ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ, ସରକାରଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି

ପିତା ମନ୍ତ୍ରୀ ଥିଲେ ପୁତ୍ର ବିରୋଧରେ କିଭଳି ତଦନ୍ତ ହେବ: ରାହୁଲ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲଖିମପୁରରେ ଗତ ୩ ତାରିଖରେ ହୋଇଥିବା ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆ‌ଶିଷ ମିଶ୍ର ମୁଖ୍ୟ ଅଭିଯୁକ୍ତ। ତାଙ୍କରି ଗାଡ଼ି ଚକାତଳେ ୪ କୃଷକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି କାରଣ ପାଇଁ ବିରୋଧୀ ଦଳ ନେତାମାନେ ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। କଂଗ୍ରେସ ମଧ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଦଳୀୟ ପ୍ରତିନିଧି ଦଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। କଂଗ୍ରେସ ପ୍ରତିନିଧି ଦଳ ଲଖିମୁପର ଖେରି ହିଂସା ଘଟଣା ସଂକ୍ରାନ୍ତରେ ଏକ ସ୍ମାରକପତ୍ର ଆଜି ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିଛନ୍ତି।

ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ କଂଗ୍ରେସ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ମୃତ କୃଷକଙ୍କ ପରିବାର ସଦସ୍ୟ ଏହି ସମାନ ଦାବି କରିଛନ୍ତି। ଅଜୟ ମିଶ୍ର ପଦବିରେ ଥିବା ପର୍ଯ୍ୟନ୍ତ ସେମାନେ ନ୍ୟାୟ ପାଇପାରିବେନି ବୋଲି ଭାବୁଛନ୍ତି। ତେଣୁ ‌ସେମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି ବୋଲି କଂଗ୍ରେସ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ କହିଛନ୍ତି। ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ସେ ଏ ସଂକ୍ରାନ୍ତରେ ସରକାରଙ୍କ ସହ କଥା ହେବେ। ରାହୁଲ କହିଛନ୍ତି ବର୍ତ୍ତମାନ ସୁପ୍ରିମକୋର୍ଟରେ ଥିବା ୨ ଜଣ ବିଚାରପତି ଉକ୍ତ ମାମଲାର ତଦନ୍ତ କରିବା ଉଚିତ ଏବଂ ଯେଉଁମାନେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ସେମାନଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯିବା ଆବଶ୍ୟକ। ରାହୁଲଙ୍କ ସହିତ କଂଗ୍ରେସର ଏହି ପ୍ରତିନିଧି ଦଳରେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ଏକେ ଆଣ୍ଟୋନି, ମଲିକାର୍ଜୁନ ଖାଡ଼ଗେ, କେସି ବେଣୁଗୋପାଳ, ଗୁଲାମ ନବୀଆଜାଦ ଏବଂ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର