କଲେଜିୟମ୍‌ର ନୀତିଗତ ନିଷ୍ପତ୍ତି : ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ନିଯୁକ୍ତି ଲାଗି ଜଷ୍ଟିସ୍‌ ଜୋଶେଫ୍‌ଙ୍କ ନାମ ପୁଣି ଥରେ ସୁପାରିସ୍‌ କରାଯିବ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ଶୁକ୍ରବାର ଜଷ୍ଟିସ୍‌ କେ.ଏମ୍‌.ଜୋଶେଫ୍‌ ଓ ଅନ୍ୟ କେତେଜଣ ବିଚାରପତିଙ୍କ ନାମ ସର୍ବୋଚ୍ଚ ଅଦାଲତରେ ନିଯୁକ୍ତି ଲାଗି ସୁପାରିସ୍‌ କରିବ ବୋଲି ନୀତିଗତ ନିଷ୍ପତ୍ତି ନେଇଛି। ଗତକାଲି ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲେମେଶ୍ୱର ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାମକୁ ସୁପ୍ରିମକୋର୍ଟରେ ନିଯୁକ୍ତି ଲାଗି ପୁନଃସୁପାରିସ୍‌ ଲାଗି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କୁ ଏକ ପତ୍ର ଜରିଆରେ ଅନୁରୋଧ କରିଥିଲେ। ଶୁକ୍ରବାର ସୁପ୍ରିମ୍‌କୋର୍ଟର ୫ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ୍‌ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଅନ୍ୟ କେଉଁ ବିଚାରପତିଙ୍କ ନାମ ସୁପାରିସ୍‌ କରାଯିବ ତାହା ମେ ୧୬ ତାରିଖ ବୈଠକରେ ସ୍ଥିର ହେବ।

ଉଲ୍ଲେଖଯୋଗ୍ୟ କି ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜୋଶେଫ୍‌ଙ୍କୁ ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ଦେବା ଲାଗି କଲେଜିୟମ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଥିଲେ ହେଁ କେନ୍ଦ୍ର ସରକାର ଏହାକୁ ଗ୍ରହଣ ନ କରି ପୁର୍ନବିଚାର ଲାଗି ଫେରାଇ ଦେଇଥିଲେ। ଏହାପରେ ନ୍ୟାୟପାଳିକା ଓ କେନ୍ଦ୍ର ସରକାରଙ୍କ କ୍ଷମତାର ପରିସରକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। କଲେଜିୟର ସୁପାରିଶ ସରକାର ଗ୍ରହଣ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ କି ସୁପ୍ରିମ୍‌କୋର୍ଟରେ ପ୍ରଚଳିତ ପରମ୍ପରା ଅନୁଯାୟୀ କେରଳର ଯେତିକି ସଂଖ୍ୟକ ପ୍ରତିନିଧିତ୍ୱ ରହିବା କଥା ତାହା ରହିଛି। ତେଣୁ ଜଷ୍ଟିସ୍‌ ଜୋଶେଫ୍‌ଙ୍କ ନିଯୁକ୍ତି ଏହାର ଉଂଲଘନ ହେବ । ଅନ୍ୟପକ୍ଷରେ ତାଙ୍କୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଗଲେ ସେ ତାଙ୍କ ଠାରୁ ବରିଷ୍ଠ ୧୧ଜଣ ବିଚାରପତିଙ୍କୁ ଅତିକ୍ରମ କରିବେ।

ଶୁକ୍ରବାର ସୁପ୍ରିମ୍‌କୋର୍ଟରେ ଅନୁଷ୍ଠିତ କଲେଜିୟମ୍‌ ବୈଠକରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର , ଜଷ୍ଟିସ୍‌ ଜେ.ଚେଲେମେଶ୍ୱର,ଜଷ୍ଟିସ୍‌ ରଞ୍ଜନ ଗୋଗୋଇ,ଜଷ୍ଟିସ୍‌ ଏମ୍‌.ବି. ଲୋକୁର୍‌ ଏବଂ ଜଷ୍ଟିସ୍‌ କୁରିଅନ୍‌ ଜୋଶେଫ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର