କେତେ ସୁରକ୍ଷିତ ଆମ ଅତିଥି

କ୍ରିକେଟ୍ ଓ ହକି ଖେଳାଳିଙ୍କ ପାଇଁ ଅଲଗା ଅଲଗା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ପାଇଁ ୧୬ଟି ଦେଶର ଖେଳାଳି ଆସି ଭୁବନେଶ୍ବରରେ ପହଞ୍ଚି ଗଲେଣି। ଖେଳାଳିଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ କମିସନର ବାରମ୍ବାର କହୁଛନ୍ତି। କିନ୍ତୁ ବିଦେଶୀ ଖେଳାଳି ଭୁବନେଶ୍ବରରେ କେତେ ସୁରକ୍ଷିତ ଅଛନ୍ତି, ତାହା ଆଜି ଘଟିଥିବା ଦୁଇଟି ଘଟଣାରୁ ବାରି ହୋଇପଡ଼ିଛି। ରାଜଧାନୀକୁ କ୍ରିକେଟ୍ ଖେଳାଳି ଆସିଲେ ଯେପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ ତାହାର କାଣିଚିଏ ବି ହକି ଖେଳାଳିଙ୍କ ପାଇଁ ନିଆଯାଇନି। ଯେମିତି ହକି ଖେଳାଳି ଭିଭିଆଇପି ନୁହନ୍ତି। କ୍ରିକେଟ୍‌ ଖେଳାଳିଙ୍କ ଜୀବନ ବହୁତ ମୂଲ୍ୟବାନ ଆଉ ହକି ଖେଳାଳିଙ୍କର ଜୀବନର ମୂଲ୍ୟ କିଛି ନାହିଁ। କେବଳ ଏତିକି ନୁହେଁ, ରାଜଧାନୀରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଭିଭିଆଇପିଙ୍କ ପାଇଁ ଯେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ସେହିଭଳି ବ୍ୟବସ୍ଥା ବି ହକି ଖେଳାଳିଙ୍କ ପାଇଁ ନିଆଯାଉନି। କମିସନରେଟ୍ ପୁଲିସ୍‌ର ଏ କି ପ୍ରକାରର ମନୋବୃତ୍ତି ବୋଲି ପ୍ରଶ୍ନ ଉଠିଲାଣି।

ଦେଖିଲେ ଲାଗୁଛି ହକି ଖେଳାଳିଙ୍କ ଜୀବନ ଯେମିତି ମୂଲ୍ୟବାନ ନୁହେଁ
ଖେଳାଳିଙ୍କ ବସ୍‌ ପାଖକୁ ମାଡ଼ି ଆସିଲା ବସ୍‌
ଚୀନ୍ ଖେଳାଳିଙ୍କୁ ଯୁବକଙ୍କ ଦୁର୍ବ୍ୟବହାର

ଖେଳାଳିଙ୍କ ଯାତାୟାତରୁ ଆରମ୍ଭ କରି ଅଭ୍ୟାସ କରୁଥିବା ପଡ଼ିଆ ପର୍ଯ୍ୟନ୍ତ କେଉଁଠି ବି ସେମାନେ ସୁରକ୍ଷିତ ନାହାନ୍ତି। କୌଣସି ମୁହୂର୍ତ୍ତରେ ବି ଖେଳାଳିଙ୍କ ଉପରେ ଆକ୍ରମଣ ହେଲେ ଏହାର ସାମ୍ନା କରିବାକୁ କମିସନରେଟ୍ ପୁଲିସ ପ୍ରସ୍ତୁତ ନାହିଁ ବୋଲି ଆଜି ସ୍ପଷ୍ଟ ବାରି ହୋଇପଡ଼ିଛି। ଅପରାହ୍‌ଣ ୨ଟାରୁ ୩ଟା ମଧ୍ୟରେ ଜୟଦେବ ବିହାର ଛକରେ ଘଟିଥିବା ଦୁଇଟି ଘଟଣା ଏହାର ସ୍ପଷ୍ଟ ପ୍ରମାଣ। ଅପରାହ୍‌ଣରେ କଳିଙ୍ଗ ଷ୍ଟାଡିୟମରେ ଚୀନ୍‌ର ଖେଳାଳିମାନେ ଅଭ୍ୟାସ କରୁଥିବା ବେଳେ ଏହି ପଡ଼ିଆ ନିକଟରେ ଥିବା ପାଚେରି ଉପରେ କେତେକ ଯୁବକ ଚଢ଼ି ଖେଳାଳିଙ୍କୁ କମେଣ୍ଟ ମାରିଥିଲେ। ଏପରିକି ଖେଳାଳିଙ୍କ ସହ ଆସିଥିବା ଜଣେ ଯୁବତୀଙ୍କୁ ବି ଯୁବକମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା। ଯୁବତୀଜଣଙ୍କ ସ୍ଥାନୀୟ ଯୁବକଙ୍କ ଭାଷା ବୁଝି ପାରିନଥିବାରୁ କିଛି ପ୍ରତିକ୍ରିୟା ଦେଇନଥିଲେ। କିନ୍ତୁ ଯୁବକମାନେ ଚୀନ୍ ଖେଳାଳିଙ୍କୁ ଓଡ଼ିଆ ଭାଷାରେ ଗାଳି କରି ଚାଲିଥିଲେ। ଆଉ କିଛି ଯୁବକ ପାଚେରି ଉପରେ ଚଢ଼ି ଚୀନ୍ ଖେଳାଳିଙ୍କ ଅଭ୍ୟାସ ମ୍ୟାଚ୍‌କୁ ଉପଭୋଗ କରିଥିଲେ। ସେମାନଙ୍କ ସହ ଇଂରାଜୀରେ ବି ଭଲ ବାର୍ତ୍ତାଳପ କରୁଥିବା ଦେଖିବାକୁ ମିଳିଥିଲା। ହେଲେ ଏହି ଅଞ୍ଚଳରେ କୌଣସି ପୁଲିସ କର୍ମଚାରୀ ମୁତୟନ ନଥିବାରୁ କମେଣ୍ଟ ମାରୁଥିବା ଯୁବକଙ୍କ ଉପରେ କେହି ଲଗାମ୍‌ ଲଗାଇବାକୁ ନଥିଲେ।

