ୍ଧନ ପୂର୍ବରୁ ଥିଲେ ‘ବିଜୟିତା’।

Image Courtesy of Times of India

ପୁଲିସ କହିବା ଅନୁସାରେ, ଉଭୟ ୨୦୧୪ରେ ପରିବାରବର୍ଗଙ୍କ ଉପସ୍ଥିତିରେ ବିବାହ କରିଥିଲେ। ‘ହନିମୁନ୍‌’ କରିବା ଲାଗି କଶ୍ମୀର ମଧ୍ୟ ଯାଇଥିଲେ। କିନ୍ତୁ, ନାନା ପ୍ରକାର ବାହାନା ଦେଖାଇ ସେ ବ୍ୟକ୍ତିଜଣକ ଦୀର୍ଘ ଦିନ ଧରି ପତ୍ନୀଙ୍କ ସହିତ ଦୈହିକ ସମ୍ପର୍କ ରଖି ନ ଥିଲେ। ପତ୍ନୀ ଜିଗର କରିବାରୁ ସେ କହିଲେ କି, କିଛି ବର୍ଷ ପୂର୍ବେ ସେ ରୁଷ୍‌ରେ ଦୁର୍ଘଟଣା ଶିକାର ହେବା ପରଠାରୁ ଦୈହିକ ସମ୍ପର୍କ ରକ୍ଷା କରିବାରେ ଅସମର୍ଥ ହୋଇଯାଇଛନ୍ତି।

ପୁଣି ୨୦୨୦ରେ ସେ ବ୍ୟକ୍ତିଜଣକ ପତ୍ନୀଙ୍କୁ କହିଲେ କି, ଓଜନ ହ୍ରାସ କରିବା ଲାଗି ସେ ଅସ୍ତ୍ରୋପଚାର କରିବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ସେ କୋଲ୍‌କାତା ଗଲେ। କିନ୍ତୁ, ପରେ ସେ ଜଣାଇଲେ କି, ପୁରୁଷାଙ୍ଗ ପ୍ରତିରୋପଣ କରାଇବା ଲାଗି ସେ ଲିଙ୍ଗ ପରିବର୍ତ୍ତନକାରୀ ଅସ୍ତ୍ରୋପଚାର କରାଇବାକୁ ଯାଇଥିଲେ। ମାତ୍ର ସେ ଉକ୍ତ ଅସ୍ତ୍ରୋପଚାର ବିଷୟରେ ସବିଶେଷ ବିବରଣୀ ଦେଇ ନ ଥିବା କଥା ମହିଳାଜଣକ କହିଛନ୍ତି।

ଏହାପରେ ସେ ତାଙ୍କ ସହିତ ଅପ୍ରାକୃତିକ ଦୈହିକ ସମ୍ପର୍କ ରଖିବା ସହ ଏ କଥା କାହାକୁ କହିଲେ ପରିଣାମ ଭୟାବହ ହେବ ବୋଲି ଧମକ ମଧ୍ୟ ଦେଲେ ବୋଲି ମହିଳାଜଣକ ପୁଲିସକୁ କହିଛନ୍ତି।

ଗୋତ୍ରି ପୁଲିସ ଇନ୍‌ସପେକ୍ଟର୍‌ ଏମ୍‌. କେ. ଗୁଜର କହିଛନ୍ତି ଯେ, ଦିଲ୍ଲୀରେ ବସବାସ କରୁଥିବା ଉକ୍ତ ଅଭିଯୁକ୍ତଙ୍କୁ ବଡ଼ୋଦର ଅଣାଯାଇଛି।

ସମ୍ବନ୍ଧିତ ଖବର