ଷ୍ଟାର୍ଟଅପ୍ ରୢାଙ୍କିଂ, ଓଡ଼ିଶା ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’
ବଡ଼ ସହରରେ ସ୍ଥାପନ ହେବ ଷ୍ଟାର୍ଟଅପ୍ କେନ୍ଦ୍ର
ଭୁବନେଶ୍ବର: ଷ୍ଟାର୍ଟଅପ୍ ରୢାଙ୍କିଂରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି। ୨୦୧୮ରେ ଦେଶର ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ପ୍ରସ୍ତୁତ ରୢାଙ୍କିଂରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ( ଟପ୍ ପର୍ଫର୍ମର) ରାଜ୍ୟ ମାନ୍ୟତା ହାସଲ କରିଛି। ସଚିବାଳୟ ସମ୍ମଳନୀ କକ୍ଷରେ ଆଜି ଅନୁଷ୍ଠିତ ରାଜ୍ୟ ଷ୍ଟାର୍ଟଅପ୍ ପରିଷଦ ବୈଠକରୁ ଏହି ସୂଚନା ମିଳିଛି। ବିଭିନ୍ନ କ୍ଷେତ୍ରକୁ ନେଇ ପ୍ରସ୍ତୁତ ହୋଇଥିବା ୩୮ଟି ମାନଦଣ୍ଡ ଅନୁଯାୟୀ ରାଜ୍ୟ ଗୁଡ଼ିକର ଉକ୍ତ ରୢାଙ୍କିଂ କରାଯାଇଛି। ଷ୍ଟାର୍ଟଅପ୍ ନୀତିର କାର୍ଯ୍ୟକାରିତାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମୀକ୍ଷା କରିବା ସହିତ ରାଜ୍ୟର ବଡ଼ ସହର ଗୁଡ଼ିକରେ ଷ୍ଟାର୍ଟଅପ୍ କେନ୍ଦ୍ର ସ୍ଥାପନକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ପ୍ରସ୍ତାବିତ କେନ୍ଦ୍ର ଗୁଡ଼ିକର ଉପଯୁକ୍ତ ପରିଚାଳନା ପାଇଁ ଏକ ବିସ୍ତୃତ ବ୍ୟବସାୟିକ ନୀତି ପ୍ରସ୍ତୁତ କରିବା ନିମନ୍ତେ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ଏଥିରେ ରାଜ୍ୟରେ ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ଼ କରିବା ଲାଗି ଓଡ଼ିଶାରେ ଏକ ଜାତୀୟ ସ୍ତରର ଷ୍ଟାର୍ଟଅପ୍ ସମ୍ମିଳନୀ ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିର ସମୀକ୍ଷା ବୈଠକରୁ ଏହା ମଧ୍ୟ ଜଣାଯାଇଛି ଏବେ ସୁଦ୍ଧା ଓଡ଼ିଶା ଷ୍ଟାର୍ଟଅପ୍ ପୋର୍ଟାଲ ଜରିଆରେ ୫୯୨ଟି ଷ୍ଟାର୍ଟଅପ୍ ଉଦ୍ୟୋଗ ସ୍ଥାପନ ହୋଇଛି। ଏଥିରୁ ୪୨୩ଟି ଷ୍ଟାର୍ଟଅପ୍ ଉଦ୍ୟୋଗକୁ ଷ୍ଟାର୍ଟଅପ୍ ପରିଷଦ ସ୍ବୀକୃତି ଦେଇଛି। ଏଥିରୁ ୧୩୮ଟି ଉଦ୍ୟୋଗ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ବର୍ତମାନ ସୁଦ୍ଧା ୭୩ଟି ଷ୍ଟାର୍ଟଅପ୍ ଓ ଉଷ୍ମାୟନ କେନ୍ଦ୍ରକୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଛି। ପ୍ରାୟ ୧୧୦ ଜଣ ମେଣ୍ଟର ପଞ୍ଜୀକୃତ ହୋଇଥିବା ବେଳେ ୧୨ ଉଷ୍ମାୟନ କେନ୍ଦ୍ର କାର୍ଯ୍ୟକାରୀ ହୋଇଛି। ନୂଆ ଚିନ୍ତାଧାରାର ଷ୍ଟାର୍ଟଅପ୍ ଉଦ୍ୟୋଗ ସୁପାରିସ ପାଇଁ ରାଜ୍ୟରେ ୧୨ଟି ନୋଡାଲ ଏଜେନ୍ସି ସ୍ଥାପନ ହୋଇଛି। ଏଥିସହିତ ୬୬ଟି ଔଦ୍ୟୋଗିକ-ତଥା-ଷ୍ଟାର୍ଟଅପ୍ ସେଲ୍ ସ୍ଥାପନ ହୋଇଛି। ଆଇସିଏଆର-ଏନଆରଆରଆଇ, କଟକ ପକ୍ଷରୁ ନୋଡାଲ ଏଜେନ୍ସି ପାଇଁ କରାଯାଇଥିବା ଆବେଦନକୁ ବୈଠକରେ ମଞ୍ଜୁରି ଦିଆଯାଇଛି। ୪୨୩ଟି ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ମଧ୍ୟରୁ ପ୍ରାୟ ୧୮% ଆଇଟି ସେବା କ୍ଷେତ୍ରର ହୋଇଥିବାବେଳେ ୯% ସ୍ବାସ୍ଥ୍ୟସେବା ଏବଂ ଜୀବବିଜ୍ଞାନ, ୯% ସବୁଜ ପ୍ରଯୁକ୍ତି, ୬% ଆନାଲିଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ୬% ଖାଦ୍ୟ ଏବଂ ପାନୀୟ, ୫% ଶିକ୍ଷା, ୩% ଭ୍ରମଣ ଓ ପର୍ଯ୍ୟଟନ ଏବଂ ୩୮% ଅନ୍ୟାନ୍ୟ କ୍ଷେତ୍ରର ବୋଲି ଜଣାଯାଇଛି। ଷ୍ଟାର୍ଟଅପ୍ ଉଦ୍ୟୋଗ ମଧ୍ୟରୁ ପ୍ରାୟ ୧୯୭ଟି ଉଦ୍ୟୋଗ ୨୦୧୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇ ଦେଇଛନ୍ତି। ଆଜିର ବୈଠକରେ ଏମଏସଏମଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ. ଏନ. ଗୁପ୍ତା, ଅର୍ଥ ସଚିବ ଅଶୋକ କୁମାର ମୀନା, ଶିଳ୍ପ ନିର୍ଦେଶକ ପ୍ରଣବଜ୍ୟୋତି ନାଥ, ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ରୁଦ୍ର ନାରାୟଣ ପଲେଇଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।