ପୂର୍ତ ବିଭାଗର ନାହିଁ ଟ୍ରାଫିକ୍‌ ଚିନ୍ତା, ମାସେ ହେଲାଣି ସୁପାରିସ ଚିଠି ମାଡ଼ି ବସିଛି ବିଭାଗ

ପ୍ଲାଷ୍ଟିକ ବ୍ୟାରିକେଡ୍‌ ବଦଳରେ ହେବ ସିମେଣ୍ଟ ବ୍ୟାରିକେଡ୍

ଭୁବନେଶ୍ବର: ପ୍ରଥମେ ପୂର୍ତ ବିଭାଗ ବମିଖାଲ ଫ୍ଲାଏଓଭର ନିର୍ମାଣରେ ବିରାଟ ତ୍ରୁଟି କଲା। ଏହି ତ୍ରୁଟି ପାଇଁ ଯେଉଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି, ତାର ସମାଧାନ ପାଇଁ ମଧ୍ୟ ଚିନ୍ତା କରୁନାହିଁ। ଓଲଟି କମିସନରେଟ ପୁଲିସ ପକ୍ଷରୁ ଦିଆଯାଇ ଥିବା କେ‌ତେକ ସୁପାରିସକୁ ଫାଇଲ ତଳେ ଚାପି ରଖିଛି। ଯେଉଁ କାରଣରୁ ଏହି ଫ୍ଲାଏଓଭର ଉପରେ ଏବେ ପ୍ରତ୍ୟେକ ଦିନ ଦୁର୍ଘଟଣା ବଢ଼ି ଚାଲିବା ସହିତ ଏସପ୍ଲାନେଡ ଛକରେ ସଂଘାତିକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଯାହାର ପ୍ରଭାବ କଟକରୋଡରେ ଯିବା ଆସିବା କରୁଥିବା ଗାଡ଼ିମୋଟର ଉପରେ ପଡ଼ିବାରେ ଲାଗିଛି। ଖାସ ଏଥିପାଇଁ କମିସନରେଟ ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହି ଫ୍ଲାଏଓଭର ଓ ଏସପ୍ଲାନେଡ ଛକର ସମସ୍ୟା ସମାଧାନ ପାଇଁ ପ୍ରତ୍ୟେକ ଦିନ ପୁଲିସ କମିସନରଙ୍କଠାରୁ ଆରମ୍ଭ କରି ଡିସିପି, ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଆସୁଛି। ଏ ନେଇ ଟ୍ରାଫିକ ଥାନାରେ ମଧ୍ୟ ଅଭିଯୋଗ ବଢ଼ିବାରେ ଲାଗିଛି। ଏହି ସମସ୍ୟାର ସମାଧାନ ପାଇଁ କମିସନରେଟ ପୁଲିସ ଏକ ଯୋଜନା କରିଛି। ଯୋଜନା ମୁତାବକ, ବମିଖାଲ ଫ୍ଲାଏଓଭରକୁ ସଂପୂର୍ଣ୍ଣ ଭାବେ ୱାନ ସାଇଡ କରାଯିବ। ଫ୍ଲାଷ୍ଟିକ ବ୍ୟାରିକେଡ ହଟା ଯାଇ ସିମେଣ୍ଟର ସ୍ଥାୟୀ ବ୍ୟା‌ରିକେଡ କରାଯିବ। ଏହା ଦ୍ବାରା କେହି ଆଉ ଫ୍ଲାଏ ଓଭର ଉପରେ ଗାଡି ବୁଲାଇ ରଙ୍ଗ୍ ରୁଟରେ ଯାଇ ପାରିବେ ନାହିଁ।

ଟ୍ରାଫିକ ଏସିପି କିଶୋରଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଫ୍ଲାଏଓଭର ଖୋଲା ହୋଇ ଯିବା ପରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ପ୍ରଥମେ କମିସନରେଟ ପୁଲିସ ପକ୍ଷରୁ ପୂର୍ତ ବିଭାଗକୁ କୁହାଯାଇ ପ୍ଲାଷ୍ଟିକ ଡିଭାଇଡର ଲଗାଯାଇଥିଲା‌। କିନ୍ତୁ ଏହି ପ୍ଲାଷ୍ଟିକ ଡିଭାଇଡର ମଧ୍ୟରୁ କେତେକ ଭାଙ୍ଗି ଗଲାଣି। ଲୋକେ ସେହି ଫ୍ଲାଏଓଭର ଉପରେ ଗାଡି ମୋଟର ବୁଲାଇ ଯିଏ ଯାଆଡେ ପାରୁଛନ୍ତି ଯାଉଛନ୍ତି। ରଙ୍ଗରୁଟରେ ମଧ୍ୟ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଉଛନ୍ତି। ଏହି କାରଣରୁ ଏସପ୍ଲାନେଡ ଛକରେ ଅହେତୁକ ଭିଡ଼ ମଧ୍ୟ ହେଉଛି। ଗତ ଏକ ମାସ ତଳେ କମିସନରେଟ ପୁଲିସ ପକ୍ଷରୁ ଏକ ଚିଠି ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦିଆଯାଇଥିଲା। ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ପ୍ଲାଷ୍ଟିକ ବ୍ୟାରିକେଡ ହଟାଇ ସିମେଣ୍ଟ ବ୍ୟାରିକେଡ କରିବାକୁ। ସହିଦନଗର ପର୍ଯ୍ୟନ୍ତ ବାରିକେଡ କରିବାକୁ କୁହାଯାଇଛି। କିନ୍ତୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଚିଠି ଚାପି ଦେଇଛି ପୂର୍ତ ବିଭାଗ। ଯାହା ଫଳରେ ଏବେ ଫ୍ଲାଏଓଭର ଉପରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଦୁର୍ଘଟଣା ମଧ୍ୟ ଘଟୁଛି।
ବଡ଼ କଥା ହେଉଛି ଏଭଳି ଚିଠି ବା ସୁପାରିସ ସମ୍ପର୍କରେ ପୂର୍ତ ବିଭାଗ ଅସ୍ବୀକାର କରୁଛି। ପୂର୍ତ ବିଭାଗର ଡିଭିଜନ-୪ ନିର୍ବାହୀ ଯନ୍ତ୍ରୀ ସେକ ନସରୁଲା କହିଛନ୍ତି, ଏଭଳି ଚିଠି ଆମର ହସ୍ତଗତ ହୋଇନାହିଁ। ତେଣୁ ଆମ୍ଭେ ସେ ଦିଗରେ ଆଗେଇ ପାରିନାହୁଁ। ଅନ୍ୟପକ୍ଷରେ ସିମେଣ୍ଟ ବ୍ୟାରିକେଡ ଲାଗିଲେ ଏହାର ପ୍ରଭାବ ସିଧା ସଳଖ, ବମିଖା‌ଲ ଓ ସହିଦନଗର ଲୋକଙ୍କ ଉପରେ ପଡ଼ିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର