ଏମ୍‌ସରେ କୁ-ପୋଷଣ କର୍ମଶାଳା, ଦାରିଦ୍ର୍ୟ ନୁହେଁ, ଅଜ୍ଞତା କୁ‌ପୋଷଣର କାରଣ

ଖଣ୍ଡଗିରି: ମହିଳା ଓ ଶିଶୁଙ୍କଠାରେ ଦେଖା ଯାଉଥିବା କୁପୋଷଣଜନିତ ରୋଗଗୁଡ଼ିକ ଦାରିଦ୍ର୍ୟ ଯୋଗୁଁ ହୋଇନଥାଏ। ଦାରିଦ୍ର୍ୟ ଏଥିପାଇଁ କିଛି ମାତ୍ରାରେ ଦାୟୀ ହୋଇଥିଲେ ମଧ୍ୟ ବଡ଼ କାରଣ ହେଉଛି ଅଜ୍ଞତା। ଅନ୍ଧବିଶ୍ବାସ ଓ ସଚେତନତା କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଅଭାବ ମଧ୍ୟ ଏଥିପାଇଁ ବହୁ ମାତ୍ରାରେ ଦାୟୀ। ତେଣୁ ଗଣମାଧ୍ୟମ ସ୍ବାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ବ ଦେବା ଜରୁରୀ। ଭୁବନେଶ୍ବର ଏମ୍‌ସ କମ୍ୟୁନିଟି ମେଡିସିନ୍‌ ଓ ଫ୍ୟାମିଲ୍‌ ମେଡିସିନ୍‌ ବିଭାଗ ଏବଂ ୟୁନିସେଫ୍ ମିଳିତ ଭାବେ ଆୟୋଜନ କରିଥିବା ଏକ କର୍ମଶାଳାରେ ଏହି ମତ ପ୍ରକାଶ ପାଇଛି। ପ୍ରାରମ୍ଭରେ ଏମ୍‌ସର ବିଭାଗୀୟ ମୁଖ୍ୟ ପ୍ରଫେସର୍‌ ବିକାଶ ଭାଟିଆ କୁପୋଷଣର କାରଣ ଉପରେ କହିଥିଲେ। ଶିଶୁ ଜନ୍ମ ହେବାର ଘଣ୍ଟାକ ପରେ ମା’ ଦୁଧ ପିଆଇବା ସହ ଏହା ୬ ମାସ ପର୍ଯ୍ୟନ୍ତ ଜାରି ରଖିବା ଉଚିତ୍। ମାତ୍ର ଏବେ ବି କିଛି ଆଦିବାସୀ ଅଞ୍ଚଳରେ ମା’ର ପ୍ରଥମ କ୍ଷୀରକୁ ସେମାନଙ୍କ ଠାକୁରାଣୀକୁ ଅର୍ପଣ କରାଯାଉଛି। ସେହିଭଳି ଅତ୍ୟାଧୁନିକ ମହିଳାମାନେ ଶିଶୁକୁ କ୍ଷୀରପାନ କରାଉନଥିବାରୁ ଉଭୟ ମା’ ଓ ଶିଶୁ ଭବିଷ୍ୟତରେ ବହୁ ମୂଲ୍ୟ ଦେଉଛନ୍ତି ବୋଲି ସେ କହିଥିଲେ।

ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାତ୍ମାନ‌ବାନେ କହିଥିଲେ ଯେ ବିଜ୍ଞାପନ ଦ୍ବାରା ଫାଷ୍ଟଫୁଡ୍‌ ଲୋକଙ୍କ ଯେତିକି ନିକଟତର ହେଉଛି, ସରକାରଙ୍କ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସେତିକି ମାତ୍ରାରେ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଲୋକେ ୫ ଟଙ୍କାରେ ଅଣ୍ଡା କିଣି ଖାଉନାହାନ୍ତି, ମାତ୍ର ୧୦/୨୦ ଟଙ୍କିଆ ଜଙ୍କଫୁଡ୍‌ ପ୍ୟାକେଟ୍‌ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି ବୋଲି ସେ କହିଥିଲେ। ୟୁନିସେଫ୍‌ର ଡ. ସୌରଭ ଭଟ୍ଟାଚାର୍ଯ୍ୟ କହିଲେ ଯେ କେବଳ ଅନଟନ ଯଦି କୁପୋଷଣର କାରଣ ହୋଇଥାଆନ୍ତା, ତେବେ ସ୍ବଚ୍ଛଳ ବର୍ଗର ପିଲାଙ୍କଠାରେ କୁପୋଷଣଜନିତ ରୋଗ ସୃଷ୍ଟି ହେଉନଥାଆନ୍ତା। କୁପୋଷଣ ବିଲୋପ କରିବାରେ ଗଣମାଧ୍ୟମର ଭୂମିକା ଉପରେ ମତ ରଖି କହିଲେ ଯେ ବାର୍ତ୍ତା ସହ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଦ୍ବାରା ପରିବର୍ତ୍ତିତ ସମାଜର ଚିତ୍ରକୁ ଅଧିକରୁ ଅଧିକ ପ୍ରସାରିତ କରିବା ଜରୁରୀ। ଏମ୍‌ସର ବିଭାଗୀୟ ଆସୋସିଏଟ୍‌ ପ୍ରଫେସର ସ୍ବୟଂପ୍ରଜ୍ଞା ପରିଡ଼ା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର