କମୁଛି ଦର : ବଜାରରେ ଆଳୁ ୨୦, ପିଆଜ ୩୦ ଟଙ୍କା

ଭୁବନେଶ୍ବର : ଲଗାତର ଦୁଇ ଦିନ ହେଲା ଆଳୁ ପିଆଜ ଦର ହ୍ରାସ ପାଇବାରେ ଲାଗିଛି। ଶନିବାର ଖୁଚୁରା ବଜାରରେ ଆଳୁ ଦର ୨୦ ଟଙ୍କା ଓ ପିଆଜ ଦର ୩୦ ଟଙ୍କାକୁ ଖସି ଆସିଛି। ଆଗକୁ ଆହୁରି କମିବ ବୋଲି ପାଇକାରୀ ବ୍ୟବସାୟୀମାନଙ୍କଠାରୁ ସୂଚନା ମିଳିଛି।

କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଆଳୁ ଆମଦାନି ପୂର୍ବଭଳି ସ୍ବାଭାବିକ ରହିଛି। ଶନିବାର ୨୫ ଟ୍ରକ (ପାଖାପାଖି ୪୦୦ ଟନ୍‌) ଆଳୁ ଭୁବନେଶ୍ବରକୁ ଆସିଛି। ପାଇକାରୀ ଦର ହିସାବରେ କ୍ବିଣ୍ଟାଲ ପିଛା ୧୫ ଶହରେ ଆଳୁ ବିକ୍ରି ହେଉଥିବାବେଳେ ପିଆଜ କ୍ବିଣ୍ଟାଲ ପିଛା ୨୨ ଶହ ଟଙ୍କା ରହିଛି। ତେଣୁ ଖୁଚୁରା ବଜାରରେ ଆଳୁ କିଲୋ ୨୦ ଟଙ୍କା ଏବଂ ପିଆଜ କିଲୋ ୩୦ ଟଙ୍କା ପଡ଼ୁଛି। ଗତ ୨ ଦିନ ପୂର୍ବେ ଆଳୁ କ୍ବିଣ୍ଟାଲ ୧୯ ଶହ ଟଙ୍କା ଓ ପିଆଜ କ୍ବିଣ୍ଟାଲ ୨୮ ଶହ ଟଙ୍କାରେ ପହଞ୍ଚି ଯାଇଥିଲା। କିନ୍ତୁ ଖୁଚୁରା ବଜାରେ ଆଳୁ କିଲୋ ୨୬ ଟଙ୍କା ଓ ପିଆଜ କିଲୋ ୩୫ ଟଙ୍କା ଥିଲା। ତେବେ ତାଲାବନ୍ଦ ପ୍ରଭାବରୁ ଗ୍ରାହକଙ୍କ ଭିଡ଼ ପାଇଁ କିଛି କିଛି ସ୍ଥାନରେ ଖୁଚୁରା ବେପାରୀମାନେ ଆଳୁ ଦର ୩୦ ଟଙ୍କା ଓ ପିଆଜ ଦର ୪୦ ଟଙ୍କାକୁ ବୃଦ୍ଧି କରି ଖାଉଟିଙ୍କୁ ଶୋଷଣ କରିବାକୁ ପଛାଇନଥିଲେ।

କିନ୍ତୁ ଏବେ ପରିସ୍ଥିତି ବଦଳିବାକୁ ଲାଗିଛି। କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନାନୁସାରେ ତାଲା ବନ୍ଦ ୨୨ ତାରିଖରୁ ଲାଗୁ ହେଲା। ଆଳୁ ପିଆଜ ମିଳିବ ନାହିଁ ଓ ଦର ବଢ଼ି ଚାଲିବ ବୋଲି ଗୁଜବରେ ପ୍ରଭାବିତ ହୋଇ ଲୋକେ ଆବଶ୍ୟକତାରୁ ଅଧିକ ସାମଗ୍ରୀ କିଣି ଘରେ ମହଜୁଦ୍ କରିବାରେ ଲାଗିପଡ଼ିଲେ। ଫଳରେ ଅସାଧୁ ଖୁଚୁରା ବେପାରୀମାନେ ମଉକା ହାତଛଡ଼ା ନକରି ମନ ଇଛା ଦର ବଢ଼ାଇ ଚାଲିଲେ। ଏମିତି ପରିସ୍ଥିତି ପ୍ରାୟ ୨୬ ତାରିଖ ପର୍ଯ୍ୟନ୍ତ ଲାଗି ରହିଲା। କିନ୍ତୁ ଏବେ ଦୁଇ ଦିନ ହେଲା ଆଉ ବଜାର ଭିଡ଼ ନାହିଁ। ଲୋକଙ୍କ ଘରେ ମହଜୁଦ୍ ରହିଛି ଓ କିଛି କିଛି ଖୁଚୁରା ବେପାରୀମାନଙ୍କ ପାଖରେ ମଧ୍ୟ ଆଳୁ ପିଆଜ ମହଜୁଦ୍ ରହିଛି। ଏ କ୍ଷେତ୍ରରେ ଆମଦାନି ସ୍ବାଭାବିକ ଥିବାରୁ ପାଇକାରୀ ଗୋଦାମରୁ ମାଲ୍ ବିକ୍ରି ହ୍ରାସ ପାଇଛି। ଫଳରେ ପାଇକାରୀ ଦର କମିଛି ଓ ସେହି ଅନୁସାରେ ଖୁଚୁରା ଦର ମଧ୍ୟ କମୁଛି।

ସମ୍ବନ୍ଧିତ ଖବର