ଭୁବନେଶ୍ବର/ରେଢାଖୋଲ: ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।’ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ସନ୍ଥକବି ଭୀମ ଭୋଇଙ୍କ ଏହି କବିତା ଆବୃତ୍ତି କରିଛନ୍ତି। ମହାମହିମା ଶ୍ରୀମତୀ ମୁର୍ମୁ କହିଛନ୍ତି, ସନ୍ଥକବି ଭୀମ ଭୋଇଙ୍କ ବାଣୀ ମୋ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଯେଉଁଦିନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲି, ସେହିଦିନ ମଧ୍ୟ ମୁଁ ସନ୍ଥକବିଙ୍କୁ ମନେ ପକାଇଥିଲି। ଭୀମ ଭୋଇ ସାଧାରଣ ପରିବାରରେ ଜନ୍ମ ନେଇଥିଲେ ବି ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ। ପଲାଦିନରେ ସେ ବିଲବଣରେ ଗାଈ ଚରାଉଥିଲେ। ସେ ନିଜ ଲେଖନୀରେ ଏହା ଲେଖିଛନ୍ତି। ସେ ଗାଈ ଚରାଇଲା ବେଳେ ଝରଣା ପାଣି ପିଉଥିଲେ। ଚାରିଆଡ଼େ ଗାଈମାନଙ୍କ ସହିତ ବୁଲୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୪ଦିନିଆ ଓଡ଼ିଶା ଗସ୍ତର ଅନ୍ତିମ ଦିନ ଶନିବାର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆନୁଷ୍ଠାନିକ ଶିକ୍ଷା ବିନା ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରାଯାଇପାରେ ଓ ତାହାରି ମାଧ୍ୟମରେ ଜଗତକୁ ଦିଗ୍ଦର୍ଶନ ଦିଆଯାଇପାରେ ବୋଲି ଭୀମ ଭୋଇ ପ୍ରମାଣିତ କରିଛନ୍ତି। ସେ କୌଣସି ଆନୁଷ୍ଠାନିକ ଶିକ୍ଷାଦୀକ୍ଷା ନେଇ ନଥିଲେ। କିନ୍ତୁ ଗୁରୁଙ୍କ କୃପାରୁ ସେ ଦିବ୍ୟଜ୍ୟୋତି ପ୍ରାପ୍ତ ହୋଇପାରିଥିଲେ। କୁହାଯାଇଥାଏ ସେ ଜନ୍ମାନ୍ଧ ଥିଲେ। ଭୀମ ଭୋଇଙ୍କ ବାହ୍ୟ ଦୃଷ୍ଟି ସିନା ନଥିଲା। କିନ୍ତୁ ଅନ୍ତଦୃଷ୍ଟି ଥିଲା ପ୍ରଖର। ଏହି ଅନ୍ତଃ ଦୃଷ୍ଟି ବଳରେ ସେ ସବୁ ଦେଖିପାରୁଥିଲେ। ସେ ରଚନା କରିପାରିଥିଲେ ବହୁ କବିତା ଓ ଗ୍ରନ୍ଥ। ତାଙ୍କ ଦ୍ବାରା ରଚିତ କବିତା ଓ ଗ୍ରନ୍ଥ ସ୍କୁଲ ଓ କଲେଜଗୁଡ଼ିକର ପାଠ୍ୟଖସଡ଼ାରେ ସାମିଲ କରାଯାଇଛି।
ମହାମହିମ କହିଛନ୍ତି, ଭୀମ ଭୋଇଙ୍କ ଦୃଷ୍ଟିରେ ଈଶ୍ବର ଅରୂପ। ତାଙ୍କର ଉଦ୍ୟମ ଯୋଗୁଁ ମହିମା ଧର୍ମ ଓଡ଼ିଶାର ଦୁରଦୂରାନ୍ତରକୁ ବ୍ୟାପିଛି। ଗୀତ ଓ କବିତା ମାଧ୍ୟମରେ ସେ ମହିମା ଧର୍ମକୁ ବ୍ୟାପିବାରେ ଉଦ୍ୟମ କରିଥିଲେ। ତାଙ୍କ ଦୃଷ୍ଟିରେ ସାନ-ବଡ଼ର ଭେଦଭାବ ନଥିଲା। କୀଟ-ପତଙ୍ଗଙ୍କୁ ମଧ୍ୟ ସେ ମନୁଷ୍ୟ ଭଳି ଦେଖୁ ଥିଲେ। ସମାଜରେ ସମାନତା ପ୍ରତିଷ୍ଠା କରିବା ଭୀମଭୋଇ ଉଦ୍ୟମ କରିଥିଲେ।
ମହାପୁରୁଷଙ୍କ ଜନ୍ମମାଟିକୁ ଗଲେ ବହୁତ ଆନନ୍ଦ ଲାଗିଥାଏ। ମଧୁବାବୁ, ନେତାଜୀଙ୍କ ଜନ୍ମସ୍ଥଳୀକୁ ଯାଇଛି। ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମସ୍ଥଳୀକୁ ଯାଇଛି। ଭୀମ ଭୋଇଙ୍କ ଜୀବନୀ ଓ କୃତୀ ବିଭିନ୍ନ ଭାଷାରେ ସୀମିତ ହୋଇ ରହିବ ନାହିଁ। ତାଙ୍କର ଜୀବନୀ ଓ ସାହିତ୍ୟ ବିଭିନ୍ନ ଭାଷାରେ ଅନୁଦିତ ହୋଇଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଆଜି ମଧୁପୁର ଗାଁକୁ ଯାଇ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍କାଞ୍ଜଳି ଦେବାର ସୁଯୋଗ ପାଇପାରିଛି। ସନ୍ଥକବିଙ୍କ ଧ୍ବନି ମଣ୍ଡପକୁ ଯାଇଥିଲି। କନ୍ଧରା ଗାଁକୁ ଯାଇ ଭୀମ ଭୋଇଙ୍କ ଦିବ୍ୟଜ୍ୟୋତି ଓ ଜ୍ଞାନପ୍ରାପ୍ତି ପୀଠ ଦର୍ଶନ କରିଛି। କଙ୍କଡ଼ାପଡ଼ାରେ ସନ୍ଥକବିଙ୍କ ମନ୍ଦିର ଦେଖିବାର ସୁଯୋଗ ପାଇପାରିଛି। ସନ୍ଥ କବି ଯେପରି ଚାରିଆଡ଼େ ବ୍ୟାପି ରହିଛନ୍ତି। ତାଙ୍କର ଉପସ୍ଥିତି ମୁଁ ଅନୁଭବ କରୁଛି। ତାଙ୍କର ଦାୟଦ ଏଠାରେ ବହୁ ପରିମାଣରେ ଅଛନ୍ତି।