ମାଓମୁକ୍ତ ନୁହେଁ ବୌଦ୍ଧ ଜିଲ୍ଲା! କମ୍ବିଂ ଅପରେସନ ଜୋର୍‌ଦାର୍‌

ଫୁଲବାଣୀ: ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଏବେ କମ୍ବିଂ ଅପରେସନ୍‌ ଜୋର୍‌ଦାର୍‌ ହୋଇଛି। ଫଳରେ, ଗତ କିଛି ଦିନ ଧରି ଉଭୟ ଜିଲ୍ଲାର ସୀମାନ୍ତ ଅଞ୍ଚଳ ସ୍ପର୍ଶକାତର ରହିଛି। ଆଜି ସିଆର୍‌ପିଏଫ୍‌ର ଦୁଇଟି ହେଲିକେପ୍ଟର କନ୍ଧମାଳ-ବୌଦ୍ଧ ଆକାଶରେ ଉଡ଼ୁଥିବା ଦେଖା ଯାଇଥିଲା। ସିଆର୍‌ପିଏଫ୍‌ର ଉଚ୍ଚ ପଦାଧିକାରୀଙ୍କ ଆକାଶ ମାର୍ଗରୁ ମାଓବାଦୀଙ୍କ ଗତିବିଧି ନିରୀକ୍ଷଣ ହୋଇ ଥାଇପାରେ ବୋଲି କନ୍ଧମାଳ ଏସ୍‌ପି ଭିନୀତ୍‌ ଅଗ୍ରୱାଲ ସୂଚନା ଦେଇଛନ୍ତି। ତେବେ, କନ୍ଧମା‌ଳ ଜିଲ୍ଲାରେ କୌଣସି ହେଲିକପ୍ଟର ଲ୍ୟାଣ୍ଡିଂ କରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏବେ ମାଓବାଦୀ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଜଙ୍ଗଲରେ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି। ଗତ ୨୦୧୯ ମସିହାରେ ବୌଦ୍ଧ ଜିଲ୍ଲାକୁ ସରକାର ମାଓମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଥିଲେ। ମାତ୍ର, ଏବେ ପୁନର୍ବାର ମାଓବାଦୀ ବୌଦ୍ଧ ଜିଲ୍ଲାର ଜଙ୍ଗଲରେ ନିଜର ସ୍ଥିତି ଜାହିର କ‌ରିବା ଫଳରେ ମାଓ ମୁକ୍ତ ଜିଲ୍ଲା ଘୋଷଣା ଭୁଲ ପ୍ରମାଣିତ ହୋଇଛି।

କନ୍ଧମାଳ ଜିଲ୍ଲା କୋଟଗଡ଼, ଶ୍ରୀରାମପୁର, ସୁବର୍ଣ୍ଣଗିରି, ତୁମୁଡ଼ିବନ୍ଧ, ବେଲଘର, ବାଲିଗୁଡ଼ା ବାଲିଗୁଡ଼ା, ସାଡ଼ିଙ୍ଗିଆ, ଖମନଖୋଲ, ବାରଖମା ଏବଂ ଗୋଛାପଡ଼ା ଓ ବାଲନ୍ଦାପଡ଼ାରେ ମୋଟ ୧୨ଟି ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ରହିଛି। ବର୍ତ୍ତମାନ ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୋଛାପଡ଼ା ଓ କଣ୍ଟାମାଳ ଜଙ୍ଗଲରେ ମାଓବାଦୀ ସକ୍ରିୟ ଥିବାରୁ ପୁଲିସ ଆଖିରୁ ନିଦ ହଜି ଯାଇଛି। ଗତ ୬ ମାସ ମଧ୍ୟରେ ୧୦ରୁ ଅଧିକ ଥର ପୁଲିସ ଓ ମାଓବାଦୀ ମୁହାଁମୁହିଁ ହେଲେଣି। ମାତ୍ର, ଏଥିରେ କୌଣସି ମାଓବାଦୀ ନିହତ ହୋଇ ନାହାନ୍ତି। ଗତ ୯ ତାରିଖ ମାଓ ଅପରେସନ ବେଳେ ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ମାଓବା ଆଦୌ ପଛଘୁଞ୍ଚା ଦେଉ ନଥିବାରୁ ପୁଲିସ ମଧ୍ୟ ଅଧିକ ବଳ ଗୋଟାଇ ଆଗକୁ ମାଡ଼ି ଚାଲିଛି। ଉଭୟ ପଟୁ ଗୁଳି ବିନିମୟ ଜାରି ରହିଛି ବୋଲି କନ୍ଧମାଳ ଏସ୍‌ପି ଶ୍ରୀ ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି।

ବିଶେଷ କରି, କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼(କେକେବିଏନ୍‌) ଡିଭିଜନ୍ର‌ ମାଓବାଦୀ କନ୍ଧମାଳରେ ସକ୍ରିୟ ଅଛନ୍ତି। ପଡ଼ୋଶୀ ବୌଦ୍ଧ, କଳାହାଣ୍ଡି ଏବଂ ନୟାଗଡ଼ ଜିଲ୍ଲାରେ ମଧ୍ୟ ଏମାନଙ୍କ ଗତିବିଧି ଜାରି ରହିଛି। ଗତ କିଛି ମାସ ଧରି ଏମାନେ ମୁଖ୍ୟତଃ କନ୍ଧମାଳ ଓ ବୌଦ୍ଧ ସୀମାବର୍ତ୍ତୀ ଗୋଛାପଡ଼ା ଓ କଣ୍ଟାମାଳ ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଏହା ପୂର୍ବରୁ ଏମାନେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଓ କଳହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଅଞ୍ଚଳରେ ସକ୍ରିୟ ଥିଲେ। କିନ୍ତୁ କେକେବିଏନ୍‌ ସଂଗଠନର ମାଓବାଦୀମାନେ ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକରୁ ଆରମ୍ଭ କରି ଫିରିଙ୍ଗିଆ ବ୍ଲକର ଗୋଛାପଡ଼ା ଏବଂ ଖଜୁରୀପଡ଼ା ବ୍ଲକର ରାଣୀପଥର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ସେମାନଙ୍କ ଉପସ୍ଥିତି ଜାହିର କରିଥିବାରୁ ପୁଲିସ ପାଇଁ ପୁଣି ମୁଣ୍ଡବ୍ୟଥାର କାରଣ ସାଜିଛି। ଏହିସବୁ ଅଞ୍ଚଳ ପାହାଡ଼ ଓ ଘଞ୍ଚ ଜଙ୍ଗଲପୂର୍ଣ୍ଣ ଥିବାରୁ ମାଓବାଦୀଙ୍କ ପାଇଁ ଏହା ଅନୁକୂଳ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧିତ ଖବର