ଆଜି ବିଶ୍ୱ ନାଟ୍ୟ ଦିବସ : ନାଟକ ପାଇଁ ଭଲପାଇବା ଅଛି, ଭିତ୍ତିଭୂମି ନାହିଁ

ଭୁବନେଶ୍ୱର : ନାଚ, ଗୀତ, ସାହିତ୍ୟ, ସଂସ୍କୃତି ଓ ଭାସ୍କର୍ଯ୍ୟଠାରୁ ଆରମ୍ଭ କରି ସମସ୍ତ କଳାର ମିଶ୍ରିତ ରୂପ ହେଉଛି ‘ନାଟକ’। ସେଥିପାଇଁ ଭରତ ମୁନି ନାଟକକୁ ‘ପଞ୍ଚମ ବେଦ’ ଅର୍ଥାତ୍‌ ୪ ବେଦର ସାରାଂଶର ସମାହାର ବୋଲି ବର୍ଣ୍ଣନା କରିଛନ୍ତି। ଯେତେବେଳେ ମଣିଷର ମନୋରଞ୍ଜନର କିଛି ମାଧ୍ୟମ ନଥିଲା, ସେତେବେଳେ ପ୍ରଥମେ ଲୋକକଳା ପାଲା, ଦାସକାଠିଆ, କଣ୍ଢେଇ ନାଚ, ଦଣ୍ଡ ନାଚ, ଘୋଡ଼ା ନାଚ ଓ ରାମଲୀଲା ଆଦି ମନୋରଞ୍ଜନର ଉତ୍କଷ୍ଟ ମାଧ୍ୟମ ଥିଲା। କିନ୍ତୁ ସମୟ ସହ ଏଗୁଡ଼ିକ ପୁରୁଣା ହେବାକୁ ଲାଗିଲା। ଯୁବପିଢ଼ି ମୁହଁ ମୋଡ଼ିବାକୁ ଆରମ୍ଭ କଲେ। ଦର୍ଶକଙ୍କୁ କିଛି ନିଆରା ମନୋରଞ୍ଜନ ଦେବା ପାଇଁ କିଛି ନାଟ୍ୟକାର ନିଜ ସୃଜନଶୀଳତାରେ ପୌରାଣିକ କଥାବସ୍ତୁରେ ରସ ଛିଞ୍ଚି ଦର୍ଶକଙ୍କୁ ପରଷିବାକୁ ଚେଷ୍ଟା କଲେ। ଏଥିରୁ ଜନ୍ମ ନେଲା ‘ଆଧୁନିକ ଓଡ଼ିଆ ନାଟକ’। ସେବେଠାରୁ ଏହା ବେଶ୍‌ ଦର୍ଶକୀୟ ଆଦୃତି ମଧ୍ୟ ପାଇଛି। ଆଜି ବି ଓଡ଼ିଶାରେ ନାଟକର ସ୍ଥିତି ବେଶ୍‌ ସୁଦୃଢ଼ ଥିବା ବେଳେ ଆବଶ୍ୟକ ଭିତ୍ତିଭୂମିର ଅଭାବ ନାଟକ ଓ ନାଟ୍ୟ କଳାକାରଙ୍କୁ ପଙ୍ଗୁ କରିବାରେ ବସିଲାଣି।

୧୮୭୨ରୁ ଓଡ଼ିଶାରେ ନାଟକ ପରିବେଷଣର ଆରମ୍ଭ

୧୮୭୨ରେ ପ୍ରଥମ ଥର ପାଇଁ କଟକସ୍ଥିତ କ୍ୟାଥ୍‌ଲିକ୍‌ ମିସନ୍‌ ସ୍କୁଲ୍‌ ଛାତ୍ରଛାତ୍ରୀମାନେ ଏକ ଇଂରାଜୀ ନାଟକ ପରିବେଷଣ କରିଥିଲେ। ଓଡ଼ିଶାରେ ଓଡ଼ିଆ ନାଟକ ପରିବେଷଣକୁ ଏହାପରେ ଆଉ ୩ ବର୍ଷ ଲାଗି ଯାଇଥିଲା। ଜଗମୋହନ ଲାଲାଙ୍କ ଦ୍ୱାରା କଟକ ମହାଙ୍ଗାଠାରେ ଏକ ସ୍ଥାୟୀ ମଞ୍ଚ ତିଆରି ହେଲା ଓ ଜନ୍ମ ନେଲା ‘ଆଧୁନିକ ଓଡ଼ିଆ ନାଟକ’। ୧୮୭୭ରେ ରଚିତ ହେଲା ପ୍ରଥମ ଓଡ଼ିଆ ନାଟକ ‘ବାବାଜୀ’। ଏହା ଦର୍ଶକଙ୍କୁ ବେଶ୍‌ ଛୁଇଁଥିଲା। ଏହା ପରେ ଓଡ଼ିଆ ନାଟକ ଆକାଶଛୁଆଁ ସଫଳତା ହାସଲ କରିବା ସହ ଦର୍ଶକୀୟ ଆଦୃତି ପାଇଲା।

ପ୍ରେକ୍ଷାଳୟର ଅଭାବ

ରାଜଧାନୀରେ ‘ରବୀନ୍ଦ୍ର ମଣ୍ଡପ’କୁ ବାଦ୍‌ ଦେଲେ ନାଟ୍ୟ ପରିବେଷଣ ପାଇଁ ରାଜ୍ୟରେ ଭଲ ପ୍ରେକ୍ଷାଳୟଟିଏ ନାହିଁ। ଏନେଇ ନାଟ୍ୟ ପ୍ରେମୀ ଓ କଳାକାରମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।  କୋଲ୍‌କାତାରେ ୧୧ଟି ଓ ଅଗରତାଲାରେ ୯ଟି ଲେଖାଏଁ ପ୍ରେକ୍ଷାଳୟ ଥିବା ବେଳେ ଓଡ଼ିଶାରେ ସରକାରୀ ସ୍ତରରେ ନାଟକକୁ ଅବହେଳା ଦୁଃଖର ବିଷୟ। ରବୀନ୍ଦ୍ର ମଣ୍ଡପକୁ ଛାଡ଼ିଦେଲେ କିଛି ନାଟକ ଭଞ୍ଜକଳା ମଣ୍ଡପରେ ପରିବେଷଣ କରାଯାଉଥିଲେ ମଧ୍ୟ ଭିତ୍ତିଭୂମି ସନ୍ତୋଷଜନକ ନୁହେଁ। ଦିନକୁ ଦିନ ଏଭଳି ଦୁଃସ୍ଥିତି ଯୋଗୁଁ ନାଟକ ପରିବେଷଣ କରିବାକୁ ଚାହୁଥିବା କିଛି ସଂସ୍ଥା ମଧ୍ୟ ପଛଘୁଞ୍ଚା ଦେଉଛନ୍ତି। ତେବେ ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରି, ବରମୁଣ୍ଡା, ଚନ୍ଦ୍ରଶେଖରପୁର ଓ ଉତ୍ତରା ଆଦି ସ୍ଥାନରେ ପ୍ରେକ୍ଷାଳୟ ସହ ପୁରୁଣା ବସ୍‌ଷ୍ଟାଣ୍ଡ୍‌ ନିକଟରେ ‘ଥିଏଟର ଅଲମ୍ପିକ୍ସ’ କରାଯିବା ପାଇଁ ଓଡ଼ିଶା ନାଟ୍ୟସଂଘ ପ୍ରସ୍ତାବ ଦେଇଛି।

ଲଟକିଛି କଳାମଣ୍ଡଳ 

ରାଜ୍ୟର ସର୍ବବୃହତ୍‌ ଆଧୁନିକ ଅଡିଟୋରିୟମ୍‌ ପାଇଁ ୨୦୦୬ରୁ ଯୋଜନା ହୋଇଥିଲା। ୧୦ ଏକର ଜମିରେ ଗୋଟିଏ ୧୫ ଶହ ଆସନ ବିଶିଷ୍ଟ ଏବଂ ଆଉ ଏକ ୮ ଶହ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ହେବାର ଯୋଜନା ଥିଲା। ଦିନକୁ ଦିନ ଏହାର ବଜେଟ୍‌ ବଢ଼ି ଚାଲିଛି କିନ୍ତୁ ୧୨ ବର୍ଷ ହେଲା ଇଟା ଖଣ୍ଡେ ପଡ଼ିପାରୁନି। ଫଳରେ ରାଜଧାନୀର ନାଟ୍ୟ ପ୍ରେମୀ ଓ ନାଟ୍ୟ କଳାକାରଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଭିତ୍ତିଭୂମି ନାହିଁ, ‘ନାଟ୍ୟ ଉନ୍ନୟନ ସମିତି’ ମଧ୍ୟ ଗଠନ ହେଉନି

ଓଡ଼ିଶାରେ ନାଟକର ସ୍ଥିତି ବେଶ୍‌ ଭଲ ରହିଛି। କିନ୍ତୁ ନାଟ୍ୟ ପରିବେଷଣ ପାଇଁ ମଞ୍ଚ ସୁବିଧା ନାହିଁ। ୧୯୮୫ ମସିହାରୁ ଏନେଇ ଦାବି କରିଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପୁଣି ପୁରୁଣା ନାଟକଙ୍କୁ ବଞ୍ଚାଇ ରଖିବାକୁ ମ୍ୟୁଜିୟମ୍‌, ଲାଇବ୍ରେରି ତଥା ପୁରୁଣା ବିଶିଷ୍ଟ ନାଟ୍ୟକାରମାନଙ୍କ ସମ୍ପର୍କରେ ତଥ୍ୟ, ପୁରୁଣା ନାଟ୍ୟ କଳାକାରଙ୍କ ପୋଷାକ, ସେମାନେ ବ୍ୟବହାର କରୁଥିବା ସାମଗ୍ରୀ ଆଦିକୁ ସଂରକ୍ଷଣ କରିବା ପାଇଁ ‘ନାଟ୍ୟ ଉନ୍ନୟନ ସମିତି’ କରିବାକୁ ବାରମ୍ବାର ଦାବି ଉଠୁଛି। କିନ୍ତୁ କିଛି କାର୍ଯ୍ୟକାରୀ ହେଉନାହିଁ।

ଧୀରେନ୍ଦ୍ରନାଥ ମଲ୍ଲିକ, ନାଟ୍ୟ ନିର୍ଦ୍ଦେଶକ

ଓଲିଉଡ୍‌ ଭଳି କପିର ନିଶା ନାଟକ ଜଗତକୁ ମଧ୍ୟ ଗ୍ରାସିଲାଣି

ଓଡ଼ିଶାରେ ଅନେକ ସୁନ୍ଦର କାହାଣୀ ଓ ପୁସ୍ତକ ରହିଛି। କିନ୍ତୁ ଓଲିଉଡ୍‌ ଭଳି କପିର ନିଶା ନାଟକ ଜଗତକୁ ମଧ୍ୟ ଗ୍ରାସ କଲାଣି। ଯାହା ଫଳରେ ଅନ୍ୟ ରାଜ୍ୟର କାହାଣୀକୁ ଅନୁବାଦ କରି ନାଟକ ପରିବେଷଣ ହେଉଛି। ଯେଉଁଥିରେ କି ଓଡ଼ିଆ କଳା, ସଂସ୍କୃତି ପ୍ରତିଫଳିତ ହେଉନାହିଁ। ଯାହାକି ଅତ୍ୟନ୍ତ ଲଜ୍ଜାଜନକ। ପୁଣି ଆବଶ୍ୟକ ସ୍ଥାୟୀ ମଞ୍ଚର ଅଭାବ ବି  ନାଟକ ଜଗତକୁ ପଛକୁୁ ଟାଣିଲା ଭଳି ମନେ ହେଉଛି। ବାରମ୍ବାର ଓଡ଼ିଶା ନାଟ୍ୟସଂଘ ପକ୍ଷରୁ ବାରମ୍ବାର ଦାବି ଉଠୁଥିଲେ ମଧ୍ୟ ଅଡିଟୋରିୟମ୍‌ଟିଏ ତିଆରି ହେଉନି।

ମନୋଜ ପଟ୍ଟନାୟକ, ଓଡ଼ିଶା ନାଟ୍ୟସଂଘ ସଭାପତି

ସମ୍ବନ୍ଧିତ ଖବର