ଫୁଲୁଛି ସାବେରୀ, ମୋଟୁ ପଞ୍ଚାୟତକୁ ବିପଦ

କାଲିମେଳା: ମାଲକାନଗିରି ଜିଲ୍ଲାର ଛତିଶଗଡ଼ ଓ ଆନ୍ଧ୍ର ସୀମାନ୍ତରେ ଥିବା ସାବେରୀ ଓ ସିଲେରୁ ନଦୀ ଲଗାଣ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି। ଯାହାଫଳରେ କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ପଞ୍ଚାୟତକୁ ବିପଦ ମାଡ଼ି ଆସୁଥିବା କୁହାଯାଉଛି। ସପ୍ତାହେ ହେଲା କାଲିମେଳା ଓ ପଡ଼ିଆ ଅଞ୍ଚଳରେ ଲଗାଣ ବର୍ଷା ହେବା ଯୋଗୁଁ ସାବେରୀ ଓ ସିଲେରୁ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ବାରମ୍ବାର ଏହି ଦୁଇ ନଦୀରେ ବନ୍ୟାଜଳ ଆସୁଥିବାରୁ ମୁଗି ପଏଣ୍ଟ ସଂପୂର୍ଣ୍ଣ ବୁଡ଼ିଯାଉଥିବା ଦେଖିବାକୁ ମିଳିଛି। ଏହାର ଗୋଟିଏ ପଟେ ସିଲେରୁ ନଦୀ ଥିବା ବେଳେ ଅନ୍ୟପଟେ ସାବେରୀ ନଦୀ ପ୍ରବାହିତ ହେଉଛି। ବନ୍ୟା ସମୟରେ ଏଠାକାର ମଧୁସୂଦନ ପାର୍କର ଦୁଇ ପାର୍ଶ୍ୱ ନଦୀ ଜଳରେ ଖାଇ ଖାଇ ଯାଉଥିବାରୁ କେତେବେଳେ ଯେ ଏହା ଓଡ଼ିଶା ମାନଚିତ୍ରରୁ ଲିଭିଯିବ ବୋଲି ଲୋକେ କହିଲେଣି। ତେବେ କାଲିମେଳା ଓ ପଡ଼ିଆ ବ୍ଲକର ଅଧିକାଂଶ ଗାଁ ଏହି ଦୁଇ ନଦୀ କୂଳରେ ଅବସ୍ଥିତ ଥିବାରୁ ଗ୍ରାମବାସୀ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସାବେରୀ ନଦୀ କୂଳରେ ଥିବା ପଡ଼ିଆ ବ୍ଲକର ଏମଭି-୬୬, ସିମିଳିବାଞ୍ଛା, ଗୋରଖପାଲୀ, କାଲିମେଳା ବ୍ଲକର ଆଲମା, ବିନାୟକପୁର, ପେଟା, ପିନାମାଦିଗୁରୁ ପରି ପ୍ରାୟ ୨୦ଖଣ୍ଡ ଗ୍ରାମରେ ବନ୍ୟାଜଳ ପଶି ଯାଇଛି। ଏହିସବୁ ଗ୍ରାମ ଗୁଡ଼ିକ ନଦୀକୁ ଲାଗି ରହିଥିବାରୁ ଗ୍ରାମ ଭିତରେ ପାଣି ପଶିଯାଇଥିଲେ ମଧ୍ୟ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ତେବେ ମୋଟୁ ମୁଗି ପଏଣ୍ଟ ବୁଡ଼ିଯାଇଥିବା ବେଳେ ମୋଟୁ ଘାଟରେ ଥିବା ପ୍ରାୟ ୧୦ଟି ଦୋକାନ ଘରକୁ ଖାଲି କରିଦିଆଯାଇଛି। ଗତ ୧୬ ତାରିଖ ଦିନ ସାବେରୀ ଓ ସିଲେରୁ ନଦୀ ଜଳ ସ୍ତର ବୃଦ୍ଧି ପାଇଥିବା ବେଳେ ଦୁଇ ଦିନ ପରେ ହ୍ରାସ ପାଇଥିଲା। କିନ୍ତୁ ପୁଣି ୧୯ ତାରିଖ ରାତିରୁ ପୁଣିଥରେ ଏହି ଦୁଇ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ଶହ ଶହ ଏକର ଜମି ମଧ୍ୟ ବନ୍ୟା ପାଣିରେ ବୁଡ଼ି ରହୁଥିବାରୁ ଫସଲ ପଚିଯିବାର ସମ୍ଭାବନା ରହିଛି। ୨୦୦୬ ମସିହାରେ ହୋଇଥିବା ବନ୍ୟାରେ ମୋଟୁ ଗ୍ରାମର ଅଧିକାଂଶ ଘର ବନ୍ୟାପାଣିରେ ବୁଡ଼ି ରହିଥିବା ବେଳେ ମୋଟୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବନ୍ୟାପାଣି ମାଡ଼ିଆସିଥିଲା। ଏଥିସହିତ ନଦୀକୂଳରେ ଥିବା ପ୍ରାୟ ୧୫ଟି ଗ୍ରାମ ମଧ୍ୟ ବନ୍ୟା ପାଣିରେ ବୁଡ଼ିଯାଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେହି ସମୟରେ ମୋଟୁ ତହସିଲ ପକ୍ଷରୁ ଲୋକଙ୍କୁ ଉଚ୍ଚ ସ୍ଥାନରେ ରଖାଯାଇ ଶୁଖିଲା ଖାଦ୍ୟ ଦିଆଯାଇଥିଲାା

ସମ୍ବନ୍ଧିତ ଖବର