ଚନ୍ଦକା ଶିଳ୍ପାଞ୍ଚଳରେ ଜଳଯୋଗାଣରେ ଅବ୍ୟବସ୍ଥା: ଘରକୁ ପାଣି ଆସୁନି, ରାସ୍ତାରେ ଲହଡ଼ି ଭାଙ୍ଗୁଛି

ଚନ୍ଦ୍ର‌ଶେଖରପୁର: ଚନ୍ଦକା ଶିଳ୍ପାଞ୍ଚଳ‌ର ‘ଏଫ୍‌’ ସେକ୍ଟରରେ ଜଳଯୋଗାଣରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ଲୋକଙ୍କ ଘରକୁ ଟୋପାଏ ପାଣି ଆସୁ ନ ଥିବା ବେଳେ ରାସ୍ତାରେ ପାନୀୟ ଜଳ ଲହଡ଼ି ଭାଙ୍ଗୁଛି। ଦିନେ କି ଦୁଇ ଦିନ ନୁହେଁ, ୪ ସପ୍ତାହ ହେଲା ଏଭଳି ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ। ପାନୀୟ ଜଳ ପାଇପ୍‌ ମରାମତି କରାଯାଉନି କି ଦୀର୍ଘ ଦିନ ଧରି ଜାରି ରହିଥିବା ସମସ୍ୟାର ସ୍ଥାୟୀ ସମାଧାନ ହେଉନି।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଇନ୍‌ଫୋସିଟି ଛକରୁ ଶୈଳଶ୍ରୀବିହାର ସାଇ ମନ୍ଦିର ପର୍ଯ୍ୟନ୍ତ ନିର୍ମାଣାଧୀନ ୮୦ ଫୁଟିଆ ରାସ୍ତା ଯୋଗୁଁ ଅଧିକାଂଶ ସ୍ଥାନରେ ମୁଖ୍ୟ ଜଳଯୋଗାଣ ପାଇପ୍‌ ଫାଟି ଯାଇଛି, ଯେଉଁଥିପାଇଁ ଲୋକେ ପାଣି ପାଇ ପାରୁନାହାନ୍ତି। ଆଗରୁ ବି ଅନେକଥର ଏମିତି ସମସ୍ୟା ହୋଇଥିଲା। କେତେବେଳେ ରାସ୍ତା ନିର୍ମାଣ ଯୋଗୁଁ ପାଣି ପାଇପ୍‌ ଫାଟି ଯାଉଛି ତ ଆଉ କେତେବେ‌ଳେ ରକ୍ଷଣାବେକ୍ଷଣରେ ତ୍ରୁଟି ପରିଲକ୍ଷିତ ହେଉଛି। ପମ୍ପ ହାଉସ୍‌ରେ ଯାନ୍ତ୍ରିକ ତ୍ରୁଟି, ପମ୍ପ ଚଲାଇବା ପାଇଁ କର୍ମଚାରୀଙ୍କ ଅଭାବ ଯୋଗୁଁ ମଧ୍ୟ ନିୟମିତ ଭାବେ ଜଳଯୋଗାଣ ସମ୍ଭବପର ହେଉନାହିଁ। ଶିଖରଚଣ୍ଡି ଛକରୁ ଶୈଳଶ୍ରୀବିହାର ସାଇ ମନ୍ଦିର ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ପ୍ରଶସ୍ତୀକaରଣ କାର୍ଯ୍ୟ ଯୋଗୁଁ ଅଧିକାଂଶ ସ୍ଥାନରେ ମୁଖ୍ୟ ଜଳଯୋଗାଣ ପାଇପ୍‌ଗୁଡ଼ିକ ଡ୍ରେନ୍ ତଳେ ରହିଯାଇଛି। ଏହାକୁ ରାସ୍ତା ପାଖକୁ ଉଠାଇବା ପାଇଁ ଇଡ୍‌କୋ କିମ୍ବା ପୂର୍ତ୍ତ ବିଭାଗ କର୍ତୃପକ୍ଷ କେହି ଗୁରୁତ୍ବ ଦେଇ ନାହାନ୍ତି। ପରିଣାମସ୍ବରୂପ ଅଧିକାଂଶ ସ୍ଥାନରେ ପାଣି ପାଇପ୍‌ ଫାଟି ନର୍ଦ୍ଦମା ଜଳ ସହ ମିଶୁଛି। ପରିବେଶ ଦୂଷିତ ହେବା ସହ ଗ୍ରାହକଙ୍କ ଘରକୁ ନର୍ଦ୍ଦମା ପାଣି ଯାଉଛି। ଏହି ଅଞ୍ଚଳ ଲାଗି ପାନୀୟ ଜଳ ଅତ୍ୟନ୍ତ ଆବଶ୍ୟକ ହୋଇଥିଲେ ମଧ୍ୟ ପ୍ରତି ମାସରେ ୮ରୁ ୧୦ଦିନ ଜଳଯୋଗାଣ ବାଧାପ୍ରାପ୍ତ ହେଉଛି। ଅଥଚ ଇଡ୍‌କୋ କର୍ତୃପକ୍ଷ ଦୈନିକ ହାରରେ ବିଲ୍‌ ଆଦାୟ କରୁଛନ୍ତି। ମାସ ଶେଷରେ ବିଲ୍‌ ପ୍ରଦାନ ନ କଲେ, ଦୈନିକ ୧୪ ପ୍ରତିଶତ ସୁଧ ମିଶାଇ ଆଦାୟ କରାଯାଉଛି। ମାସିକ ପାଣି ବିଲ୍‌ ୭୦୦ ଟଙ୍କା ହୋଇଥିବା ବେଳେ ବିଭିନ୍ନ ଶୁଳ୍କର ଆଳ ଦେଖାଇ ସର୍ବନିମ୍ନ ୧୪୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି। ହେଲେ ଗ୍ରାହକଙ୍କୁ ଦୈନିକ ଆବଶ୍ୟକତା ଅନୁଯାୟୀ ଜଳ ମିଳୁନି।

ଜଳଯୋଗାଣ ଅବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ସମୟରେ ଖବର ପ୍ରସାରିତ ହୋଇଛି। ବାରମ୍ବାର ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ତା’ ପରେ ବି ଏହି ସମସ୍ୟାର ସ୍ଥା‌ୟୀ ପ୍ରତିକାର କରାଯାଉନାହିଁ। ଏଭଳି ଅବ୍ୟବସ୍ଥା ପାଇଁ କେତେକ ଗ୍ରାହକ ଇତିମଧ୍ୟରେ ବିକଳ୍ପ ବ୍ୟବସ୍ଥା ଆପଣାଇ ସାରିଲେଣି। ଆଉ କିଛି ଜଳଯୋଗାଣ ବିଚ୍ଛିନ୍ନ କରିଛନ୍ତି। ତା’ପରେ ବି କର୍ତୃପକ୍ଷଙ୍କ ନିଦ ଭାଙ୍ଗୁନି।

ସମ୍ବନ୍ଧିତ ଖବର