ଏଠାରେ ପ୍ରଶ୍ନ ଉଠୁଛି, କଡ଼ା ସୁରକ୍ଷା ବ୍ୟବସ୍ଥାରେ କଳିଙ୍ଗ ଷ୍ଟାଡିୟମ ଅଛି କହି ସୁରକ୍ଷା କର୍ମୀ ଷ୍ଟାଡିୟମ ଭିତରକୁ ସାମ୍ବାଦିକଙ୍କୁ ପ୍ରବେଶ କରାଇ ଦେଉ ନଥିବା ବେଳେ ପଡ଼ିଆ ବାହାରୁ ଖେଳାଳିଙ୍କ ପ୍ରତି ଥିବା ବିପଦକୁ ଏଡ଼ାଇବା ପାଇଁ ପୁଲିସ କିଛି ବି ପଦକ୍ଷେପ ନନେବା ସମସ୍ତଙ୍କୁ ଚକିତ କରିଛି। ସେହିପରି କମିସନରେଟ୍ ପୁଲିସ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା ପାଇଁ ସେମାନଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ବିମାନବନ୍ଦରରୁ ହୋଟେଲକୁ ଅଣାଯାଉଛି। ଏପରିକି ହୋଟେଲ୍‌ରୁ କଳିଙ୍ଗ ଷ୍ଟାଡିୟମକୁ ବି ନିଆଯାଉଛି। ଖେଳାଳି ଯାଉଥିବା ବସ୍‌ର ଆଗରେ ପାଇଲଟିଂ ଗାଡ଼ି ଯାଉଛି। କିନ୍ତୁ ଏଥିରେ ବି ଖେଳାଳି ସୁରକ୍ଷିତ ନାହାନ୍ତି। ଆଜି ଏହା ଜୟଦେବ ବିହାର ଛକରେ ସ୍ପଷ୍ଟ ବାରି ହୋଇପଡ଼ିଛି। ଗୋଟିଏ ଦେଶର ଖେଳାଳି ଷ୍ଟାଡିୟମରୁ ହୋଟେଲକୁ ଫେରୁଥିବା ବେଳେ ଜୟଦେବ ବିହାର ଛକରେ ଟ୍ରାଫିକ୍ ପୁଲିସ ଉଭୟ ପାର୍ଶ୍ବର ଗାଡ଼ି ଅଟକାଇଥିଲେ ହେଁ ଏକ ଯାତ୍ରୀବାହୀ ବସ୍‌ ଖେଳାଳିଙ୍କ ବସ୍‌ ଆଡ଼କୁ ମାଡ଼ି ଆସିଥିଲା। ଏହାପରେ ଟ୍ରାଫିକ୍ ପୁଲିସ୍ ବସ୍‌ ଆଗକୁ ଯାଇ ଅଟକାଇବାରୁ ବସ୍‌ଟି ଅଟକିଥିଲା। ଏପରିକି ଏହି ବସ୍‌ ଯିବା ସମୟରେ ପାଇଲଟିଂ ଗାଡ଼ି ଏବଂ ଖେଳାଳିଙ୍କ ବସ୍‌ ମଧ୍ୟରେ କେତେକ ଦୁଇ ଚକିଆ ଯାନ ଯାଉଥିବା ଦେଖିବାକୁ ମିଳିଥିଲା। ଆଜି ଯଦିଓ ଖେଳାଳିମାନେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥି‌ଲେ, ଆଗାମୀ ଦିନରେ ଏଭଳି ଢିଲା ସୁରକ୍ଷା ବ୍ୟବସ୍ଥାରେ ଯେ କିଛି ବଡ଼ ଧରଣର ଅଘଟଣ ନଘଟିବ, ତାହା କହି ହେବନି।

ସମ୍ବନ୍ଧିତ ଖବର