ଝାରପଡ଼ାରେ ‘ଆଲବର୍ଟ ମ୍ୟୁଜିୟମ୍‌’

ଭୁବନେଶ୍ବର: ୭ ବର୍ଷ ଧରି ରାଜଧାନୀବାସୀଙ୍କୁ ଆକର୍ଷିତ କରୁଥିବା ଝାରପଡ଼ା ଦୁର୍ଗାପୂଜା ମଣ୍ଡପ ଏଥର ମଧ୍ୟ ନିଆରା ତୋରଣରେ ଝଲସିବ। ରାଜସ୍ଥାନର ‘ଆଲବର୍ଟ ମ୍ୟୁଜିୟମ୍‌’ରେ ଆବିର୍ଭାବ ହେବେ ମା’। ପଶ୍ଚିମବଙ୍ଗର କାରିଗର ପ୍ରତାପ ଚନ୍ଦ୍ର ଗିରିଙ୍କ ସହ ୫୦ଜଣ ସହଯୋଗୀ କାରିଗର ଦେଢ଼ ମାସ ହେଲା ତୋରଣ ନିର୍ମାଣରେ ଲାଗି ପଡ଼ିଛନ୍ତି। ବାଉଁଶ, କାଠ ବିଟ୍‌, ପ୍ଲାଏ, ଫାଇବର, ସନପେକ୍‌, ୟୁନିଫୋମ୍‌, କାଚ ମାଳି ଓ କାଚ ରଙ୍ଗିନ୍‌ ପାଇପ୍‌ ତୋରଣରେ ବ୍ୟବହାର ହେବ।

ଓଡ଼ିଶା କାରିଗର ସନ୍ତୋଷ କୁମାର ବେହେରାଙ୍କ ଦ୍ବାରା ୧୨ଫୁଟ ଉଚ୍ଚତା ବିଶିଷ୍ଟ ମା’ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପ୍ରସ୍ତୁତି ଚାଲିଛି। ୨୦ ଫୁଟ୍‌ ଉଚ୍ଚତାର ବୁଲେନ୍‌ ଓ ସୁନେଲି ମେଢ଼ ତିଆରି କରାଯାଇଛି। ମା’ଙ୍କ ସହ ପାର୍ଶ୍ବ ଦେବତାମାନେ ରୂପା ଅଳଙ୍କାରରେ ଭକ୍ତଙ୍କୁ ଦର୍ଶନ ଦେବେ। ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ରହିଥିବା ବେଳେ ଭିତର ପାର୍ଶ୍ବରେ ୪ଟି ପ୍ରସ୍ଥାନ ରଖାଯାଇଛି। ତୋରଣ ଭିତରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ହୋଇଛି। ୩ଟି ମୁଖ୍ୟ ଗେଟ୍‌ ସମେତ ୫ଟି ଗେଟ୍‌ରେ ବିଭିନ୍ନ ପୌରାଣିକ, ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁକୁ ଏଲ୍ଇଡି ଓ ମେକାନିକାଲ ଷ୍ଟ୍ରକ୍‌ଚର୍‌ରେ ପ୍ରଦର୍ଶିତ କରାଯିବ। ସପ୍ତମୀ, ନବମୀ ଓ ଦଶମୀ ତିଥିରେ ଭକ୍ତଙ୍କ ପାଇଁ ଖେଚୁଡ଼ି ଭୋଗର ବ୍ୟବସ୍ଥା ହୋଇଥିବା ବେଳେ ଅଷ୍ଟମୀ ଦିନ ହାଲୁଆ ଭୋଗ ପ୍ରଦାନ କରାଯିବ। ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଭଜନ ଓ ‌େମଲୋଡି ସନ୍ଧ୍ୟା ଅନୁଷ୍ଠିତ ହେବ। ଗାୟକ ନିରଜ ବକ୍ସି ଓ ସୋହିନୀ ମିଶ୍ରଙ୍କ ଦଳ ସଙ୍ଗୀତ ପରିବେଷଣ କରିବେ। ପ୍ରତିବର୍ଷ ପରି ଏଥର ମଧ୍ୟ ଦଶମୀ ଦିନ ସନ୍ଧ୍ୟା ୭ଟାରେ ରାବଣ ପୋଡ଼ି ଅନୁଷ୍ଠିତ ହେବ। ୪୦ ଫୁଟର ରାବଣ ପୋଡ଼ି ସାଙ୍ଗକୁ ବିଭିନ୍ନ ପ୍ରକାର ଆତସବାଜି କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟିର ସଭାପତି ଶିଖର ଚନ୍ଦ୍ର ଜେନା ଓ ସମ୍ପାଦକ ଧରଣୀଧର ଜେନା କହିଛନ୍ତି।

ଡମଣାରେ ଶୋଭା ପାଇବ ‘ଲଳିତା ମହଲ’

ଚନ୍ଦ୍ରଶେଖରପୁର: ମା’ଙ୍କ ଆରାଧନା ପାଇଁ ପ୍ରସ୍ତୁତ ହେଲାଣି ଡମଣା ପୂଜା ମଣ୍ତପ। ଗୋପୀନାଥଜିଉ ଦୁର୍ଗାପୂଜା ସମିତି ପକ୍ଷରୁ ହେଉଥିବା ଏହି ପୂଜା ମଣ୍ତପ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ଲାଗି ପଡ଼ିଛନ୍ତି ଶିଳ୍ପୀ। ପ୍ରତିବର୍ଷ ପରି ଏଥର ବି ପୂଜାର ପ୍ରମୁଖ ଆକର୍ଷଣ ସାଜିବ ତୋରଣ। କର୍ଣ୍ଣାଟକ ମହିଶୂର ସହରର ପ୍ରସିଦ୍ଧ ଲଳିତା ମହଲ ପ୍ୟାଲେସ୍‌ ଆକୃତିକୁ ଏଥର ତୋରଣରେ ସ୍ଥାନ ଦିଆଯାଇଛି। ୫୮ ଫୁଟ ଓସାର ଓ ୫୫ ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ ଭିତରେ ମା’ ପୂଜା ପାଇବେ। କୋଲକାତାରୁ ଆସିଥିବା ୧୭ ଜଣ କାରିଗର ତୋରଣ ନିର୍ମାଣ କରୁଛନ୍ତି। ୭ ବର୍ଷରେ ପଦାର୍ପଣ କରୁଥିବା ଏହି ପୂଜା ମଣ୍ଡପରେ ୧୪ ଫୁଟ ଉଚ୍ଚତାର ମା’ଙ୍କ ମୃଣ୍ମୟ ମୂର୍ତ୍ତି ଦେଖିବାକୁ ମିଳିବ। ମା’ଙ୍କ ମୁଣ୍ତରେ ୯ କେଜି ଓଜନର ରୁପା ମୁକୁଟ ଶୋଭା ପାଇବ। ଷଷ୍ଠୀ ତିଥିରୁ ଏଠାରେ ବିଧିବଦ୍ଧ ଭାବେ ପୂଜା ଆରମ୍ଭ ହେବ। ସପ୍ତମୀରେ ଅଲେଖ ମହିମା ଟୁଙ୍ଗୀ ପୋଖରୀରୁ ୧୦୮ ମହିଳାଙ୍କ କଳସ ଶୋଭାଯାତ୍ରା ବାହାରି ପୂଜା ମଣ୍ତପରେ ପହଞ୍ଚିବ। ବିଧି ମୁତାବକ ଅଷ୍ଟମୀ, ନବମୀରେ ପୂଜା ସହ ମା’ଙ୍କ ପାଖରେ ଖେଚୁଡ଼ି ଓ ଦଶମୀରେ ଦହି ପଖାଳ ଭୋଗ ଲାଗିବ। ମଣ୍ତପ ନିକଟରେ ମୀନ ବଜାର ପଡ଼ିବ। ସପ୍ତମୀରେ ଭଜନ ସମାରୋହ, ଅଷ୍ଟମୀ ଓ ନବମୀରେ ମେଲୋଡ଼ି ପରିବେଷଣ କରାଯିବ। ମଣ୍ତପର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ୫ଟି ଏଲଇଡି ଲାଇଟ୍‌ର ତୋରଣ ସହ ୭୦ରୁ ୮୦ଟି ବୋର୍ଡ ଲାଇଟ୍‌ ଲଗାଯିବ। ପ୍ରତିବର୍ଷ ପରି ଏଥର ମଧ୍ୟ ରାବଣ ପୋଡ଼ି ସହ ପାରମ୍ପାରିକ ଓ ଆଧୁନିକ ବାଦ୍ୟଯନ୍ତ୍ରରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ।

ବଜେଟ୍‌ ୧୬ ଲକ୍ଷ
ଚଳିତବର୍ଷ ପୂଜା ପାଇଁ ୧୬ ଲକ୍ଷ ଟଙ୍କାର ବଜେଟ୍‌ ଆକଳନ ହୋଇଛି। ଡମଣା ଅଞ୍ଚଳର ଗୋପୀନାଥ ବ୍ଲକ, କ୍ରିଷ୍ଣା କ୍ଲବ, ମା’ ବାଉତେଲ୍‌ ମହିଳା ସମିତିର ତତ୍ତ୍ବାବଧାନରେ ପୂଜା କାର୍ଯ୍ୟ ସମ୍ପାଦିତ ହେବ। ପ୍ରତିଦିନ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ପ୍ରସାଦ ବ୍ୟବସ୍ଥା ହୋଇଛି। ପୂଜାରେ ସୁରକ୍ଷା ପାଇଁ ଶହେ ସ୍ବେଚ୍ଛାସେବୀଙ୍କ ସହ ସୁରକ୍ଷା କର୍ମୀ ନିୟୋଜିତ ହେବେ। ପଲିଥିନ୍‌ ଓ ପ୍ରଦୂଷଣମୁକ୍ତ ପୂଜା କରିବାକୁ ନିଷ୍ପତ୍ତି ହୋଇଛି।
ନିଶାକର ସାହୁ, ସଭାପତି

ସମ୍ବନ୍ଧିତ ଖବର