କମିଲା +୨ ପାସ୍‌ହାର, କମିଲେ ମେଧାବୀ

ବିଜ୍ଞାନରେ ୮୪.୯%, ବାଣିଜ୍ୟରେ ୮୧% ପାସ୍‌

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ୨୦୨୨ ତୁଳନାରେ ଏଥର ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସ୍‌ହାର ଯଥାକ୍ରମେ ୧୦.୨୨% ଓ ୧୩.୮୪% ହ୍ରାସ ପାଇଛି। ଗତବର୍ଷ ବିଜ୍ଞାନରେ ପାସ୍‌ହାର ୯୫.୧୫% ଥିବାବେଳେ ଏଥର ୮୪.୯୩% ହୋଇଛି। ଅନୁରୂପ ଭାବେ ବାଣିଜ୍ୟରେ ମଧ୍ୟ ପାସ୍‌ହାର ୯୪.୯୬%ରୁ ୮୧.୧୨%କୁ ଖସି ଆସିଛି।

ମେଧାବୀ ତଥା ୯୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି। ଅର୍ଥାତ୍‌ ଗତବର୍ଷ ବିଜ୍ଞାନରେ ୨,୨୭୮ ଓ ବାଣିଜ୍ୟରେ ୧୪୯ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ରେକର୍ଡ ସୃଷ୍ଟି କରିଥିଲେ। ମାତ୍ର ଏଥରକ ଯଥାକ୍ରମେ ୩୫୮ ଓ ୧୦୨ ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ରେଜଲ୍ଟ କରିଛନ୍ତି। ବିଜ୍ଞାନ ବିଭାଗରେ ୨୯୧ଟି କଲେଜର ପାସ୍‌ହାର ଶତ ପ୍ରତିଶତ ହୋଇଛି। ବାଣିଜ୍ୟରେ ୯୪ଟି କଲେଜର ସମସ୍ତେ ପାସ୍‌ କରିଛନ୍ତି। ଦୁଇଟି ବିଜ୍ଞାନ କଲେଜରେ କେହି ପାସ୍‌ କରି ନାହାନ୍ତି। ଉଭୟ ବିଭାଗରେ ନୟାଗଡ଼ ଜିଲ୍ଲା‌ର ପାସ୍‌ହାର ସର୍ବାଧିକ ରହିଛି। କୌଣସି ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇ ନାହିଁ।

୯୦%ରୁ ଅଧିକ ନମ୍ବର ରଖିଛନ୍ତି ୪୬୦ଜଣ
୩୮୫ କଲେଜର ଉଭୟ ବିଭାଗରେ ସମସ୍ତେ ପାସ୍‌
ନୟାଗଡ଼ ଜିଲ୍ଲାର ପାସ୍‌ହାର ସର୍ବାଧିକ

ବିଜ୍ଞାନ ବିଭାଗରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲା‌ରରେ ୯୨ ହଜାର ୯୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୮ ହଜାର ୯୩୮ଜଣ ପାସ୍‌ କରିଛନ୍ତି। ରେଗୁଲାରରେ ଫର୍ମ ପୂରଣ କରିଥିବା ୯୧ ହଜାର ୨୭୯ ଜଣଙ୍କ ମଧ୍ୟରୁ ୯୦ ହଜାର ୬୭୯ ଜଣ ପରୀକ୍ଷା ଦେଇଥିଲେ ଏବଂ ୭୭ ହଜାର ୪୬୮ଜଣ ପାସ୍‌ କରିଛନ୍ତି। ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୨,୨୭୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୭୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୯ ହଜାର ୫୭୩ ଜଣ ପାସ୍‌ କରିଥିବା ବେଳେ ୨୪ ହଜାର ୨୫୭ ଜଣ ଦ୍ବିତୀୟ ଓ ୧୪ ହଜାର ୮୫୨ଜଣ ତୃତୀୟ ଶ୍ରେଣୀ‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୫୬ ଜଣ ପରୀକ୍ଷାର୍ଥୀ କମ୍ପାଟମେଣ୍ଟାଲ ଦେବା ଲାଗି ରହିଛନ୍ତି। ପରୀକ୍ଷା ଦେଇଥିବା ୪୯ହଜାର ୯୭୫ଜଣ ଛାତ୍ରଙ୍କ ମଧ୍ୟରୁ ୪୨ହଜାର ୧୨୧ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୪.୨୮% ହୋଇଛି। ସେହିପରି ୪୨ହଜାର ୯୭୫ଜଣ ଛାତ୍ରୀଙ୍କ ମଧ୍ୟରୁ ୩୬ହଜାର ୮୧୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୮୫.୬୭% ହୋଇଛି। ନୟାଗଡ଼ ଜିଲ୍ଲାର ପାସ୍‌ହାର ସର୍ବାଧିକ ୯୬.୪୧% ହୋଇଥିବା ବେଳେ ଗଜପତି ଜିଲ୍ଲାର ପାସ୍‌ହାର ସର୍ବନିମ୍ନ ୬୧.୫୫% ରହିଛି।


ବାଣିଜ୍ୟ ବିଭାଗରେ ପରୀକ୍ଷା ଦେବା ଲାଗି ଉଭୟ ରେଗୁଲାର ଓ ଏକ୍ସ-ରେଗୁଲା‌ରରେ ୨୪ ହଜାର ୩୩୧ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୪ ହଜାର ୮୨ଜଣ ପରୀକ୍ଷା ଦେଇଥିବା ବେଳେ ୧୯ହଜାର ୫୩୬ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୧.୧୨% ହୋଇଛି। ରେଗୁଲାରରେ ପରୀକ୍ଷା ଦେଇଥିବା ୨୩ହଜାର ୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮ହଜାର ୭୪୦ ଜଣ ପାସ୍‌ କରିଛନ୍ତି। ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୧,୦୬୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୮୯ଜଣ କୃତକାର୍ଯ୍ୟ ହୋଇଛନ୍ତି। ୭,୪୧୦ ଜଣ ପ୍ରଥମ ଶ୍ରେଣୀ, ୪,୫୪୩ ଜଣ ଦ୍ବିତୀୟ ଓ ୭,୪୯୨ ଜଣ ତୃତୀୟ ଶ୍ରେଣୀ‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷା ଦେଇଥିବା ୧୫,୨୪୧ଜଣ ଛାତ୍ରଙ୍କ ମଧ୍ୟରୁ ୧୨,୧୨୧ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୯.୫୨% ହୋଇଛି। ୮,୮୪୧ଜଣ ଛାତ୍ରୀଙ୍କ ମଧ୍ୟରୁ ୭,୪୧୫ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୩.୮୭% ରହିଛି। ନୟାଗଡ଼ ଜିଲ୍ଲାର ପାସ୍‌ହାର ସର୍ବାଧିକ ୯୩.୯% ରହିଛି। ବୌଦ୍ଧ ଜିଲ୍ଲାର ପାସ୍‌ହାର ସର୍ବନିମ୍ନ ୫୫.୫୫% ହୋଇଛି।

ଧାର୍ଯ୍ୟ ସମୟ ପୂର୍ବାହ୍ନ ୧୧ଟାରେ ପରିଷଦ କାର୍ଯ୍ୟାଳୟରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପୁସ୍ତିକାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉନ୍ମୋଚନ କରିଥିଲେ। ମଧ୍ୟାହ୍ନ ୧୨ଟା ୩୦ରୁ ପରୀକ୍ଷାର୍ଥୀ www.orissaresults.nic.in ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଘୋଷଣା କରିଥିଲେ। ମାତ୍ର ସର୍ଭର୍ ଡାଉନ୍‌ ହେତୁ ପରୀକ୍ଷାର୍ଥୀ ପରୀକ୍ଷା ଫଳ ଜାଣିବାକୁ ପାଖାପାଖି ଏକ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ସାମସ୍‌ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହୋଇଥିଲା। ପରିଷଦ ପକ୍ଷରୁ ହେଲ୍‌ପ ଲାଇନ୍‌ ନଂ-୦୬୭୪-୨୩୦୦୯୧୪ ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଇଛି। ପୁସ୍ତିକା ଉନ୍ମୋଚନ କାର୍ଯ୍ୟକ୍ରମରେ ଗଣଶିକ୍ଷା ସଚିବ ଅଶ୍ୱଥୀ. ଏସ୍‌, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର