କ୍ୟାପିଟାଲ ହସ୍ପିଟାଲର ୨ କର୍ମଚାରୀଙ୍କୁ କରୋନା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ବି କରୋନା କବଳରୁ ବାଦ୍‌ ପଡ଼ିନି। ଗୁରୁବାର ଦିନ ରାଜଧାନୀର ଏହି ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସବୁ କର୍ମଚାରୀମାନଙ୍କୁ ମଧ୍ୟ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦ‌େଶକ ଡା. ଲକ୍ଷ୍ମୀଧର ସାହୁଙ୍କ ସୂଚନାନୁସାରେ ଦୁଇ ସଂକ୍ରମିତଙ୍କ ଅବସ୍ଥା ସ୍ଥିର ରହିଛି। ତେବେ ସଂପୃକ୍ତ ବିଭାଗକୁ ସଂପୂର୍ଣ୍ଣ ରୂପେ ସାନିଟାଇଜ୍‌ କରାଯାଇଛି। ଏମାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନେ ସଙ୍ଗରୋଧରେ ଅଛନ୍ତି ଓ ୩/୪ ଦିନ ମଧ୍ୟରେ ସେମାନଙ୍କର କରୋନା ଟେଷ୍ଟ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ହସ୍ପିଟାଲ ପରିସରରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ବାରମ୍ବାର ସଚେତନ କରାଯାଉଛି। ହସ୍ପିଟାଲ ପରିସରକୁ ବାରମ୍ବାର ସାନିଟାଇଜ କରାଯାଉଛି। କର୍ମଚାରୀମାନେ ବୁଲି ବୁଲି ମାଇକ୍‌ ଯୋଗେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ସଚେତନ କରୁଛନ୍ତି। ଏହା ସହ ପ୍ରତି ବିଭାଗ ସମ୍ମୁଖରେ କ‌ରୋନା କଟକଣା କଡ଼ାକଡ଼ି ପାଳନ କରିବା ପାଇଁ ସୁରକ୍ଷା କର୍ମୀମାନଙ୍କୁ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର