ପାଣି ପାଇଁ ନିଆଁ ଜଳିଲା

ଭୁବନେଶ୍ବର : ରାଜଧାନୀର ଅଧିକାଂଶ ସ୍ଥାନରେ ପାଣିର ଘୋର ଅଭାବ ଦେଖାଦେଇଛି। ଗାଧୋଇବା ଦୂରର କଥା ପିଇବା ପାଣି ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଆଜି ସାଲିଆସାହି ୱାର୍ଡ ନଂ.୨୬ର ବାସିନ୍ଦା ଟାୟାର ଜାଳି ବିଜୁପଟ୍ଟନାୟକ କଲେଜ ଛକ ନିକଟରେ ଦିନ ପ୍ରାୟ ସାଢ଼େ ୧୧ଟାରୁ ସାଢ଼େ ୨ଟା ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ। ଫଳରେ ଯାତାୟାତ ଠପ୍‌ ହୋଇଯାଇଥିଲା। ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ହେଲେ ପାଣି ଟ୍ୟାଙ୍କର ନ ଆସିବା ଯାଏ ରାସ୍ତାରୋକ ଜାରି ରହିବ ବୋଲି ଲୋକେ ଜିଦ୍‌ ଧରିଥିଲେ। ପାଣି ଟ୍ୟାଙ୍କର ପହଞ୍ଚିବା ପରେ ଲୋ‌େକ ରାସ୍ତାରୁ ହଟିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାତ୍ୟା ପରଠାରୁ ଅଧିକାଂଶ ସ୍ଥାନରେ ପାଇପ୍‌ ପାଣି ଆସୁନି। ଯେଉଁଠି ବି ଆସୁଛି ତାହା ପର୍ଯ୍ୟାପ୍ତ ନୁହେଁ। ବସ୍ତିକୁ ଟ୍ୟାଙ୍କର ପଶି ପାରୁନାହିଁ। କେଉଁଠି ବସ୍ତିଠାରୁ ଦୂରରେ ଟ୍ୟାଙ୍କରକୁ ରଖାଯାଉଛି। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ରହିବା ପରେ ବି ପାଣି ମିଳୁନି।

ସମ୍ବନ୍ଧିତ ଖବର