ମୋ ପାଇଁ କାଳୀ ମଦ, ମାଂସ ଖାଉଥିବା ଦେବୀଟିଏ: ଟିଏମ୍‌ସି ସାଂସଦ ମହୁଆ ମୈତ୍ର

ମୁମ୍ବାଇ: ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍‌ରକୁ ନେଇ ବିବାଦ ଉପୁଜିିବା ପରେ ଏ ନେଇ ନିଜର ମତ ରଖିଛନ୍ତି ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର। ପୋଷ୍ଟ୍‌ରରେ ମାଆ କାଳୀ ସିଗାରେଟ୍‌ ପିଉଥିବାର ଦୃଶ୍ୟକୁ ନେଇ ବିବାଦ ଉପୁଜିବା ପରେ ସାଂସଦ କହିଛନ୍ତି କି, ‘ମୋ ପାଇଁ କାଳୀ ଜଣେ ମାଂସ ଖାଉଥିବା, ମଦ୍ୟପାନ କରୁଥିବା ଦେବୀ। ଦେବୀଙ୍କୁ କଳ୍ପନା କରିବାର ସ୍ବାଧୀନତା ସଭିଙ୍କର ଅଛି। ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଈଶ୍ବରଙ୍କୁ ହ୍ବିସ୍‌କି ଅର୍ପଣ କରାଯାଏ। ମାତ୍ର ଅନ୍ୟ କେତେକ ସ୍ଥାନରେ ଏହା ନିନ୍ଦନୀୟ।’

ସିନେ ନିର୍ମାତା ଲୀନା ମାନିମେକଲାଇ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଦେବୀ କାଳୀଙ୍କ ହାତରେ ସିଗାରେଟ୍‌ ଥିବାର ଏକ ପୋଷ୍ଟ୍‌ର ରିଲିଜ୍‌ କରିବା ପରେ ଏହାକୁ ନେଇ ବିବାଦ ଉପୁଜିଥିଲା। ଗତ ୨ ତାରିଖରେ ନିର୍ମାତା ପୋଷ୍ଟର୍‌ଟିକୁ ରିଲିଜ୍‌ କରିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

ନିର୍ମାତା ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଦେବୀ କାଳୀଙ୍କ ହାତରେ ସିଗାରେଟ୍‌ ଥିବାର ଏକ ପୋଷ୍ଟ୍‌ର ରିଲିଜ୍‌ କରିବା ପରେ ଏହା ହିନ୍ଦୁ ଧର୍ମୀମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ଆଣି ଦିଲ୍ଲୀ ଏବଂ ୟୁପିରେ ଲୀନା ମାନିମେକଲାଇଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି।

ସୋସିଆଲ୍‌ ମିଡିଆରେ ‘ଆରେଷ୍ଟ୍‌ଲୀନାମାନିମେକଲାଇ’ ଟ୍ରେଣ୍ଡ୍‌ କରିଥିବା ବେଳେ ନିର୍ମାତା ଏକ ଟ୍ବିଟ୍‌ କରି ହ୍ୟାସଟ୍ୟାଗ୍ ‘ଆରେଷ୍ଟ୍‌ଲୀନାମାନିମେକଲାଇ’ ନଲେଖି ହ୍ୟାସଟ୍ୟାଗ୍ ‘ଲଭୟୁ ଲୀନାମନିମେକଲାଇ’ ଲେଖନ୍ତୁ ବୋଲି କହିଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି ଯେ, ଘଟଣାଟି ସେହି ସନ୍ଧ୍ୟାର ଯେତେବେଳେ କାଳୀ ପ୍ରକଟ ହୋଇ ଟରୋଣ୍ଟୋ ରାସ୍ତାରେ ବୁଲନ୍ତି। ଫିଲ୍ମଟି ସେହି ଘଟଣାକୁ ନେଇ ଆଧାରିତ।

ସମ୍ବନ୍ଧିତ ଖବର